
ଭୁବନେଶ୍ଵର, ୧୧ ଅକ୍ଟୋବର (ହି.ସ.)- ନବରାତ୍ରୀ ପାଇଁ ରାଜ୍ୟର ବିଭିନ୍ନ ଶକ୍ତିପୀଠ ଉତ୍ସବ ମୁଖର ହୋଇଉଠିଛି । ଶକ୍ତି ସ୍ଵରୂପିଣୀ ମା’ ଦୁର୍ଗାଙ୍କ ନବଦିନାତ୍ମକ ପୂଜା ଆଜିଠାରୁ ଆରମ୍ଭ ହୋଇଛି । ନବରାତ୍ରୀର ପ୍ରଥମ ଦିନରେ ଆଜି ମା’ ଙ୍କ ଶୈଳପୁତ୍ରୀ ବେଶ ଅନୁଷ୍ଠିତ ହୋଇଛି ।
ଦକ୍ଷ ଯଜ୍ଞରେ ଆହୁତି ଦେଇ ଦେବୀ ସତୀଙ୍କ ପ୍ରୟାଣ ପରେ ପୁନଶ୍ଚ ସେ ଶୈଳରାଜ ହିମାଳୟଙ୍କ କନ୍ୟା ରୂପେ ଜନ୍ମ ହୋଇଥିଲେ । ତେଣୁ ଦେବୀଙ୍କ ଏହି ରୂପକୁ ହେମାବତୀ ଓ ଶୈଳବତୀ ବୋଲି କୁହାଯାଏ । ନବରାତ୍ରୀର ପ୍ରଥମ ଦିନ ମା’ ଶୈଳପୁତ୍ରୀଙ୍କୁ ପୂଜା କରାଯାଏ । ଗ୍ରହମାନଙ୍କ ମଧ୍ୟରେ ଚନ୍ଦ୍ର ଦେବୀଙ୍କ ଦ୍ୱାରା ପ୍ରଭାବିତ ବୋଲି ମାନ୍ୟତା ରହିଛି ।
ଶହସ୍ର ସୂର୍ଯ୍ୟର ତେଜ ଧାରିଣୀ ମା’ ସମସ୍ତ ମହାଜାଗତିକ ଶକ୍ତିର ପ୍ରତିମା ଓ ଅଭୟ ବରଦାୟିନୀ । ଦେବୀ ଦ୍ୱିଭୁଜା, ଦକ୍ଷିଣ ହସ୍ତରେ ତ୍ରିଶୂଳ ଏବଂ ବାମ ହସ୍ତରେ ପଦ୍ମପୁଷ୍ପ ଧାରଣ କରିଥାନ୍ତି ଓ ମସ୍ତକରେ ଅର୍ଦ୍ଧଚନ୍ଦ୍ର ଶୋଭାପାଏ । ବୃଷଭ ବାହନ ଯୋଗୁଁ ତାଙ୍କୁ ବୃଷାରୂଢା ବୋଲି ମଧ୍ୟ କୁହାଯାଏ । ଚନ୍ଦ୍ର ଦେବୀଙ୍କ ଦ୍ୱାରା ପ୍ରଭାବିତ ହେଉଥିବାରୁ ମା’ ଶୈଳପୁତ୍ରୀ ସାଧକମାନଙ୍କ ଚନ୍ଦ୍ରଦଶା ଖଣ୍ଡନ କରିଥାନ୍ତି । ମା’ ଙ୍କ ଏହି ଦିବ୍ୟ ବେଶ ଦର୍ଶନ କରିବାକୁ ରବିବାର ବିଭିନ୍ନ ଶକ୍ତିପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ