
ଭୁବନେଶ୍ୱର, 11 ଅକ୍ଟୋବର (ହି.ସ.)- ନାନାଜୀ ଓ ଜୟପ୍ରକାଶ ନାରାୟଣଙ୍କୁ ଶ୍ରଦ୍ଧାଂଜଳି
ଜ୍ଞାପନ କରିଛନ୍ତି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ ଏକ ବାର୍ତ୍ତା ଜାରି କରି
କହିଛନ୍ତି ଯେ,ନାନାଜୀ ଦେଶମୁଖଙ୍କ
ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ଗ୍ରାମୀଣ ବିକାଶ ଓ ତୃଣମୂଳ ସ୍ତରରେ ଲୋକଙ୍କୁ
ସଶକ୍ତ କରିବା ପ୍ରତି ତାଙ୍କର ସମର୍ପଣ ଏହି ବିଶ୍ୱାସକୁ ପ୍ରତିଫଳିତ କରୁଥିଲା ଯେ, ଦୃଢ଼ ଓ
ଆତ୍ମନିର୍ଭର ସମୁଦାୟ ଗଠନ ମାଧ୍ୟମରେ ହିଁ ଦେଶର ସ୍ଥାୟୀ ପ୍ରଗତିର ମୂଳଦୁଆ ପଡ଼ିଥାଏ। ସେବା ଓ
ସାମୂହିକ ପ୍ରୟାସ ମାଧ୍ୟମରେ ରାଷ୍ଟ୍ର ନିର୍ମାଣ କରିବା ଦିଗରେ ତାଙ୍କର ଆଦର୍ଶ ଓ ଅବଦାନ ଆଜି
ମଧ୍ୟ ସମସ୍ତଙ୍କୁ ପ୍ରେରଣା ଯୋଗାଉଛି।
ଅନ୍ୟ ଏକ ବାର୍ତ୍ତାରେ ରାଜ୍ୟପାଳ କହିଛନ୍ତି ଯେ,ଲୋକନାୟକ ଶ୍ରୀ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ଅବସରରେ, ଭାରତର
ଗଣତାନ୍ତ୍ରିକ ଯାତ୍ରାରେ ଏକ ଐତିହାସିକ ମୋଡ଼ ସୃଷ୍ଟି କରିଥିବା ତାଙ୍କର ‘ସମ୍ପୂର୍ଣ୍ଣ
କ୍ରାନ୍ତି’ ଆହ୍ୱାନ ପାଇଁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ତାଙ୍କର ସାହସ ଓ ଗଣତାନ୍ତ୍ରିକ
ଆଦର୍ଶ ପ୍ରତି ଅତୁଟ ପ୍ରତିବଦ୍ଧତା ଆଜି ମଧ୍ୟ ତାଙ୍କର ଅମର ଐତିହ୍ୟର ଏକ ପ୍ରମୁଖ ଅଂଶ ହୋଇ
ରହିଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା
ଜାରି କରି କହିଛନ୍ତି ଯେ, ବିଶିଷ୍ଟ ରାଜନେତା, ସମାଜ ସଂସ୍କାରକ
ତଥା ରାଷ୍ଟ୍ରସେବକ ନାନାଜୀ ଦେଶମୁଖଙ୍କ ଜୟନ୍ତୀରେ ଭକ୍ତିପୂତ ପ୍ରଣାମ । ତାଙ୍କର ତ୍ୟାଗ, ସେବା ଓ ସମାଜ
କଲ୍ୟାଣ ପ୍ରତି ସମର୍ପଣ ଆମ ସମସ୍ତଙ୍କ ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ।
ଅନ୍ୟ ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଶିଷ୍ଟ
ସ୍ୱାଧୀନତା ସଂଗ୍ରାମୀ ତଥା ସମ୍ପୂର୍ଣ୍ଣ କ୍ରାନ୍ତିର ପ୍ରଣେତା ଲୋକନାୟକ ସ୍ବର୍ଗତ ଜୟପ୍ରକାଶ
ନାରାୟଣଙ୍କ ଜୟନ୍ତୀରେ ଭକ୍ତିପୂତ ପ୍ରଣାମ।
ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏକ ବାର୍ତ୍ତା ଜାରି କରି
କହିଛନ୍ତି ଯେ, ଭାରତୀୟ ଜନସଂଘର ପ୍ରମୁଖ ନେତା ଏବଂ ସମାଜସେବୀ 'ରାଷ୍ଟ୍ରଋଷି' ନାନାଜୀ ଦେଶମୁଖ
ଙ୍କ ଜନ୍ମ ବାର୍ଷିକୀ ଅବସରରେ ତାଙ୍କ ଅମର ଆତ୍ମା ନିକଟରେ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ
କରୁଅଛି।
ଅନ୍ୟ ଏକ ବାର୍ତ୍ତାରେ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ଭାରତ
ରତ୍ନ ଲୋକନାୟକ ଜୟପ୍ରକାଶ ନାରାୟଣ ଜୀଙ୍କ ଜୟନ୍ତୀ ଅବସରରେ ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି।
ଗଣତାନ୍ତ୍ରିକ ମୂଲ୍ୟବୋଧ, ଜନକଲ୍ୟାଣ ଓ ସାମାଜିକ ପରିବର୍ତ୍ତନ ପ୍ରତି ତାଙ୍କର
ସମର୍ପଣ ଭାରତୀୟ ଇତିହାସରେ ସର୍ବଦା ସ୍ମରଣୀୟ ହୋଇ ରହିବ। ତାଙ୍କର ଆଦର୍ଶ ଓ ବିଚାର ଆଗାମୀ
ପିଢ଼ିକୁ ରାଷ୍ଟ୍ରସେବା, ନୈତିକତା ଓ ଜନହିତର ପଥରେ ଆଗେଇ ଚାଲିବାକୁ ସଦା
ପ୍ରେରଣା ଯୋଗାଇବ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଏକ ବାର୍ତ୍ତା ଜାରି କରି କହିଛନ୍ତି
ଯେ, ଭାରତ ରତ୍ନ ନାନାଜୀ ଦେଶମୁଖଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି । ରାଷ୍ଟ୍ର
ନିର୍ମାଣ, ଗ୍ରାମୀଣ ବିକାଶ ଓ ସମାଜସେବା କ୍ଷେତ୍ରରେ ତାଙ୍କର ଅବଦାନ ସର୍ବଦା
ସ୍ମରଣୀୟ ହୋଇ ରହିବ ।
ଅନ୍ୟ ଏକ ବାର୍ତ୍ତାରେ ପ୍ରଭାତି ପରିଡା କହିଛନ୍ତି ଯେ, ‘ସମ୍ପୂର୍ଣ୍ଣ
କ୍ରାନ୍ତି’ର ଉଦ୍ଘୋଷକ, ମହାନ ସ୍ୱାଧୀନତା
ସଂଗ୍ରାମୀ, ଭାରତ ରତ୍ନ ‘ଲୋକନାୟକ’ ଜୟପ୍ରକାଶ ନାରାୟଣ (ଜେପି)ଙ୍କ
ଜୟନ୍ତୀ ଅବସରରେ କୋଟି କୋଟି ପ୍ରଣାମ । ଜରୁରୀକାଳୀନ ପରିସ୍ଥିତି ସମୟରେ ଗଣତନ୍ତ୍ରର ସୁରକ୍ଷା
ପାଇଁ ତାଙ୍କର ନିର୍ଭୀକ ସଂଘର୍ଷ, ତ୍ୟାଗ ଓ ଜନଜାଗରଣ
ଭାରତୀୟ ଇତିହାସରେ ସର୍ବଦା ସ୍ମରଣୀୟ ହୋଇ ରହିବ ।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏକ ବାର୍ତ୍ତା ଜାରି କରି
କହିଛନ୍ତି ଯେ, ମହାନ ସ୍ୱାଧୀନତା ସଂଗ୍ରାମୀ, ସମାଜବାଦୀ ନେତା
ତଥା ଭାରତ ରତ୍ନ ସମ୍ମାନରେ ସମ୍ମାନିତ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ଅବସରରେ ତାଙ୍କୁ
ବିନମ୍ର ଶ୍ରଦ୍ଧାଞ୍ଜଳି। ସେ ଜଣେ ନିର୍ଭୀକ ସଂଗ୍ରାମୀ ଥିଲେ ଏବଂ କ୍ଷମତାର ଏକଛତ୍ରବାଦୀ ମନୋଭାବ
ବିରୋଧରେ ଦୃଢ଼ତାର ସହ ଲଢ଼େଇ କରିଥିଲେ। ଗଣତାନ୍ତ୍ରିକ ମୂଲ୍ୟବୋଧ, ସାମାଜିକ ନ୍ୟାୟ ଓ
ଦୁର୍ନୀତିମୁକ୍ତ ସମାଜ ଗଠନ ନେଇ ତାଙ୍କର ଆଦର୍ଶ ଆଜି ମଧ୍ୟ ଆମ ସମସ୍ତଙ୍କୁ ମାର୍ଗଦର୍ଶନ କରୁଛି।
କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା
ଜାରି କରି କହିଛନ୍ତି ଯେ, ରାଷ୍ଟ୍ରସେବାକୁ ଜୀବନର ଲକ୍ଷ୍ୟ ଭାବେ ଗ୍ରହଣ କରିଥିବା ପ୍ରଖର
ରାଷ୍ଟ୍ରବାଦୀ ଚିନ୍ତକ ତଥା ‘ଭାରତ ରତ୍ନ’ ରାଷ୍ଟ୍ରଋଷି ନାନାଜୀ ଦେଶମୁଖଙ୍କ ଜୟନ୍ତୀ ଅବସରରେ
ତାଙ୍କୁ ସାଦର ପ୍ରଣାମ। ‘ଗ୍ରାମୋଦୟରୁ ରାଷ୍ଟ୍ରୋଦୟ’ର ତାଙ୍କର ମହାନ ବିଚାର ଆଜି ମଧ୍ୟ
ଆତ୍ମନିର୍ଭର ଓ ସଶକ୍ତ ଭାରତ ଗଠନ ପାଇଁ ପ୍ରେରଣା ଯୋଗାଉଛି।
ଅନ୍ୟ ଏକ ବାର୍ତ୍ତାରେ ଜୁଏଲ ଓରାମ କହିଛନ୍ତି ଯେ, ମହାନ ସ୍ୱାଧୀନତା
ସଂଗ୍ରାମୀ, ଲୋକନାୟକ ତଥା ‘ଭାରତ ରତ୍ନ’ ଜୟପ୍ରକାଶ ନାରାୟଣ ଜୀଙ୍କ ଜୟନ୍ତୀ
ଅବସରରେ ତାଙ୍କୁ କୋଟି କୋଟି ପ୍ରଣାମ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର
ପ୍ରଧାନ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ,ପ୍ରଖର ରାଷ୍ଟ୍ରବାଦୀ ଚିନ୍ତକ ତଥା ଭାରତୀୟ ଜନସଂଘର ପ୍ରତିଷ୍ଠାତା ସଦସ୍ୟ ‘ରାଷ୍ଟ୍ରଋଷି’
ନାନାଜୀ ଦେଶମୁଖଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାପୂର୍ବକ ପ୍ରଣାମ ଜଣାଉଛି। ରାଷ୍ଟ୍ରସେବା, ଗ୍ରାମୋଦୟ ଓ
ସ୍ୱାବଲମ୍ବନ ପ୍ରତି ତାଙ୍କର ସମର୍ପଣ ସର୍ବଦା ଦେଶବାସୀଙ୍କୁ ସମାଜ ଓ ରାଷ୍ଟ୍ରର କଲ୍ୟାଣ ପାଇଁ
ପ୍ରେରିତ କରୁଥିବ।
ଅନ୍ୟ ଏକ ବାର୍ତ୍ତାରେ ସାଂସଦ କହିଛନ୍ତି ଯେ, ଗଣତନ୍ତ୍ର ଓ ଜନଶକ୍ତିର
ଅମର ପ୍ରତୀକ ‘ଲୋକନାୟକ’ ଜୟପ୍ରକାଶ ନାରାୟଣ ଜୀଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାପୂର୍ବକ
ପ୍ରଣାମ ଜଣାଉଛି। ଜରୁରୀକାଳୀନ ପରିସ୍ଥିତି ବିରୋଧରେ ତାଙ୍କର ସଂଘର୍ଷ ଏବଂ ‘ସମ୍ପୂର୍ଣ୍ଣ
କ୍ରାନ୍ତି’ର ଆହ୍ୱାନ ସର୍ବଦା ଦେଶବାସୀଙ୍କୁ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା କରିବା ସହ
ରାଷ୍ଟ୍ରହିତରେ କାର୍ଯ୍ୟ କରିବା ପାଇଁ ପ୍ରେରଣା ଯୋଗାଇ ଚାଲିଥିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା