ଏବିଇଓ ଜୟଦେବ ଜେନାଙ୍କ ଠିକଣାରେ ଭିଜିଲାନ୍ସ ଚଢ଼ାଉ, ୩ଟି ବହୁତଳ କୋଠା ଓ ୧୯ଟି ପ୍ଲଟ୍ ଠାବ
ଭୁବନେଶ୍ୱର, ୧୨ ଅକ୍ଟୋବର (ହି.ସ.)। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଯାଜପୁର ଜିଲ୍ଲା ଧର୍ମଶାଳାରେ କାର୍ଯ୍ୟରତ ସହକାରୀ ବ୍ଲକ୍ ଶିକ୍ଷା ଅଧିକାରୀ (ଏବିଇଓ) ଜୟଦେବ ଜେନାଙ୍କ ସହ ସମ୍ପୃକ୍ତ ୭ଟି ସ୍ଥାନରେ ସୋମବାର ଏକକାଳୀନ ଚଢ଼ାଉ ଆରମ୍ଭ କରିଛି ଓଡ଼ିଶା ଭିଜିଲାନ୍ସ। ଏପର୍ଯ୍ୟନ୍ତ ହୋଇଥିବ
ଜୟଦେବ ଜେନା


ଭୁବନେଶ୍ୱର, ୧୨ ଅକ୍ଟୋବର (ହି.ସ.)। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଯାଜପୁର ଜିଲ୍ଲା ଧର୍ମଶାଳାରେ କାର୍ଯ୍ୟରତ ସହକାରୀ ବ୍ଲକ୍ ଶିକ୍ଷା ଅଧିକାରୀ (ଏବିଇଓ) ଜୟଦେବ ଜେନାଙ୍କ ସହ ସମ୍ପୃକ୍ତ ୭ଟି ସ୍ଥାନରେ ସୋମବାର ଏକକାଳୀନ ଚଢ଼ାଉ ଆରମ୍ଭ କରିଛି ଓଡ଼ିଶା ଭିଜିଲାନ୍ସ। ଏପର୍ଯ୍ୟନ୍ତ ହୋଇଥିବା ତଲାସୀରୁ ୩ଟି ବହୁତଳ କୋଠା, ୧୯ଟି ମୂଲ୍ୟବାନ ପ୍ଲଟ୍ ଏବଂ ଗୋଟିଏ ଚାରିଚକିଆ ଗାଡ଼ି ସମେତ ଅନେକ ସମ୍ପତ୍ତିର ସନ୍ଧାନ ମିଳିଛି।

ଭିଜିଲାନ୍ସର ପୃଥକ୍ ପୃଥକ୍ ଟିମ୍ ଭୁବନେଶ୍ୱର, ଗଞ୍ଜାମ ଓ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ତଲାସୀ ଅଭିଯାନ ଚଳାଇଛନ୍ତି। ଏହି କାର୍ଯ୍ୟାନୁଷ୍ଠାନରେ ୩ ଜଣ ଅତିରିକ୍ତ ଏସ୍ପି, ୪ ଜଣ ଡିଏସ୍ପି, ୯ ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି। ବ୍ରହ୍ମପୁରସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ଙ୍କ ଦ୍ୱାରା ଜାରି ତଲାସୀ ୱାରେଣ୍ଟ ଆଧାରରେ ଏହି ଚଢ଼ାଉ କରାଯାଉଛି।

୩ଟି ବହୁତଳ କୋଠା ଠାବ

ଭିଜିଲାନ୍ସର ପ୍ରାଥମିକ ତଦନ୍ତରୁ ଜୟଦେବ ଜେନା ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ୩ଟି ବହୁତଳ କୋଠା ଥିବା ଜଣାପଡ଼ିଛି। ଏଥିମଧ୍ୟରେ ଭୁବନେଶ୍ୱରର ପାତ୍ରପଡ଼ାରେ ପ୍ରାୟ ୪,୩୦୦ ବର୍ଗଫୁଟ୍ ଅଞ୍ଚଳରେ ନିର୍ମିତ ଏକ ତିନିମହଲା ବିଶିଷ୍ଟ ବିଳାସପୂର୍ଣ୍ଣ କୋଠା ରହିଛି। ଏହା ବ୍ୟତୀତ ଗଞ୍ଜାମ ଜିଲ୍ଲାର ପି. ନୂଆଗାଁରେ ପ୍ରାୟ ୩,୮୫୦ ବର୍ଗଫୁଟ୍ ଅଞ୍ଚଳରେ ନିର୍ମିତ ଏକ ଦୁଇମହଲା କୋଠା ଏବଂ ସେହି ଅଞ୍ଚଳରେ ପ୍ରାୟ ୭,୧୦୦ ବର୍ଗଫୁଟ୍ ଅଞ୍ଚଳରେ ନିର୍ମିତ ଅନ୍ୟ ଏକ କୋଠାର ସନ୍ଧାନ ମିଳିଛି।

ଭିଜିଲାନ୍ସ ଅଧିକାରୀଙ୍କ ସୂଚନା ଅନୁସାରେ, ଭୁବନେଶ୍ୱର ବ୍ୟତୀତ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଓ କୋଦଳାରେ ମୋଟ ୧୯ଟି ମୂଲ୍ୟବାନ ପ୍ଲଟ୍ ଥିବା ଜଣାପଡ଼ିଛି। ଏହି କୋଠା ଓ ପ୍ଲଟ୍ଗୁଡ଼ିକର ମାପଚୁପ କରିବା ସହ ମୂଲ୍ୟ ଆକଳନ କରିବା ପ୍ରକ୍ରିୟା ଭିଜିଲାନ୍ସର ବୈଷୟିକ ଶାଖା ପକ୍ଷରୁ ଜାରି ରହିଛି।

ସୁନା ଅଳଙ୍କାର ଓ ନିବେଶର ଯାଞ୍ଚ

ତଲାସୀ ସମୟରେ ଗୋଟିଏ ଟାଟା ନେକ୍ସନ୍ କାର୍ ଓ ଦୁଇଟି ଦୁଇଚକିଆ ଯାନ ମଧ୍ୟ ମିଳିଛି। ଅଧିକାରୀମାନେ ସୁନା ଅଳଙ୍କାରର ଓଜନ କରୁଛନ୍ତି। ଏହା ସହିତ ବ୍ୟାଙ୍କ ଜମା, ଅନ୍ୟ ଆର୍ଥିକ ମାଧ୍ୟମରେ ହୋଇଥିବା ନିବେଶ ଏବଂ ଅନ୍ୟାନ୍ୟ ସମ୍ପତ୍ତି ସମ୍ପର୍କିତ ତଥ୍ୟ ମଧ୍ୟ ସଂଗ୍ରହ କରାଯାଉଛି।

୭ଟି ସ୍ଥାନରେ ଚାଲିଛି ତଲାସୀ

ଭିଜିଲାନ୍ସ ଟିମ୍ଗୁଡ଼ିକ ଭୁବନେଶ୍ୱରର ପାତ୍ରପଡ଼ାସ୍ଥିତ ତିନିମହଲା କୋଠା, ଗଞ୍ଜାମ ଜିଲ୍ଲାର ପି. ନୂଆଗାଁରେ ଥିବା ଦୁଇଟି କୋଠା, ଗଞ୍ଜାମର ବୁରୁଝରୀରେ ଜଣେ ସମ୍ପର୍କୀୟଙ୍କ ଘର ଏବଂ ଭୁବନେଶ୍ୱରର ଖଣ୍ଡଗିରିସ୍ଥିତ ଜନନୀ ବିହାରରେ ଅନ୍ୟ ଜଣେ ସମ୍ପର୍କୀୟଙ୍କ ଘରେ ତଲାସୀ ଚଳାଇଛନ୍ତି। ଏହାବ୍ୟତୀତ ଯାଜପୁର ଜିଲ୍ଲାର ଜାରକାଠାରେ ଥିବା ଭଡ଼ା ଘର ଏବଂ ସେଠାରେ ଜୟଦେବ ଜେନାଙ୍କ କାର୍ଯ୍ୟାଳୟ କକ୍ଷରେ ମଧ୍ୟ ତଲାସୀ କରାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande