
ନୂଆଦିଲ୍ଲୀ, ୧୧ ଅକ୍ଟୋବର (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର କହିଛନ୍ତି ଯେ, ଗତ ୨୫ ବର୍ଷ ଧରି ସରକାରର ମୁଖ୍ୟ ଭାବେ କାର୍ଯ୍ୟ କରିବା ସମୟରେ ଗଣତନ୍ତ୍ରର ଦୁଇଟି ଶକ୍ତି ଉପରେ ତାଙ୍କର ବିଶ୍ୱାସ କ୍ରମାଗତ ଭାବେ ଦୃଢ଼ ହୋଇଛି। ଏହି ଦୁଇଟି ଶକ୍ତି ହେଉଛି ଦେଶର ଜନସାଧାରଣ ଏବଂ ସହକାରୀ ସଂଘୀୟ ବ୍ୟବସ୍ଥା। ସେ କହିଛନ୍ତି, “ମୁଁ ସର୍ବଦା ରାଜ୍ୟର ବିକାଶ ମାଧ୍ୟମରେ ଦେଶର ବିକାଶର ମନ୍ତ୍ର ନେଇ ଆଗକୁ ବଢ଼ିଛି।”
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ତାମିଲନାଡୁ ଗସ୍ତରେ ଚେନ୍ନାଇରେ ପହଞ୍ଚିଥିଲେ। ସେ ପ୍ରଥମେ ଚେନ୍ନାଇ ମେଟ୍ରୋରେ ପୋରୁର ବାଇପାସ୍ ଷ୍ଟେସନରୁ ପୁନ୍ଦମଲ୍ଲୀ ବାଇପାସ୍ ଷ୍ଟେସନ ପର୍ଯ୍ୟନ୍ତ ଯାତ୍ରା କରି ପୁଣି ଫେରିଥିଲେ। ଏହାପରେ ସେ ଜଳକଣ୍ଠେଶ୍ୱର ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ପରେ ଆଇଆଇଟି ମାଡ୍ରାସ୍ସ୍ଥିତ ମସ୍ତିଷ୍କ କେନ୍ଦ୍ର ପରିଦର୍ଶନ କରିଥିଲେ। ପ୍ରଧାନମନ୍ତ୍ରୀ ୧୩ ହଜାର କୋଟି ଟଙ୍କାରୁ ଅଧିକ ବ୍ୟୟ ଅଟକଳର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଉଦ୍ଘାଟନ କରିଥିଲେ ଏବଂ କିଛି ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ସମର୍ପଣ କରିଥିଲେ। ଏହାପରେ ସେ ଏକ ଜନସଭାକୁ ସମ୍ବୋଧିତ କରିଥିଲେ।
ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଭାରତ ନିଜର ସାଂସ୍କୃତିକ ଐତିହ୍ୟରୁ ପ୍ରେରଣା ଗ୍ରହଣ କରିବା ସହ ବିଜ୍ଞାନର ପ୍ରଗତି ଏବଂ ଆଧୁନିକ ଭିତ୍ତିଭୂମି ମାଧ୍ୟମରେ ଆଗକୁ ବଢ଼ୁଛି। ଆଜି ସେ ତାମିଲନାଡୁରେ ୧୩ ହଜାର କୋଟି ଟଙ୍କାର ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ପରିବହନ, ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ର ଅଧିକ ସୁଦୃଢ଼ ହେବା ସହ ଯୁବପିଢ଼ିଙ୍କ ପାଇଁ ନିଯୁକ୍ତିର ନୂଆ ସୁଯୋଗ ସୃଷ୍ଟି ହେବ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଉନ୍ନତ ପରିବହନ ବ୍ୟବସ୍ଥା ପାଇଁ କେବଳ ରାସ୍ତାକୁ ପ୍ରଶସ୍ତ କରିବା ଯଥେଷ୍ଟ ନୁହେଁ। ଆଧୁନିକ ସହରଗୁଡ଼ିକରେ ସମନ୍ୱିତ ଭିତ୍ତିଭୂମିର ଆବଶ୍ୟକତା ରହିଛି। ଏହି ଉଦ୍ଦେଶ୍ୟରେ ଗତ ଏକ ଦଶନ୍ଧି ମଧ୍ୟରେ ସମଗ୍ର ଦେଶରେ ମେଟ୍ରୋ ନେଟୱର୍କର ସମ୍ପ୍ରସାରଣ କରାଯାଇଛି। ୨୦୧୪ ମସିହାରେ ଦେଶର ମାତ୍ର ୫ଟି ସହରରେ ମେଟ୍ରୋ ସେବା ଉପଲବ୍ଧ ଥିବାବେଳେ ବର୍ତ୍ତମାନ ୨୫ଟି ସହରରେ ମେଟ୍ରୋ ଚଳାଚଳ କରୁଛି।
ମୋଦୀ କହିଥିଲେ ଯେ, ତାମିଲନାଡୁ ପାଇଁ ଆଜିର ଦିନ ଐତିହାସିକ। ପ୍ରାୟ ୧୩ ହଜାର କୋଟି ଟଙ୍କାର ପ୍ରକଳ୍ପ ଅଧୀନରେ ଅନେକ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପର ଉଦ୍ଘାଟନ କରାଯାଇଥିବାବେଳେ ନୂତନ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ମଧ୍ୟ କରାଯାଇଛି। ଏହାଦ୍ୱାରା ଦୈନନ୍ଦିନ ଯାତାୟାତ ସହଜ ହେବ, ଶିଳ୍ପ ଓ ବାଣିଜ୍ୟକୁ ପ୍ରୋତ୍ସାହନ ମିଳିବ ଏବଂ ରାଜ୍ୟର ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ସେ କହିଥିଲେ ଯେ, ମନ୍ଦିରଠାରୁ ଆରମ୍ଭ କରି ମେଟ୍ରୋ ପର୍ଯ୍ୟନ୍ତ ତାମିଲନାଡୁର ଅନୁଭୂତି ଭାରତର ମୂଳ ଭାବନାକୁ ପ୍ରତିଫଳିତ କରୁଛି। ଭାରତ ନିଜର ସାଂସ୍କୃତିକ ଐତିହ୍ୟରୁ ପ୍ରେରଣା ନେବା ସହ ବିଜ୍ଞାନର ପ୍ରଗତି ସହିତ ଆଗକୁ ବଢ଼ୁଛି। ଆଧୁନିକ ଭିତ୍ତିଭୂମି ନୂଆ ସୁଯୋଗ ସୃଷ୍ଟି କରୁଛି। ଦେଶର ଐତିହ୍ୟ ଓ ଭବିଷ୍ୟତର ଆକାଂକ୍ଷା ଏକାଠି ଆଗକୁ ବଢ଼ୁଛି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସାମୁଦ୍ରିକ ପରିବହନ କ୍ଷେତ୍ରକୁ ନୂଆ ଉଚ୍ଚତାକୁ ନେବା ପାଇଁ ଦେଶର ବନ୍ଦର ଭିତ୍ତିଭୂମିକୁ ମଧ୍ୟ ସୁଦୃଢ଼ କରାଯାଉଛି। କେନ୍ଦ୍ର ସରକାର ପ୍ରାୟ ୧୭ ହଜାର କୋଟି ଟଙ୍କାର ନିବେଶରେ ତୁତିକୋରିନ୍ସ୍ଥିତ ଭି.ଓ. ଚିଦମ୍ବରନାର ବନ୍ଦରକୁ ବିଶ୍ୱସ୍ତରୀୟ ବୃହତ୍ କଣ୍ଟେନର ଓ ସବୁଜ ଶକ୍ତି କେନ୍ଦ୍ର ଭାବେ ବିକଶିତ କରୁଛନ୍ତି। ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ବନ୍ଦରଟି ବିଶ୍ୱର ସର୍ବବୃହତ୍ କଣ୍ଟେନର ଜାହାଜଗୁଡ଼ିକୁ ପରିଚାଳନା କରିବାରେ ସକ୍ଷମ ହେବ। ଏହାଦ୍ୱାରା ତାମିଲନାଡୁକୁ ଶିଳ୍ପ ଓ ପରିବହନର ଏକ ବିଶ୍ୱସ୍ତରୀୟ କେନ୍ଦ୍ର ଭାବେ ବିକଶିତ କରିବାରେ ସହାୟତା ମିଳିବ।
ସେ କହିଥିଲେ ଯେ, କିଛି ଦିନ ପୂର୍ବରୁ ଦେଶବାସୀଙ୍କ ଆଶୀର୍ବାଦ ଓ ସ୍ନେହ ବଳରେ ସେ ସରକାରର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଛନ୍ତି। ୨୦୦୧ ଅକ୍ଟୋବରରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରଠାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବେ ଦେଶର ସେବା କରିବାର ସୁଯୋଗ ମିଳିଛି। ଏହି ୨୫ ବର୍ଷ ମଧ୍ୟରେ ଗଣତନ୍ତ୍ରର ଦୁଇଟି ଶକ୍ତି—ଦେଶର ଜନସାଧାରଣ ଓ ସହକାରୀ ସଂଘୀୟ ବ୍ୟବସ୍ଥା—ଉପରେ ତାଙ୍କର ବିଶ୍ୱାସ କ୍ରମାଗତ ଭାବେ ଅଧିକ ଦୃଢ଼ ହୋଇଛି। ସେ ସର୍ବଦା ରାଜ୍ୟର ବିକାଶ ମାଧ୍ୟମରେ ଦେଶର ବିକାଶର ମନ୍ତ୍ର ନେଇ ଆଗକୁ ବଢ଼ିଛନ୍ତି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ ଆଜି ବିଶ୍ୱର ଦ୍ୱିତୀୟ ବୃହତ୍ ମୋବାଇଲ୍ ଫୋନ୍ ଉତ୍ପାଦନକାରୀ ଦେଶ। ୨୦୧୪ ପରଠାରୁ ଦେଶର ଇଲେକ୍ଟ୍ରୋନିକ୍ସ ରପ୍ତାନି ୧୧ ଗୁଣ ବୃଦ୍ଧି ପାଇଥିବାବେଳେ ପ୍ରତିରକ୍ଷା ସାମଗ୍ରୀ ରପ୍ତାନି ୫୦ ଗୁଣ ବୃଦ୍ଧି ପାଇଛି। ଇଞ୍ଜିନିୟରିଂ ଉତ୍ପାଦର ରପ୍ତାନି ମଧ୍ୟ ନୂଆ ରେକର୍ଡ ସୃଷ୍ଟି କରିଛି। ଉତ୍ପାଦନ କ୍ଷେତ୍ରର ଏହି ଅଭିବୃଦ୍ଧି ଫଳରେ ଦେଶର ଯୁବପିଢ଼ିଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଲକ୍ଷ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଦେଶର ଉତ୍ପାଦନ କ୍ଷେତ୍ରର ଅଭିବୃଦ୍ଧିରେ ତାମିଲନାଡୁବାସୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ବୋଲି ସେ କହିଥିଲେ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା