ଦୁର୍ଗାପୂଜା ପାଇଁ ଝାରସୁଗୁଡ଼ା ପୁଲିସର ବ୍ୟାପକ ସୁରକ୍ଷା ବ୍ୟବସ୍ଥା, ମୁତୟନ ହେବେ ପର୍ଯ୍ୟାପ୍ତ ପୁଲିସ କର୍ମଚାରୀ
Extensive security arrangements by Police for Durga Puja
ଦୁର୍ଗାପୂଜା ପାଇଁ ଝାରସୁଗୁଡ଼ା ପୁଲିସର ବ୍ୟାପକ ସୁରକ୍ଷା ବ୍ୟବସ୍ଥା, ମୁତୟନ ହେବେ ପର୍ଯ୍ୟାପ୍ତ ପୁଲିସ କର୍ମଚାରୀ


ଝାରସୁଗୁଡ଼ା, ୧୨ ଅକ୍ଟୋବର (ହି.ସ.)- ଆସନ୍ତା ଦୁର୍ଗାପୂଜାକୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ଝାରସୁଗୁଡ଼ା ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଚଳିତ ବର୍ଷ ଜିଲ୍ଲାରେ ମୋଟ ୮୨ଟି ଦୁର୍ଗାପୂଜା ମଣ୍ଡପ ସ୍ଥାପନ କରାଯିବ। ଏହି ଅବସରରେ ପ୍ରମୁଖ ପୂଜାମଣ୍ଡପ, ଜନଗହଳିପୂର୍ଣ୍ଣ ସ୍ଥାନ, ସମ୍ବେଦନଶୀଳ ଅଞ୍ଚଳ ଓ ଗୁରୁତ୍ୱପୂର୍ଣ୍ଣ ଛକଗୁଡ଼ିକରେ ପର୍ଯ୍ୟାପ୍ତ ପୁଲିସ କର୍ମଚାରୀ ମୁତୟନ କରାଯିବ।

ପୂଜା ସମୟରେ ଆଇନଶୃଙ୍ଖଳା ରକ୍ଷା, ଟ୍ରାଫିକ୍ ନିୟନ୍ତ୍ରଣ, ଭିଡ଼ ପରିଚାଳନା ଓ ମହିଳାଙ୍କ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ଏଥିସହ ପ୍ରତିମା ବିସର୍ଜନ ଶୋଭାଯାତ୍ରାକୁ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି। ପୂଜା ସମୟରେ ପୁଲିସ ପକ୍ଷରୁ ପାଦଚଲା ପାଟ୍ରୋଲିଂ, ମୋବାଇଲ୍ ପାଟ୍ରୋଲିଂ ଓ ନିରୀକ୍ଷଣକୁ ଜୋରଦାର କରାଯିବ। ପ୍ରମୁଖ ରାବଣପୋଡ଼ି ସ୍ଥଳ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଅଧିକ ଜନସମାଗମ ହେଉଥିବା ସ୍ଥାନଗୁଡ଼ିକ ଉପରେ ପୁଲିସର ସ୍ୱତନ୍ତ୍ର ନଜର ରହିବ। ମଦ୍ୟପାନ କରି ଗାଡ଼ି ଚଳାଇବା, ବେପରୁଆ ଗାଡ଼ି ଚାଳନା, ମହିଳାଙ୍କୁ ଅସଦାଚରଣ, ଅସାମାଜିକ କାର୍ଯ୍ୟକଳାପ ଓ ସାମ୍ପ୍ରଦାୟିକ ସଦ୍ଭାବ ନଷ୍ଟ କରିବାକୁ ଉଦ୍ୟମ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ପୂଜାକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ପୂଜା କମିଟି, ସ୍ଥାନୀୟ ପ୍ରଶାସନ ଓ ଅନ୍ୟ ସମ୍ପୃକ୍ତ ସଂସ୍ଥାଗୁଡ଼ିକ ସହ ପୁଲିସ ସମନ୍ୱୟ ରକ୍ଷା କରୁଛି। ପୂଜା କମିଟିଗୁଡ଼ିକୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା, ଭିଡ଼ ନିୟନ୍ତ୍ରଣ ଓ ପୁଲିସକୁ ସହଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

ଝାରସୁଗୁଡ଼ା ଏସପି ଜିଲ୍ଲାବାସୀଙ୍କୁ ଭକ୍ତି, ଶାନ୍ତି, ସଦ୍ଭାବ ଓ ଦାୟିତ୍ୱବୋଧ ସହ ଦୁର୍ଗାପୂଜା ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି। ଟ୍ରାଫିକ୍ ନିୟମ ଓ ପୁଲିସର ପରାମର୍ଶ ମାନିବା ସହ ଗୁଜବ ପ୍ରଚାରରୁ ଦୂରେଇ ରହିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ନଜରକୁ ଆସିଲେ ନିକଟସ୍ଥ ଥାନା କିମ୍ବା ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ୧୧୨ରେ ତୁରନ୍ତ ସୂଚନା ଦେବାକୁ କୁହାଯାଇଛି। ଜିଲ୍ଲାବାସୀଙ୍କ ପାଇଁ ଏକ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ଆନନ୍ଦମୟ ଦୁର୍ଗାପୂଜା ସୁନିଶ୍ଚିତ କରିବାକୁ ଝାରସୁଗୁଡ଼ା ଜିଲ୍ଲା ପୁଲିସ ପ୍ରତିବଦ୍ଧ ବୋଲି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande