
Bhubaneswar, 12 ଅକ୍ଟୋବର (ହି.ସ.)
ଆଜି ଯେଉଁମାନେ କ୍ଷମତାରେ ଅଛନ୍ତି, ସେମାନେ କେବଳ ଶାସକ ସାଜି ନାହାଁନ୍ତି କି କେବଳ ରାଜନୀତି କରୁ ନାହାଁନ୍ତି। ବରଂ ସେମାନେ ଭାରତକୁ ଅନ୍ୟ ଏକ ଦିଗକୁ ନେଇଯିବା ପାଇଁ ପ୍ରଚ୍ଛନ୍ନ ଭାବରେ କାର୍ୟ୍ୟ କରୁଛନ୍ତି। ତାହା ହେଉଛି ଭାରତକୁ ହିନ୍ଦୁ ରାଷ୍ଟ୍ର ରୂପେ ଘୋଷଣା କରିବା। ହିନ୍ଦୁ ରାଷ୍ଟ୍ରର ଅର୍ଥ ହେଉଛି, ଭାରତରେ ବର୍ଣ୍ଣ ବ୍ୟବସ୍ଥା ପୁନଃ ସ୍ଥାପିତ ହେବ ଓ ଅନ୍ୟ ଧର୍ମାବଲମ୍ବୀ ସମୁଦାୟ ଦ୍ଵିତୀୟ ଶ୍ରେଣୀ ନାଗରିକ ଭାବରେ ଜୀବନ ଜିଇଁବେ। ସେମାନଙ୍କ ମତରେ ଗଣତନ୍ତ୍ର, ଧର୍ମନିରପେକ୍ଷତା ତଥା ସଂଘୀୟ ବ୍ୟବସ୍ଥା ହେଉଛି ଏକ ବିଦେଶୀ ଦର୍ଶନ, ଯାହାକୁ ହଟାଇବା ସେମାନଙ୍କର ଉଦ୍ଦେଶ୍ୟ । ଆଜି ଭାରତର ସମ୍ବିଧାନ ତାହାର ଜନତାଙ୍କୁ ନାଗରୀକ ଭାବରେ ଗ୍ରହଣ କରିଛି। ହେଲେ ହିନ୍ଦୁ ରାଷ୍ଟ୍ରରେ ସେମାନେ ନାଗରିକ ବଦଳରେ ପ୍ରଜା ଭାବରେ ବଞ୍ଚିବେ। ପ୍ରଜାମାନେ ଯେମିତି ରାଜାଙ୍କ ମର୍ଜିରେ ଜୀବନ ବଞ୍ଚନ୍ତି, ସେମିତି ଆଜିର ଶାସକ ନାଗରିକମାନଙ୍କୁ ସ୍ୱାବଲମ୍ବୀ କରିବା ବଦଳରେ ପ୍ରଜା ଭଳି ସେମାନଙ୍କୁ ଚାଉଳ ଟଙ୍କା ଦେଇ ସନ୍ତୁଷ୍ଟ କରିବାକୁ ପ୍ରୟାସ କରୁଛନ୍ତି। ଭାରତ ହେଉଛି ସେହି ଦେଶ, ଯେଉଁଠି ଜାତି ଧର୍ମ ଲିଙ୍ଗ ନିର୍ବିଶେଷରେ ସମସ୍ତ ସାବାଳକଙ୍କୁ ଭୋଟ ଦାନର ଅଧିକାର ଏକା ସାଙ୍ଗରେ ମିଳିଥିଲା। ହେଲେ ଆଜି ଭାରତର ନିର୍ବାଚନ କମିଶନଙ୍କ କାର୍ୟ୍ୟକଳାପକୁ ଦୃଷ୍ଟିରେ ରଖି ସ୍ଵିଡେନର ଭେରାଇଟିଜ ଅଫ ଡେମୋକ୍ରାସୀ ସଂସ୍ଥା ଏହାକୁ ନିର୍ବାଚନୀ ଏକଛତ୍ରବାଦ ବୋଲି ଅଭିହିତ କରିଛି ବୋଲି ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ୧୨୪ତମ ଓ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଓ ସର୍ବୋଦୟ ନେତା ବିପ୍ଲବୀ ମନମୋହନ ଚୌଧୁରୀଙ୍କ ୧୧୧ତମ ଜୟନ୍ତୀ ଅବସରରେ ଭାରତର ଗଣତନ୍ତ୍ରରୁ ଜଣତନ୍ତ୍ରକୁ ଯାତ୍ରା ଶୀର୍ଷକ ଆଲୋଚନା ସଭାରେ ପ୍ରଫେସର ପ୍ରଫେସର ବୀରେନ୍ଦ୍ର ନାୟକ ମୁଖ୍ୟ ବକ୍ତା ଭାବରେ ମତବ୍ୟକ୍ତ କରିଛନ୍ତି।
ଲୋକନାୟକ ଜୟପ୍ରକାଶ ଅନ୍ତର୍ଜାତୀୟ ଅଧ୍ୟୟନ ବିକାଶ କେନ୍ଦ୍ର, ଜୟପ୍ରକାଶ ଫାଉଣ୍ଡେସନ, ମନମୋହନ ଚୌଧୁରୀ ସ୍ମାରକ ଟ୍ରଷ୍ଟ, ଲୋହିଆ ଏକାଡ଼େମୀ ପକ୍ଷରୁ ମିଳିତ ଭାବରେ ଲୋହିଆ ଏକାଡ଼େମୀ ପରିସରରେ ପ୍ରାକ୍ତନ ମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ୟ୍ୟକ୍ରମରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଜ୍ୟ ସଭାପତି ଜଷ୍ଟିସ ମନୋରଞ୍ଜନ ମହାନ୍ତି, ଲୋହିଆ ଏକାଡ଼େମୀର ସମ୍ପାଦକ ଦେବପ୍ରସାଦ ରାୟ, ଲୋକଶକ୍ତି ଅଭିଯାନର ଲକ୍ଷ୍ମୀପ୍ରିୟା ମହାନ୍ତି, ଜୟପ୍ରକାଶ ଫାଉଣ୍ଡେସନର କାର୍ୟ୍ୟକାରୀ ସଭାପତି ପ୍ରଭାସ ସାମନ୍ତରାୟ, ପ୍ରସନ୍ନ ବିଶୋଇ, ଶୋଭନ କର, ପଞ୍ଚାନନ ପ୍ରଧାନ, ଶୁଭେନ୍ଦୁ କାନୁନଗୋ, ପ୍ରାକ୍ତନ ବିଧାୟକ ରାଧାକାନ୍ତ ସେଠୀ, ପ୍ରଫେସର ସ୍ୱାଧୀନ ପଟ୍ଟନାୟକ ପ୍ରମୁଖ ନିଜ ନିଜର ମତ ପ୍ରକାଶ କରିଥିଲେ। ଏହି ସଭାରେ ମନମୋହନ ଚୌଧୁରୀ ସ୍ମାରକ ଟ୍ରଷ୍ଟର ସମ୍ପାଦକ ଡାକ୍ତର ବିଶ୍ୱଜିତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉତ୍କଳ ସର୍ବୋଦୟ ମଣ୍ଡଳର ସଭାପତି ମିହିର ପ୍ରତାପ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆଜି ସକାଳେ ଲୋକନାୟକ ଜୟପ୍ରକାଶ ଅନ୍ତର୍ଜାତୀୟ ଅଧ୍ୟୟନ ବିକାଶ କେନ୍ଦ୍ର ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା