ବନଖଣ୍ଡ ସ୍ତରୀୟ ଗଜସାଥୀ ପ୍ରଶିକ୍ଷଣ ଶିବିର
ଗୋପନୀୟ ସୂଚନାଦାତାଙ୍କୁ ମିଳିବ ପ୍ରୋତ୍ସାହନ ରାଶି- ଡିଏଫ୍ଓ ସମ୍ବଲପୁର, ୧୨ ଅକ୍ଟୋବର(ହି.ସ.) – ସମ୍ବଲପୁର ଜିଲ୍ଲା ବାମରା ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ଜମନକିରା ରେଞ୍ଜର ଭୋଜପୁର ସେକ୍ସନ ଠାରେ ବନ ବିଭାଗ ପକ୍ଷରୁ ଏକ ଦିବସୀୟ ବନଖଣ୍ଡ ସ୍ତରୀୟ ଗଜସାଥୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏ
ବନଖଣ୍ଡ ସ୍ତରୀୟ ଗଜସାଥୀ ପ୍ରଶିକ୍ଷଣ ଶିବିର


ଗୋପନୀୟ ସୂଚନାଦାତାଙ୍କୁ ମିଳିବ ପ୍ରୋତ୍ସାହନ ରାଶି- ଡିଏଫ୍ଓ

ସମ୍ବଲପୁର, ୧୨ ଅକ୍ଟୋବର(ହି.ସ.) – ସମ୍ବଲପୁର ଜିଲ୍ଲା ବାମରା ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ଜମନକିରା ରେଞ୍ଜର ଭୋଜପୁର ସେକ୍ସନ ଠାରେ ବନ ବିଭାଗ ପକ୍ଷରୁ ଏକ ଦିବସୀୟ ବନଖଣ୍ଡ ସ୍ତରୀୟ ଗଜସାଥୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବନ ବିଭାଗର ଅଧିକାରୀ ଓ କର୍ମଚାରୀ, ଗଜସାଥୀ, ସରପଂଚ, ସାମ୍ବାଦିକ ଏବଂ ସ୍ଥାନୀୟ ଅଂଚଳବାସୀ ଯୋଗ ଦେଇଥିଲେ।

ଜମନକିରା ରେଞ୍ଜର ଲେଖାରାଣୀ ମହାନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ବାମରା ବନ୍ୟପ୍ରାଣୀ ବନଖଣ୍ଡର ଡିଏଫ୍ଓ ବିକ୍ରମ ଦେବ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ମଣିଷ ଓ ହାତୀଙ୍କ ମଧ୍ୟରେ ସଂଘର୍ଷ ହ୍ରାସ କରିବା ସହ ଜନଜୀବନ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ଉପରେ ଆଲୋକପାତ କରିଥିଲେ।

ସେ କହିଥିଲେ ଯେ, ଅଂଚଳରେ ହାତୀଙ୍କ ଚଳପ୍ରଚଳ ରହୁଥିବାରୁ ଲୋକମାନେ ବିଶେଷ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ଭୋର ସକାଳ ଓ ସନ୍ଧ୍ୟା ସମୟରେ ଅଯଥା ଜଙ୍ଗଲ କିମ୍ବା ହାତୀ ଚଳପ୍ରଚଳ କରୁଥିବା ଅଂଚଳକୁ ଯିବାରୁ ନିବୃତ ରହିବା ସହ ହାତୀଙ୍କୁ ଦେଖିଲେ ସେମାନଙ୍କଠାରୁ ସୁରକ୍ଷିତ ଦୂରତା ବଜାୟ ରଖି ବନ ବିଭାଗକୁ ସୂଚନା ଦେବା ଉଚିତ। ଏହାଦ୍ୱାରା ହାତୀ ଆକ୍ରମଣଜନିତ ମୃତ୍ୟୁ ଓ ଅନ୍ୟାନ୍ୟ ଅଘଟଣକୁ ରୋକା ଯାଇପାରିବ। ଏଥିସହ ଶିକାରୀଙ୍କ ଗତିବିଧି, ବେଆଇନ ବିଦ୍ୟୁତ୍ ତାର ବିଛାଯିବା ଏବଂ ଖୋଲା କୂଅ ଭଳି ବିପଦ ସମ୍ପର୍କରେ ବନ ବିଭାଗକୁ ତୁରନ୍ତ ଖବର ଦେବାକୁ ସେ ଆହ୍ୱାନ ଦେଇଥିଲେ। ଏପରି ସୂଚନା ପ୍ରଦାନ କରୁଥିବା ବ୍ୟକ୍ତିଙ୍କ ପରିଚୟ ଗୋପନ ରଖାଯିବା ସହ ଯୋଗ୍ୟ କ୍ଷେତ୍ରରେ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି ଡିଏଫ୍ଓ କହିଥିଲେ। ସମ୍ମାନିତ ଅତିଥି ଏସିଏଫ୍ ଆଲୋକ ଷଡ଼ଙ୍ଗୀ ତାଙ୍କ ବ୍ୟକ୍ତବରେ ହାତୀ ଓ ମଣିଷର ସହାବସ୍ଥାନ ଉପରେ ଗୁରୁତ୍ୱ ଦେଇଥିଲେ। ହାତୀଙ୍କ ସ୍ୱଭାବ, ପାରିବାରିକ ଜୀବନ, ଗତିବିଧି ଏବଂ ବିଭିନ୍ନ ପରିସ୍ଥିତିରେ ସେମାନଙ୍କ ଆଚରଣ ସମ୍ପର୍କରେ ସେ ଉପସ୍ଥିତ ଲୋକଙ୍କୁ ବୁଝାଇଥିଲେ। ଏସିଏଫ୍ ରେଶମା ଲାକ୍ରା ମଣିଷ ଓ ହାତୀ ଉଭୟଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ଅଂଚଳରେ ଚଳପ୍ରଚଳ କରୁଥିବା ‘ରାଜୁ’ ହାତୀର ଉଦାହରଣ ଦେଇଥିଲେ। ବିକାଶ ନାମରେ ଜଙ୍ଗଲ ନଷ୍ଟ ନକରିବାକୁ ସେ ଆହ୍ୱାନ ଦେଇଥିଲେ। ଜଙ୍ଗଲ ଧ୍ୱଂସ ହେଲେ ହାତୀଙ୍କ ବାସସ୍ଥାନ ନଷ୍ଟ ହେବା ସହ ଅଂଚଳର ପରିବେଶ ଓ ଜୈବବିବିଧତା ଉପରେ ଏହାର ପ୍ରଭାବ ପଡ଼ିବ ବୋଲି ସେ କହିଥିଲେ।

ଅନ୍ୟତମ ଅତିଥି ଦୀପକ ମହାନନ୍ଦ ହାତୀଙ୍କ ପରିବେଶୀୟ ଗୁରୁତ୍ୱ ଏବଂ ସେମାନଙ୍କ ସୁରକ୍ଷାର ଆବଶ୍ୟକତା ସମ୍ପର୍କରେ ମତ ରଖିଥିଲେ। ଗୋଟିଏ ହାତୀ ଦୈନିକ ପ୍ରାୟ ଏକରୁ ଦେଢ଼ କ୍ୱିଂଟାଲ ଖାଦ୍ୟ ଖାଉଥିବା ସହ ବହୁ ପରିମାଣର ଜଳ ଆବଶ୍ୟକ କରୁଥିବା ସେ କହିଥିଲେ। ବାମରା ବନଖଣ୍ଡ ଅଧୀନରେ ପାଂଚଟି ରେଞ୍ଜ ରହିଥିବା ବେଳେ ହାତୀ ଓ ଜଙ୍ଗଲ ସୁରକ୍ଷା ପାଇଁ ୧୨୫ଟି ଗଜସାଥୀ ବନ ସୁରକ୍ଷା ସମିତି ଗଠନ କରାଯାଇଥିବା ସେ ସୂଚନା ଦେଇଥିଲେ। ହାତୀଙ୍କୁ ଜଙ୍ଗଲର ପରିବେଶ ସନ୍ତୁଳନ ରକ୍ଷାରେ ଏକ ଗୁରୁତ୍ୱପୂର୍ଣ୍ଣ ଜୀବ ଭାବେ ବର୍ଣ୍ଣନା କରିଥିଲେ। ବଡ଼ରମା ରେଞ୍ଜର ଗିରିଧାରୀ ପ୍ରଧାନ ଗଜସାଥୀ, ଗ୍ରାମବାସୀ ଓ ବନ ବିଭାଗର ମିଳିତ ସହଯୋଗରେ ହାତୀଙ୍କ ସୁରକ୍ଷା ଓ ମଣିଷ-ହାତୀ ସଂଘର୍ଷ ହ୍ରାସ କରାଯାଇପାରିବ ବୋଲି କହିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଫରେଷ୍ଟର ହେମନ୍ତ କୁମାର ମିଶ୍ର, ଶିଶିର ସାମଲଙ୍କ ସମେତ ବିଭିନ୍ନ ରେଞ୍ଜର ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ୱାଚରମାନେ ସହଯୋଗ କରିଥିଲେ। ଶେଷରେ ରେଞ୍ଜର ଲେଖାରାଣୀ ମହାନନ୍ଦ ଧନ୍ୟବାଦ ଅର୍ପଣ କରିବା ସହ ସଭା ସମାପନ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande