
ନୂଆଦିଲ୍ଲୀ, ୧୧ ଅକ୍ଟୋବର (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁର ଚେନ୍ନାଇ ଗସ୍ତ କରିବେ। ସେ ସକାଳ ପ୍ରାୟ ୧୧ଟା ୩୦ ମିନିଟ୍ରେ ଚେନ୍ନାଇ ମେଟ୍ରୋରେ ପୋରୁର ବାଇପାସ୍ ଷ୍ଟେସନରୁ ପୁନମଲ୍ଲୀ ବାଇପାସ୍ ଷ୍ଟେସନ ପର୍ଯ୍ୟନ୍ତ ଯାତ୍ରା କରିବେ ଏବଂ ପୁଣି ଫେରିବେ। ଅପରାହ୍ଣ ପ୍ରାୟ ୧୨ଟା ୧୫ ମିନିଟ୍ରେ ପ୍ରଧାନମନ୍ତ୍ରୀ ଚେନ୍ନାଇସ୍ଥିତ ଜଳକଣ୍ଠେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିବେ। ଏହାପରେ ସେ ଆଇଆଇଟି ମାଡ୍ରାସ୍ସ୍ଥିତ ମସ୍ତିଷ୍କ କେନ୍ଦ୍ର ପରିଦର୍ଶନ କରିବେ। ଏନେଇ ଏକ ସରକାରୀ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।
ବିଜ୍ଞପ୍ତି ଅନୁଯାୟୀ, ଅପରାହ୍ଣ ପ୍ରାୟ ୧ଟା ୩୦ ମିନିଟ୍ରେ ମୋଦୀ ୧୩ ହଜାର କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ, ଉଦ୍ଘାଟନ କରିବେ ଏବଂ ସେଗୁଡ଼ିକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିବେ। ଏହି ଅବସରରେ ସେ ଏକ ଜନସଭାକୁ ମଧ୍ୟ ସମ୍ବୋଧିତ କରିବେ। ଅପରାହ୍ଣ ପ୍ରାୟ ୩ଟାରେ ପ୍ରଧାନମନ୍ତ୍ରୀ ଚେନ୍ନାଇସ୍ଥିତ ଜୟଗୋପାଳ ଗାରୋଡିଆ ହିନ୍ଦୁ ବିଦ୍ୟାଳୟ ମାଟ୍ରିକୁଲେସନ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେବେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚେନ୍ନାଇ ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଅନ୍ତର୍ଗତ ପୁନମଲ୍ଲୀ-ଭଡାପାଲାନି ଖଣ୍ଡର ଉଦ୍ଘାଟନ କରିବେ। ପ୍ରାୟ ୪,୯୦୦ କୋଟି ଟଙ୍କା ବ୍ୟୟରେ ଏହି ଖଣ୍ଡର ନିର୍ମାଣ କରାଯାଇଛି। ଏହି କରିଡରରେ ୩.୭ କିଲୋମିଟର ଲମ୍ବର ଏକ ସ୍ୱତନ୍ତ୍ର ଦୁଇସ୍ତରୀୟ ଢାଞ୍ଚା ରହିଛି। ଚାଳକବିହୀନ ଟ୍ରେନ୍ ଚଳାଚଳକୁ ସହାୟତା କରିବା ପାଇଁ ଏଥିରେ ଉନ୍ନତ ସିଗନାଲିଂ ବ୍ୟବସ୍ଥା ମଧ୍ୟ ସ୍ଥାପନ କରାଯାଇଛି।
ଏହି ପ୍ରକଳ୍ପ ଦ୍ୱାରା ଯାତ୍ରୀମାନଙ୍କର ଦୈନନ୍ଦିନ ଯାତ୍ରା ସମୟ ହ୍ରାସ ପାଇବା ସହ ଚେନ୍ନାଇର ଦ୍ରୁତଗତିରେ ବିକଶିତ ହେଉଥିବା ପଶ୍ଚିମ ଉପନଗର ଏବଂ ସହରର କେନ୍ଦ୍ରସ୍ଥଳ ମଧ୍ୟରେ ସଡ଼କ ଯୋଗାଯୋଗ ଅଧିକ ସୁଗମ ହେବ ବୋଲି ଆଶା କରାଯାଉଛି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା