
ନୂଆଦିଲ୍ଲୀ, ୧୨ ଅକ୍ଟୋବର (ହି.ସ.)- ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେ.ଏନ୍.ୟୁ.) ର ବରଖାସ୍ତ ହୋଇଥିବା ପ୍ରଫେସର ତଥା କଂଗ୍ରେସ ସାଂସଦ ବିମୋଲ ଆକୋଇଜାମଙ୍କ ଦ୍ୱାରା ମହିଳା ଛାତ୍ରମାନଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗକୁ ନେଇ ଭାରତୀୟ ଜନତା ପାର୍ଟି (ବି.ଜେ.ପି.) ମହିଳା ମୋର୍ଚ୍ଚା ସୋମବାର ଦିନ ଦୀନଦୟାଲ ଉପାଧ୍ୟାୟ ମାର୍ଗରେ ଥିବା ରାଜ୍ୟ କଂଗ୍ରେସ ମୁଖ୍ୟାଳୟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛି । ଏହି ପ୍ରସଙ୍ଗରେ କଂଗ୍ରେସ ନେତୃତ୍ୱ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ବିକ୍ଷୋଭକାରୀ ମହିଳାମାନେ ଦାବି କରିଥିଲେ ।
କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରି ବିଜେପି ଦିଲ୍ଲୀ ଅଧ୍ୟକ୍ଷ ହର୍ଷ ମଲହୋତ୍ରା କହିଛନ୍ତି ଯେ, ଦିଲ୍ଲୀର ମହିଳାମାନେ ରାହୁଲଙ୍କୁ ପ୍ରଶ୍ନ ପଚାରିବାକୁ ଆସିଛନ୍ତି ଯେ, ମଣିପୁରର କଂଗ୍ରେସ ସାଂସଦ ବିମୋଲ ଆକୋଇଜାମଙ୍କ ବିରୋଧରେ ଜେଏନୟୁର ୧୧ ଜଣ ଛାତ୍ରୀ ଯୌନ ନିର୍ଯ୍ୟାତନା ଅଭିଯୋଗ କରିଛନ୍ତି । ବିଶ୍ୱବିଦ୍ୟାଳୟର ଏକ କମିଟି ଏହି ଅଭିଯୋଗକୁ ସତ୍ୟ ବୋଲି ଦର୍ଶାଇଥିଲା ଏବଂ ପରବର୍ତୀ ସମୟରେ ପ୍ରଫେସରଙ୍କୁ ଜେଏନୟୁରୁ ବହିଷ୍କାର କରାଯାଇଥିଲା ।
ମଲହୋତ୍ରା କହିଛନ୍ତି ଯେ, ଦିଲ୍ଲୀର ମହିଳାମାନେ କଂଗ୍ରେସକୁ ପଚାରିବାକୁ ଚାହୁଁଛନ୍ତି ଯେ ମହିଳାମାନଙ୍କ ଅପମାନ ପ୍ରସଙ୍ଗରେ ଦଳ କାହିଁକି ଚୁପ୍ ରହିଛି । ଏହି ପ୍ରସଙ୍ଗରେ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ନେତୃତ୍ୱ ଜବାବ ଦେବାକୁ ସେ ଦାବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ