
ଭୁବନେଶ୍ୱର, ୧୨ ଅକ୍ଟୋବର (ହି.ସ) - ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଓଡ଼ିଶା ହକି ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇ ଶିଖର ଛୁଇଁଥୁଲା କିନ୍ତୁ ବର୍ତମାନ ଡବଲ ଇଞ୍ଜିନ ସରକାରଙ୍କ ହକି ପ୍ରତି ଉଦାସୀନତା ମନୋଭାବ ଯୋଗୁଁ ପରିଚୟ ହରାଇବାରେ ଲାଗିଛି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି।
ସୋମବାର ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ତଥା ପୂର୍ବତନ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତ ବେହେରା କହିଛନ୍ତି ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ନିରନ୍ତର ପ୍ରୟାସ ଫଳରେ ହକିରେ ଓଡ଼ିଶା, ସମଗ୍ର ଭାରତରେ ଶିଖରରେ ପହଂଚିଥିଲା। ଓଡ଼ିଶାରେ ଦୁଇ ଥର ହକି ବିଶ୍ୱ କପ୍ ଆୟୋଜନ କରାଯାଇଥିଲା। ହକି ଖେଳର ଉନ୍ନତି ପାଇଁ ଓଡ଼ିଶାରେ ଅନ୍ତର୍ଜାତୀୟ ସ୍ତରର ନୂତନ ଷ୍ଟାଡିୟମ୍ ନିର୍ମାଣ କରିଥିଲେ। ଯାହା ପାଇଁ ଦେଶ ବିଦେଶରେ ଓଡ଼ିଶା ହକିର ନୂତନ ପରିଚୟ ହାସଲ କରିଥିଲା। କିନ୍ତୁ ବର୍ତମାନର ଡବଲ ଇଞ୍ଜିନ ସରକାରରେ ଗତ ଅଢେଇ ବର୍ଷ ମଧ୍ୟରେ ଓଡ଼ିଶା ହକି ନିଜ ପରିଚୟ ହରାଇଛି। ଓଡ଼ିଶାରେ ହକି ଏକ ଭାବନା। ତାହାକୁ ବିଜେପି ସରକାର ଭୁଲି ଯାଇଛନ୍ତି। ଗତ ଅକ୍ଟୋବର ୬ ତାରିଖରେ ହକି ଇଣ୍ଡିଆର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକ ପରେ ଓଡ଼ିଶା ହକି ସଂଘକୁ ହକି ଇଣ୍ଡିଆ ଆସୋସିଏସନ୍ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଯେଉଁଥରେ ପଚରାଯାଇଛି କାହିଁକି ଓଡ଼ିଶା ହକିର ମାନ୍ୟତା “ ସ୍ଥାୟୀ ସଦସ୍ୟ”ରୁ “ ସହଯୋଗୀ ସଦସ୍ୟ” କୁ ପୁନଃ ନବୀକରଣ କରିବା, ଜାତୀୟ ମହାସଂଘର ବାଇ-ଲ (ନିୟମାବଳୀ) ପାଳନରେ ଅବହେଳା ହୋଇଛି, ସ୍ଥାୟୀ ସଦସ୍ୟତାକୁ ସହଯୋଗୀ ସଦସ୍ୟତାକୁ ପରିବର୍ତନ କରିବା ଆଦି ପ୍ରସ୍ତାବ ରଖାଯାଇଛି । ଓଡ଼ିଶା ହକି ଯିଏ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ସାଉଁଟି ଥିବା ବେଳେ ଆଜି କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ବିଜେପି ସରକାରଙ୍କ ପାଇଁ ଓଡ଼ିଶା ଜାତୀୟ ସ୍ତରରେ ଲଜ୍ଜିତ ହେଉଛି । ବିଜେପି ସରକାରଙ୍କ ଚରମ ଅବହେଳା ଯୋଗୁଁ ଓଡ଼ିଶା ହକିକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ।
ଗଣମାଧ୍ୟମ ସଂଯୋଜକ ଡ.ଲେନିନ୍ ମହାନ୍ତି କହିଛନ୍ତି ଯେ, ଓଡ଼ିଶାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ମାନସିକତା ନାହିଁ । ଯେଉଁ ହକି ଖେଳ ପାଇଁ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ଗୌରବ ଅର୍ଜନ କରିଥିଲା। ଓଡ଼ିଶା ସବୁଠି ଆଦୃତ ହେଉଥିଲା। ବିଜେପି ସରକାରଙ୍କ ବିଫଳତା ଯୋଗୁଁ ସେ ପରିଚୟ ହରାଇଛି। ହକି ଖେଳ ଉତ୍ପତି ସ୍ଥଳୀ ଓଡ଼ିଶାକୁ ଯଦି ହକି ଇଣ୍ଡିଆର କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ, ତାହା ଅତି ନିନ୍ଦନୀୟ । ଏହା କଣ ଆମ ଓଡ଼ିଆ ନେଇ ଓଡ଼ିଆ ଗର୍ବିତ ହେଉଥିବା ବେଳେ ଆଜି କାରଣ ଦର୍ଶାଅ ନୋଟିସ ପାଇଁ ନିନ୍ଦିତ ହେଉଛି । ଡବଲ ଇଞ୍ଜିନ ସରକାର ପାଇଁ ଆଜି ପରିଚୟ ହରାଇବାକୁ ଯାଉଛି । ଏଥି ପାଇଁ ପ୍ରତିଟି ଓଡିଆ ଅପମାନିତ ହେଉଛନ୍ତି । ଏଥୁ ପ୍ରତି ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ପ୍ରଦାନ କରନ୍ତୁ ବୋଲି ଡ. ମହାନ୍ତି କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା