
ନୂଆଦିଲ୍ଲୀ, ୧୧ ଅକ୍ଟୋବର (ହି.ସ.)। ଆଜିଠାରୁ ଶାରଦୀୟ ନବରାତ୍ରି ଆରମ୍ଭ ହେଉଛି। ପ୍ରତିବର୍ଷ ଆଶ୍ୱିନ ମାସର ଶୁକ୍ଳପକ୍ଷ ପ୍ରତିପଦା ତିଥିରୁ ଶାରଦୀୟ ନବରାତ୍ରି ଆରମ୍ଭ ହୋଇଥାଏ। ଏହି ନଅ ଦିନ ଧରି ମା’ ଦୁର୍ଗା ଏବଂ ତାଙ୍କର ନଅଟି ଭିନ୍ନ ସ୍ୱରୂପଙ୍କୁ ବିଧିବିଧାନ ଅନୁଯାୟୀ ପୂଜା କରିବାର ପରମ୍ପରା ରହିଛି।
ଆଜି ପ୍ରଥମ ଦିନରେ ମା’ଙ୍କ ଆଗମନକୁ ସ୍ୱାଗତ କରାଯିବ। ଘଟସ୍ଥାପନା ସହିତ ମା’ ଦୁର୍ଗାଙ୍କ ପ୍ରଥମ ସ୍ୱରୂପ ମା’ ଶୈଳପୁତ୍ରୀଙ୍କ ପୂଜାର୍ଚ୍ଚନା କରାଯିବ। ଉପବାସ ରଖିବା ସହ ପ୍ରତିଦିନ ମନ୍ତ୍ର, ଆଳତି ଏବଂ ଚାଳିଶା ପାଠ କରାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ନବରାତ୍ରିରେ ମା’ ଦୁର୍ଗାଙ୍କ ଚାଳିଶା ପାଠ କରିବା ଦ୍ୱାରା ସୁଖ-ସମୃଦ୍ଧି ଏବଂ ସକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ।
ଶାସ୍ତ୍ର ଅନୁଯାୟୀ, ପ୍ରାତଃକାଳରେ ଦେବୀଙ୍କ ଆବାହନ ଏବଂ ଘଟସ୍ଥାପନା କରିବାର ବିଧି ରହିଛି। ଆଜି ରାତି ୧୦ଟା ୩୨ ମିନିଟ୍ ପର୍ଯ୍ୟନ୍ତ ଚିତ୍ରା ନକ୍ଷତ୍ର ଏବଂ ରାତି ୯ଟା ୦୫ ମିନିଟ୍ ପର୍ଯ୍ୟନ୍ତ ବୈଧୃତି ଯୋଗ ରହିବ। ଶାସ୍ତ୍ର ଅନୁଯାୟୀ, ଚିତ୍ରା ନକ୍ଷତ୍ରର ପ୍ରଥମ ଦୁଇଟି ଚରଣକୁ ବାଦ୍ ଦେଇ, ଅର୍ଥାତ୍ ଅଭିଜିତ୍ ମୁହୂର୍ତ୍ତରେ ଘଟସ୍ଥାପନା କରିବା ଶ୍ରେଷ୍ଠ ବୋଲି ବିବେଚନା କରାଯାଏ।
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା