ଅଙ୍ଗନବାଡି କର୍ମୀ ଓ ସହାୟିକା ମାନଙ୍କ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
ବଲାଙ୍ଗିର, ୧୨ ଅକ୍ଟୋବର (ହି.ସ.)- ଭାରତୀୟ ମଜଦୂର ସଂଘ ଅନୁବନ୍ଧିତ ଅଲ ଓଡିଶା ଅଙ୍ଗନବାଡି ଲେଡିଜ ୱାର୍କର୍ସ ଆସୋସିଏସନର ରାଜ୍ୟ କାର୍ଯ୍ୟ ସମିତି ନିଷ୍ପତି ଅନୁଯାୟୀ, ଅଙ୍ଗନବାଡି କର୍ମୀ ଓ ସହାୟିକା ମାନଙ୍କ ୧୦ ଦଫା ଦାବିକୁ ନେଇ ଆଜି ବଲାଙ୍ଗିର ଜିଲ୍ଲା ଅଙ୍ଗନବାଡି ଲେଡିଜ ୱାର୍କର୍ସ ଆସୋସିଏସନ ତରଫରୁ
ଅଙ୍ଗନବାଡି କର୍ମୀ ଓ ସହାୟିକା ମାନଙ୍କ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ


ବଲାଙ୍ଗିର, ୧୨ ଅକ୍ଟୋବର (ହି.ସ.)- ଭାରତୀୟ ମଜଦୂର ସଂଘ ଅନୁବନ୍ଧିତ ଅଲ ଓଡିଶା ଅଙ୍ଗନବାଡି ଲେଡିଜ ୱାର୍କର୍ସ ଆସୋସିଏସନର ରାଜ୍ୟ କାର୍ଯ୍ୟ ସମିତି ନିଷ୍ପତି ଅନୁଯାୟୀ, ଅଙ୍ଗନବାଡି କର୍ମୀ ଓ ସହାୟିକା ମାନଙ୍କ ୧୦ ଦଫା ଦାବିକୁ ନେଇ ଆଜି ବଲାଙ୍ଗିର ଜିଲ୍ଲା ଅଙ୍ଗନବାଡି ଲେଡିଜ ୱାର୍କର୍ସ ଆସୋସିଏସନ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଉକ୍ତ ସଭାରେ ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ଅଲ ଓଡିଶା ଅଙ୍ଗନବାଡି ଲେଡିଜ ୱାର୍କର୍ସ ଆସୋସିଏସନର ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀମତୀ କୁଞ୍ଜଲତା ଦାସ, କୋଷାଧ୍ୟକ୍ଷ ଶ୍ରୀମତୀ ମନ୍ଦାକିନୀ ପ୍ରଧାନ ଓ କାର୍ଯ୍ୟକାରିଣୀ ସଦସ୍ୟା ସୁଶ୍ରୀ ବନିତାଞ୍ଜଳି ଦାସଙ୍କ ସହ ଭାରତୀୟ ମଜଦୂର ସଂଘର ରାଜ୍ୟ ସଂଗଠନ ମନ୍ତ୍ରୀ ଲକ୍ଷ୍ମଣ ଦାସ, ରାଜ୍ୟ ସମ୍ପାଦକ ରଞ୍ଜନ କୁମାର ଦାସ (ଜିଲ୍ଲା ପ୍ରଭାରୀ), ସତ୍ୟବତ ପରିଡା, ଜିଲ୍ଲା ସଭାପତି ଅକ୍ଷୟ କୁମାର ରାଉତରାୟ, ସମ୍ପାଦକ ଅମରେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।

୧୦ ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା।

ଦାବିଗୁଡିକ ମଧ୍ୟରେ ସମନ୍ବିତ ଶିଶୁ ବିକାଶ ସେବା (ଆଇସିଡିଏସ) ପ୍ରକଳ୍ପକୁ ସ୍ଥାୟୀ କରାଯାଇ ଅଙ୍ଗନବାଡି କର୍ମୀ ଓ ସହାୟିକା ମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ କରାଯାଉ, ଯେ ପର୍ଯ୍ୟନ୍ତ କର୍ମଚାରୀ ମାନ୍ୟତା ପ୍ରଦାନ କରାଯାଇନାହିଁ ସେ ପର୍ଯ୍ୟନ୍ତ ଅଙ୍ଗନୱାଡି କର୍ମୀ ମାନଙ୍କୁ ଟ ୩୦,୦୦୦/- ଓ ସହାୟିକା ମାନଙ୍କୁ ଟ ୧୫,୦୦୦/- ପ୍ରଦାନ କରାଯାଉ। ୫୫ ବର୍ଷ ବା ତଦୁର୍ଦ୍ଧ୍ଵ ବୟସରେ କାର୍ଯ୍ୟ ଦକ୍ଷତା ସମୀକ୍ଷା ଆଳରେ ଅଙ୍ଗନବାଡି କର୍ମୀ ଓ ସହାୟିକା ମାନଙ୍କୁ କାର୍ଯ୍ୟରୁ ଛଟେଇ କରିବା ନିଷ୍ପତିକୁ ପ୍ରତ୍ୟାହାର କରିବା। ୬୦ ବର୍ଷ ପରେ ଅଙ୍ଗନବାଡି କର୍ମୀ ଓ ସହାୟିକା ମାନଙ୍କ ଦୁଇ ବର୍ଷ ସମ୍ପ୍ରସାରିତ ନିଯୁକ୍ତି ନେଇ ଉପୁଜିବା ଅନିଶ୍ଚିତତା ଦୂର କରିବା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଉ। ଇଣ୍ଟରନେଟ ୱାର୍କ ତଥା ଯାନ୍ତ୍ରିକ ତ୍ରୁଟି କାରଣରୁ ପୋଷଣ ଟ୍ରାକରରେ ଡାଟା ଏଣ୍ଟ୍ରି ବିଳମ୍ବ ହେଉଥିବା କାରଣରୁ କଟାଯାଉଥିବା ମାନଧନ ଫେରସ୍ତ ସହ ବିଗତ ତିନି ବର୍ଷ ଧରି ବକେୟା ଥିବା ୟୁନିଫର୍ମ ରାଶି, ମୋବାଇଲ ରିଚାର୍ଜ ଓ ନେଟ ପ୍ୟାକ ଖର୍ଚ୍ଚ ତୁରନ୍ତ ପ୍ରଦାନ କରିବା । ଅଙ୍ଗନବାଡି ସହାୟିକାରୁ କର୍ମୀ ପଦବୀକୁ ପଦୋନ୍ନତି ପାଇଁ ଧାର୍ଯ୍ୟ ୪୫ ବର୍ଷ ବୟସ ସୀମାକୁ ହଟାଇବା ସହ ନିୟମିତ ଭାବରେ କର୍ମୀ ମାନଙ୍କୁ ସୁପରଭାଇଜର ଭାବେ ପଦୋନ୍ନତି ପ୍ରଦାନ, ନିର୍ବାଚନୀ ପ୍ରତିଶୃତି ଅନୁଯାୟୀ ଅଙ୍ଗନବାଡି କର୍ମୀ ଓ ସହାୟିକା ମାନଙ୍କ ମାନଧନ ବୃଦ୍ଧି କରିବା। ବକେୟା ରହିଥିବା ମାତୃତ୍ବ ଓ ଅବସରକାଳୀନ ସହାୟତା ରାଶି ବିନା ବିଳମ୍ବରେ ପ୍ରଦାନ କରିବା ସହ ସମସ୍ତ ବ୍ଲକରେ ଏସ.ଏନ.ପି. ଓ ଏମ.ଏସ. ପି. ବାବଦରେ ଅର୍ଥ ତଥା ଚାଉଳ ନିୟମିତ ସଠିକ୍ ସମୟରେ ପ୍ରଦାନ କରାଯିବା ଆଦି ପ୍ରମୁଖ ଦାବି ଉପସ୍ଥାପନ କରାଯାଇଥିଲା ।

ଆଜିର ଏହି କାର୍ଯ୍ୟକ୍ରମକୁ ଅଙ୍ଗନବାଡ଼ି ଆସୋସିଏସନ ର ବଲାଙ୍ଗିର ଜିଲ୍ଲା ସମ୍ପାଦିକା ଶ୍ରୀମତୀ ବିଜୟା କୁମହାର ପରିଚାଳନା କରିଥିବା ବେଳେ କାର୍ଯ୍ୟକାରୀ ସଭାନେତ୍ରୀ ବିନୋଦିନୀ ପୁଟେଲ, ଜିଲ୍ଲା କୋଷାଧ୍ୟକ୍ଷା ସ୍ନିଗ୍ଧାଞ୍ଜଳି ନନ୍ଦ ଏହାକୁ ସଫଳ କରିବାରେ ସହଯୋଗ କରିଥିଲେ । ଏହି ସଭାରେ ବଲାଙ୍ଗିର ଜିଲ୍ଲାର ସମସ୍ତ ବ୍ଲକରୁ ପ୍ରାୟ ୧୦୦୦ରୁ ଉର୍ଦ୍ଧ୍ୱ କର୍ମୀ ଓ ସହାୟିକା ଯୋଗଦାନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande