
ବୁଖାରେଷ୍ଟ, ୧୦ ଅକ୍ଟୋବର (ହି.ସ.)। କଳା ସାଗରରେ ଆକ୍ରମଣର ଶିକାର ହୋଇଥିବା ବାଣିଜ୍ୟିକ ଜାହାଜ ଏମ୍ଭି ରୋୟାଦ ମମାଦୋଭ୍ରୁ ଉଦ୍ଧାର ହୋଇଥିବା ତିନି ଜଣ ଭାରତୀୟ ନାଗରିକ ଶନିବାର ରୋମାନିଆରୁ ସ୍ୱଦେଶ ଅଭିମୁଖେ ଯାତ୍ରା କରିଛନ୍ତି। ବୁଖାରେଷ୍ଟସ୍ଥିତ ଭାରତୀୟ ଦୂତାବାସ ଏହି ସୂଚନା ଦେବା ସହ ସେମାନଙ୍କର ସୁରକ୍ଷିତ ପ୍ରତ୍ୟାବର୍ତ୍ତନରେ ସହଯୋଗ କରିଥିବା ରୋମାନିଆର ଅଧିକାରୀ, ଚିକିତ୍ସା କର୍ମଚାରୀ ଏବଂ ଉଦ୍ଧାରକାରୀ ଦଳକୁ କୃତଜ୍ଞତା ଜଣାଇଛି।
ଦୂତାବାସ ଅନୁଯାୟୀ, ସ୍ୱଦେଶ ଫେରୁଥିବା ଭାରତୀୟ ନାଗରିକମାନେ ହେଲେ ସାହିଲ ସାନ୍ଧୁ, ଅଶ୍ୱିନୀ କୁମାର ଏବଂ ହରମନ ସିଂହ। ଏହି ତିନି ଜଣଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଆବଶ୍ୟକ ସହାୟତା ଓ ବ୍ୟବସ୍ଥା କରାଯାଇଥିବା ଦୂତାବାସ ସାମାଜିକ ଗଣମାଧ୍ୟମ ଏକ୍ସରେ ସୂଚନା ଦେଇଛି।
ମଙ୍ଗଳବାର ଜାହାଜ ଉପରେ ଆକ୍ରମଣ ହୋଇଥିଲା। ଏହା ପରେ ତିନି ଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିଲା। ବୁଧବାର ଭାରତୀୟ ଦୂତାବାସର ଜଣେ ପ୍ରତିନିଧି ସେମାନଙ୍କୁ ଭେଟିଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ହୋଟେଲରେ ରଖାଯାଇଥିବା ବେଳେ ଆହତ ତୃତୀୟ ବ୍ୟକ୍ତିଙ୍କର କନଷ୍ଟାଣ୍ଟାସ୍ଥିତ କାଉଣ୍ଟି ହସ୍ପିଟାଲରେ ଚିକିତ୍ସା ଚାଲିଥିଲା।
ସେମାନଙ୍କର ଶୀଘ୍ର ଏବଂ ସୁରକ୍ଷିତ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ସୁନିଶ୍ଚିତ କରିବା ପାଇଁ ଦୂତାବାସ ପକ୍ଷରୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଇଥିଲା। ଜାହାଜ ପରିଚାଳନାକାରୀ କମ୍ପାନୀର ସ୍ଥାନୀୟ ଏଜେଣ୍ଟଙ୍କ ମାଧ୍ୟମରେ ମୋବାଇଲ୍ ଫୋନ୍ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀର ବ୍ୟବସ୍ଥା କରାଯାଇଥିଲା। ଏଥିସହ ସେମାନଙ୍କ ପାଇଁ ଭାରତୀୟ ଖାଦ୍ୟର ମଧ୍ୟ ବ୍ୟବସ୍ଥା କରାଯାଇଥିଲା।
ଏହି ଘଟଣା ପରେ ଭାରତ କଳା ସାଗର ଅଞ୍ଚଳରେ ବାଣିଜ୍ୟିକ ଜାହାଜଗୁଡ଼ିକୁ ଟାର୍ଗେଟ୍ କରାଯିବା ଘଟଣାର ନିନ୍ଦା କରିଥିଲା। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେବା ଅବସରରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଥିଲେ ଯେ, ଏଭଳି ଆକ୍ରମଣ ସାମୁଦ୍ରିକ ବାଣିଜ୍ୟ ପାଇଁ ବିପଦ ସୃଷ୍ଟି କରିବା ସହ ସମୁଦ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ଜୀବନକୁ ବିପଦରେ ପକାଉଛି।
ସେ କହିଥିଲେ ଯେ, ଜାହାଜରେ ତିନି ଜଣ ଭାରତୀୟ ନାଗରିକ ଥିଲେ। ସମସ୍ତେ ସୁରକ୍ଷିତ ଅଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ଜଣେ ଆହତ ହୋଇଥିଲେ ଏବଂ ତାଙ୍କର ଚିକିତ୍ସା ଚାଲିଥିଲା। ଏହି ଘଟଣାରେ ସହାୟତା ପାଇଁ ଜୟସ୍ୱାଲ ରୋମାନିଆର ଅଧିକାରୀମାନଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ।
ଏହାସହ ଅଞ୍ଚଳରେ ଉତ୍ତେଜନା ହ୍ରାସ, ଶାନ୍ତି ପ୍ରତିଷ୍ଠା ଏବଂ ବିବାଦର ସମାଧାନ ପାଇଁ ଆଲୋଚନା ଓ କୂଟନୀତିର ପଥ ଆପଣାଇବାକୁ ଭାରତ ପୁଣିଥରେ ଆହ୍ୱାନ ଦେଇଛି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା