
ଭୁବନେଶ୍ୱର, ୧୨ ଅକ୍ଟୋବର (ହି.ସ) - ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପ୍ରାର୍ଥୀଙ୍କୁ ବିଜୟ କରାଇବାକୁ ବିଜେପି ସରକାର ତାଙ୍କର ସରକାରୀ କଳ ଓ ବଳ ଲଗାଇ ଦେଇଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଇପ୍ସିତା ସାହୁ କହିଛନ୍ତି ଯେ, ବିଜେପି ସରକାର ରାଜ୍ୟର ଅଧିକାଂଶ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଏବିଭିପି ପରାଜୟକୁ ନେଇ ଭୟଭିତ ହୋଇଛନ୍ତି। ତେଣୁ ବିଜେପି ମନ୍ତ୍ରୀ, ବିଧାୟକ ଓ ସାଂସଦ ମାନେ ମହାବିଦ୍ୟାଳୟ କ୍ୟାମ୍ପସ ମଧ୍ୟକୁ ପ୍ରବେଶ କରି ରାଜନୈତିକ ହସ୍ତକ୍ଷେପ କରୁଛନ୍ତି । ରମାଦେବୀ ବିଶ୍ୱବିଦ୍ୟାଳୟରେ ଏହିପରି କାର୍ଯ୍ୟକଳାପ ନେଇ ଏକ ଅଡିଓ ଭାଇରାଲ ହୋଇଛି। ଯେଉଁଥିରେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଛାତ୍ର ସଂସଦ ନିର୍ବାଚନରେ ରମାଦେବୀ ବିଶ୍ୱବିଦ୍ୟାଳୟ ବିଜେପି ସରକାରଙ୍କ ଦଖଲ ନିହାତି ଭାବେ ମୁଖ୍ୟମନ୍ତ୍ରୀଙ୍କ ଆବଶ୍ୟକ। ସେଠାରେ ଏବିଭିପି ପ୍ରାର୍ଥୀଙ୍କୁ ଯେକୌଣସି ମୂଲ୍ୟରେ ବିଜୟ କରାଇ ନିଜ ଦଖଲ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି। ଯାହାକୁ ନେଇ ଛାତ୍ର ସଂସଦ ନିର୍ବାଚନରେ ରମାଦେବୀ ବିଶ୍ୱବିଦ୍ୟାଳୟ ପାଇଁ ଟଙ୍କାର ବର୍ଷା କରୁଛନ୍ତି ବୋଲି ରମାଦେବୀ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ସଞ୍ଜୟ ରାଉଳ କହିଥିବାର ଅଡିଓ ଭାଇରାଲ ହେଉଛି । ଛାତ୍ର ସଂସଦ ନିର୍ବାଚନ ବିଜୟ ପାଇଁ ବିଜେପି ସରକାର କୂଳପତି ଓ ଅଧ୍ୟକ୍ଷ ମାନଙ୍କୁ ଫୋନ କରି ସପକ୍ଷରେ ଭୋଟ କରିବା ପାଇଁ ଲାଗି ପଡିଛନ୍ତି । ପରାଜୟ ଭୟରେ ବିଜେପି ହିଂସାକୁ ପ୍ରୋତ୍ସାହିତ କରିଛି। ଶିକ୍ଷକ ଓ ସରକାରୀ କର୍ମଚାରୀ ମାନଙ୍କୁ ବ୍ୟବହାର କରି, ଭୋଟ ଚୋରି ଓ ପ୍ରାର୍ଥୀ ଚୋରି କରୁଛନ୍ତି। ଏବିଭିପି ଓ ବିଜେପି ଯୁବମୋର୍ଚ୍ଚାଙ୍କୁ ଜିତାଇବା ପାଇଁ ସରକାରୀକଳ ଓ ବଳ ଲାଗି ପଡିଛନ୍ତି ।ଯେଉଁଠି ବିସିଜେଡି ବିଜୟ ସମ୍ଭାବନା ରହିଛି ସେଠାରେ ସରକାରୀ କଳ ଓ ବଳ ଲଗାଇ ବିଜେପି ସରକାର ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଉଛନ୍ତି । ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଏବିଭିପି ପ୍ରାର୍ଥୀଙ୍କ ପାଇଁ ଅଧ୍ୟାପକ ଓ ଅଧ୍ୟାପିକା ମାନେ କ୍ୟାମ୍ପେନ କରୁଛନ୍ତି । ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ବିଜେପି ବିଧାୟକ ମାନସ ଦତ୍ତ ଓ ବିଧାୟକ ସିଦ୍ଧାନ୍ତ ମହାପାତ୍ର ଲିଙ୍ଗଡୋ କମିଶନଙ୍କ ନିୟମକୁ ଖୁଲମଖୁଲା ଭାବେ ଅବମାନନା କରିଛନ୍ତି ।
ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି ଯେ, ବିଜେପି ସରକାର ଛାତ୍ର ସଂସଦ ନିର୍ବାଚନକୁ ଅଗଣତାନ୍ତ୍ରିକ ଉପାୟରେ ବିଜୟ ହାସଲ କରିବା ପାଇଁ ଲାଗି ପଡ଼ିଛନ୍ତି। ଏମଏମଡିଆର, ପାଠ୍ୟପୁସ୍ତକରେ ତ୍ରୁଟି ଉପରେ ଜନରୋଷକୁ ଏଡ଼ାଇବା ପାଇଁ ରାଜ୍ୟ ସରକାର ଛାତ୍ର ସଂଘ ନିର୍ବାଚନ ଘୋଷଣା କରିଛନ୍ତି। ଓଡ଼ିଶା ବାସୀଙ୍କୁ ମୁହଁ ଦେଖାଇବା ପାଇଁ ବିଜେପି ସରକାରଙ୍କ ପାଖରେ ଆଉ ସାହସ ନାହିଁ। ଜେନ-ଜି ମାନେ ବିଜେପି ସରକାର ବିମୁଖ ହୋଇଛନ୍ତି। ଏହାକୁ ଏଡାଇ ଦେବାକୁ ଛାତ୍ର ସଂସଦ ନିର୍ବାଚନର ସାହାରା ନେଇଛନ୍ତି । ତେଣୁକରି ବିଜେପି ସରକାର ତରବରିଆ ଭାବେ ନିର୍ବାଚନ ଘୋଷଣା କରିଛନ୍ତି । ସହକାରୀ ପ୍ରଫେସର ଡକ୍ଟର ସଞ୍ଜୟ ରାଉଳଙ୍କୁ ନିଲମ୍ବିତ କରି ଉଚ୍ଚସ୍ତରୀୟ ତଦନ୍ତ ଆବଶ୍ୟକ । ବିଜେପି ସରକାର ପରାଜୟର ଭୟରେ ସମସ୍ତ କୁତ୍ସିତ ପନ୍ଥା ଅବଲମ୍ବନ କରୁଛନ୍ତି । ବିପୁଳ ପାଣ୍ଠି ଖର୍ଚ୍ଚ କରାଯାଉଛି ଏବଂ ଶାସକ ଦଳର ପ୍ରାର୍ଥୀଙ୍କୁ ସୁବିଧା ଦେବା ପାଇଁ ଅପରାଧୀ ମାନଙ୍କୁ ବ୍ୟବହାର କରାଯାଉଛି। ଏନେଇ ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ଛାତ୍ର ସଂସଦ ନିର୍ବାଚନରେ ଏହିପରି ରାଜନୀତିକ ହସ୍ତକ୍ଷେପ ଛାତ୍ର ନିର୍ବାଚନ ପାଇଁ ଏକ କଳା ଦିନ। ଯାହାକି ଅତି ନିନ୍ଦନୀୟ ବୋଲି ଡ. ମହାନ୍ତି କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା