

ନୂଆଦିଲ୍ଲୀ, ୧୧ ଅକ୍ଟୋବର (ହି.ସ.)। କେନ୍ଦ୍ରୀୟ ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ସିଙ୍ଗାପୁରରେ ଷ୍ଟାଣ୍ଡାର୍ଡ ଚାର୍ଟାର୍ଡ ବ୍ୟାଙ୍କର ଗ୍ରୁପ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ବିଲ୍ ୱିଣ୍ଟର୍ସ ଏବଂ ବ୍ୟାଙ୍କର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଛନ୍ତି। ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି।
ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ରବିବାର ‘ଏକ୍ସ’ରେ ଜାରି ଏକ ପୋଷ୍ଟରେ କୁହାଯାଇଛି ଯେ, ସିଙ୍ଗାପୁରରେ ହୋଇଥିବା ଏହି ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଷ୍ଟାଣ୍ଡାର୍ଡ ଚାର୍ଟାର୍ଡ ବ୍ୟାଙ୍କ ଗ୍ରୁପ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ବିଲ୍ ୱିଣ୍ଟର୍ସ ବିଶ୍ୱ ବଜାରରେ ଭାରତର ଅଂଶଗ୍ରହଣକୁ ବୃଦ୍ଧି କରିବା ଲାଗି ବାଣିଜ୍ୟ ଅର୍ଥଲଗାଣ, ସୀମାପାର ବ୍ୟାଙ୍କିଂ ସେବା ଏବଂ ଆର୍ଥିକ ପ୍ରବାହକୁ ସୁଦୃଢ଼ କରିବା ସମ୍ପର୍କିତ ପ୍ରମୁଖ ରଣନୀତି ଉପରେ ଆଲୋଚନା କରିଥିଲେ।
ଏହି ଅବସରରେ ବିଶ୍ୱ ବଜାର ସହ ଭାରତର ବଢ଼ୁଥିବା ସମ୍ପର୍କକୁ ସମର୍ଥନ ଦେବା ପାଇଁ ଉପଯୁକ୍ତ ଟିକସ ଓ ନିୟାମକ ବ୍ୟବସ୍ଥା ମାଧ୍ୟମରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ବ୍ୟାପକ ଉପଯୋଗ ଏବଂ ଗିଫ୍ଟ ଆଇଏଫ୍ଏସ୍ସିରେ ଟ୍ରେଜେରି କେନ୍ଦ୍ର ସ୍ଥାପନ ଓ ସେଗୁଡ଼ିକର ସମ୍ପ୍ରସାରଣର ସମ୍ଭାବନା ଉପରେ ମଧ୍ୟ ମତ ବିନିମୟ ହୋଇଥିଲା।
ଅର୍ଥମନ୍ତ୍ରୀଙ୍କ ସହ ଏହି ବୈଠକରେ ଷ୍ଟାଣ୍ଡାର୍ଡ ଚାର୍ଟାର୍ଡ ବ୍ୟାଙ୍କର ଗ୍ରୁପ୍ ମୁଖ୍ୟ ପରିଚାଳନା ଅଧିକାରୀ ତନୁଜ କପିଳାଶ୍ରମୀ, ସିଙ୍ଗାପୁର, ଆସିଆନ୍ ଓ ଦକ୍ଷିଣ ଏସିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ପାଟ୍ରିକ୍ ଲି ଏବଂ ଗ୍ରୁପ୍ର ସାର୍ବଜନୀନ ଓ ନିୟାମକ ବ୍ୟାପାର ବିଭାଗର ସରକାରୀ ବ୍ୟାପାର ନିର୍ଦ୍ଦେଶକ କଲିନ୍ ତୁଙ୍ଗ ମଧ୍ୟ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅକ୍ଟୋବର ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ତିନିଦିନିଆ ସରକାରୀ ଗସ୍ତରେ ସିଙ୍ଗାପୁରରେ ଅଛନ୍ତି। ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି ଦୁଇ ଦେଶ ମଧ୍ୟରେ ଆର୍ଥିକ ସମ୍ପର୍କକୁ ମଜବୁତ କରିବା ଏବଂ ଭାରତରେ ବିଶ୍ୱସ୍ତରୀୟ ସଂସ୍ଥାଗତ ନିବେଶକୁ ଆକୃଷ୍ଟ କରିବା।
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା