


— ମଧ୍ୟରାତ୍ରି ପରଠାରୁ ଗୁଞ୍ଜରିତ ହେଉଛି ‘ସାଞ୍ଚେ ଦରବାର କି ଜୟ’ ଧ୍ୱନି
ସୂର୍ଯ୍ୟଙ୍କ ପ୍ରଥମ କିରଣର ରକ୍ତିମ ଆଭା ସହ ଦେବୀଙ୍କ ଜୟଧ୍ୱନି ଏବଂ ଘଣ୍ଟଘଣ୍ଟାର ଶବ୍ଦରେ ସମଗ୍ର ପରିବେଶ ଆଧ୍ୟାତ୍ମିକ ହୋଇଉଠିଛି।
ବାରାଣସୀ, ୧୧ ଅକ୍ଟୋବର (ହି.ସ.)। ଶାରଦୀୟ ନବରାତ୍ରିର ପ୍ରଥମ ଦିନ ରବିବାରଠାରୁ କାଶୀପୁରାଧିପତି ବାବା ବିଶ୍ୱନାଥଙ୍କ ନଗରୀ ଦେବୀମୟ ହୋଇଉଠିଛି। ସନାତନୀ ଶ୍ରଦ୍ଧାଳୁମାନେ ଶକ୍ତି ଆରାଧନାରେ ଲୀନ ରହିଛନ୍ତି। ନବରାତ୍ରିର ପରମ୍ପରା ଅନୁଯାୟୀ, ଶ୍ରଦ୍ଧାଳୁମାନେ ଅଲଇପୁରସ୍ଥିତ ଆଦିଶକ୍ତି ମା’ ଶୈଳପୁତ୍ରୀଙ୍କ ଦରବାରରେ ଉପସ୍ଥିତ ହୋଇ ଦର୍ଶନ କରିଛନ୍ତି। ମା’ଙ୍କ ଦିବ୍ୟ ବିଗ୍ରହର ଦର୍ଶନ ଓ ପୂଜାର୍ଚ୍ଚନା କରି ଭକ୍ତମାନେ ଆନନ୍ଦିତ ହୋଇଛନ୍ତି।
ରାତି ୩ଟା ପରଠାରୁ ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଶ୍ରଦ୍ଧାଳୁଙ୍କ ଆଗମନ ଆରମ୍ଭ ହୋଇଯାଇଥିଲା। ବ୍ୟାରିକେଡ୍ରେ ଧାଡ଼ିବାନ୍ଧି ଠିଆ ହୋଇଥିବା ଭକ୍ତମାନେ ମା’ଙ୍କ ପ୍ରତି ନିଜର ଅଗାଢ଼ ଶ୍ରଦ୍ଧାଭାବ ପ୍ରକାଶ କରୁଥିଲେ। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଧାଡ଼ିରେ ଠିଆ ହୋଇଥିବା ଶ୍ରଦ୍ଧାଳୁମାନେ ଆକାଶଭେଦୀ ଜୟଧ୍ୱନି ଦେଇ ନିଜ ପାଳିକୁ ଅପେକ୍ଷା କରିଥିଲେ।
ମହିଳା ଶ୍ରଦ୍ଧାଳୁମାନେ ମା’ଙ୍କ ଦରବାରରେ ସନ୍ତାନସନ୍ତତିଙ୍କ ବୃଦ୍ଧି, ସୁଖ-ସମୃଦ୍ଧି ଏବଂ ଅଖଣ୍ଡ ସୌଭାଗ୍ୟ କାମନା କରୁଥିଲେ। ମନ୍ଦିରକୁ ଆସିଥିବା ମହିଳା ଭକ୍ତଙ୍କ ଭିଡ଼ ଯୋଗୁଁ ଆଖପାଖ ଅଞ୍ଚଳରେ ମେଳା ଭଳି ପରିବେଶ ସୃଷ୍ଟି ହୋଇଥିଲା। ମନ୍ଦିର ନିକଟରେ ପୂଜା ସାମଗ୍ରୀ, ନଡ଼ିଆ, ଚୁନରି ଓ ମନ୍ଦାର ଫୁଲର ଅସ୍ଥାୟୀ ଦୋକାନଗୁଡ଼ିକରେ ପୂଜା ସାମଗ୍ରୀ କିଣିବା ପାଇଁ ମହିଳାମାନଙ୍କ ଭିଡ଼ ଜମିଥିଲା।
ଏହି ସମୟରେ ମନ୍ଦିର ପରିସର ଓ ଏହାର ଆଖପାଖ ଅଞ୍ଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସ୍ଥାନୀୟ ଥାନା ଅଧିକାରୀଙ୍କ ସହ କାଶୀ ଜୋନ୍ର ଏଡିସିପି ବୈଭବ ବାଙ୍ଗର ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବା ସହ ମନ୍ଦିର ଅଞ୍ଚଳରେ ଉପସ୍ଥିତ ରହିଥିଲେ।
ଉଲ୍ଲେଖଯୋଗ୍ୟ, ଶାରଦୀୟ ନବରାତ୍ରିର ପ୍ରଥମ ଦିନରେ ମା’ ଦୁର୍ଗାଙ୍କ ପ୍ରଥମ ସ୍ୱରୂପ ମା’ ଶୈଳପୁତ୍ରୀଙ୍କ ଦର୍ଶନ କରିବାର ବିଶେଷ ମହତ୍ତ୍ୱ ରହିଛି। ପର୍ବତରାଜ ହିମାଳୟଙ୍କ ଘରେ କନ୍ୟା ରୂପେ ଜନ୍ମ ନେଇଥିବାରୁ ତାଙ୍କ ନାମ ଶୈଳପୁତ୍ରୀ ହୋଇଥିଲା। ପର୍ବତରାଜ ହିମାଳୟ ଶକ୍ତି, ଦୃଢ଼ତା, ଆଧାର ଓ ସ୍ଥିରତାର ପ୍ରତୀକ। ମା’ ଶୈଳପୁତ୍ରୀଙ୍କୁ ଅଖଣ୍ଡ ସୌଭାଗ୍ୟର ପ୍ରତୀକ ଭାବେ ମଧ୍ୟ ଗ୍ରହଣ କରାଯାଏ।
ଧାର୍ମିକ ବିଶ୍ୱାସ ଅନୁଯାୟୀ, ଦେବାସୁର ସଂଗ୍ରାମରେ ପ୍ରଥମ ଦିନ ମା’ ଦୁର୍ଗା ଶୈଳପୁତ୍ରୀଙ୍କ ରୂପ ଧାରଣ କରି ଅସୁରମାନଙ୍କ ସଂହାର କରିଥିଲେ। ଦେବୀଙ୍କ ବାହନ ବୃଷଭ ଏବଂ ତାଙ୍କ ଡାହାଣ ହାତରେ ତ୍ରିଶୂଳ ଓ ବାମ ହାତରେ ପଦ୍ମ ଶୋଭା ପାଉଛି।
ପୂର୍ବ ଜନ୍ମରେ ସେ ପ୍ରଜାପତି ଦକ୍ଷଙ୍କ କନ୍ୟା ରୂପେ ଜନ୍ମ ନେଇଥିଲେ ଏବଂ ତାଙ୍କ ନାମ ସତୀ ଥିଲା। ତାଙ୍କର ବିବାହ ଭଗବାନ ଶଙ୍କରଙ୍କ ସହ ହୋଇଥିଲା। ଥରେ ସେ ନିଜ ପିତାଙ୍କ ଯଜ୍ଞକୁ ଯାଇଥିବାବେଳେ ସେଠାରେ ସ୍ୱାମୀ ଭଗବାନ ଶଙ୍କରଙ୍କ ଅପମାନ ସହ୍ୟ କରିପାରି ନଥିଲେ। ଏହାପରେ ସେ ସେହିଠାରେ ଯୋଗାଗ୍ନିରେ ନିଜ ଶରୀରକୁ ଭସ୍ମ କରିଦେଇଥିଲେ।
ପରବର୍ତ୍ତୀ ଜନ୍ମରେ ସେ ଶୈଳରାଜ ହିମାଳୟଙ୍କ କନ୍ୟା ରୂପେ ଜନ୍ମ ନେଇଥିଲେ ଏବଂ ଶୈଳପୁତ୍ରୀ ନାମରେ ପୂଜନୀୟ ଓ ବନ୍ଦନୀୟ ହୋଇଥିଲେ। ଏହି ଜନ୍ମରେ ମଧ୍ୟ ମା’ ଶୈଳପୁତ୍ରୀ ମହାଦେବଙ୍କ ଅର୍ଦ୍ଧାଙ୍ଗିନୀ ହୋଇଥିଲେ।
ଆଦିଶକ୍ତି ମା’ ଶୈଳପୁତ୍ରୀ ଅସୀମ ଶକ୍ତିର ଅଧିକାରିଣୀ। ଯୋଗୀ ଓ ଶ୍ରେଷ୍ଠ ସାଧକମାନେ ନବରାତ୍ରିର ପ୍ରଥମ ଦିନରେ ମା’ଙ୍କ ଏହି ସ୍ୱରୂପର ଉପାସନା କରନ୍ତି। ଏହି ଦିନଠାରୁ ହିଁ ସେମାନଙ୍କର ଯୋଗ ସାଧନା ଆରମ୍ଭ ହୋଇଥାଏ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା