ଆଞ୍ଚଳିକ କୃଷକ ସଂଗଠନର ସାଂଗଠନିକ ବୈଠକ : ଚାଷୀଙ୍କ ଦାବି ହାସଲ ପାଇଁ ଏକଜୁଟ ହେବାକୁ ଆହ୍ଵାନ
Farmers association meeting
ଆଞ୍ଚଳିକ କୃଷକ ସଂଗଠନର ସାଂଗଠନିକ ବୈଠକ : ଚାଷୀଙ୍କ ଦାବି ହାସଲ ପାଇଁ ଏକଜୁଟ ହେବାକୁ ଆହ୍ଵାନ


ଝାରସୁଗୁଡ଼ା, ୧୨ ଅକ୍ଟୋବର (ହି.ସ.)- ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ, ନ୍ୟାର୍ଯ୍ୟ ଦାବି ହାସଲ ଏବଂ କୃଷକ ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଛି ଆଞ୍ଚଳିକ କୃଷକ ସଂଗଠନ। ଚାଷୀଙ୍କ ସମସ୍ୟାଗୁଡ଼ିକୁ ସାମୂହିକ ଭାବେ ସରକାର ଓ ପ୍ରଶାସନ ନିକଟରେ ଉପସ୍ଥାପନ କରିବା ସହ ନିଜ ଅଧିକାର ପାଇଁ ଏକଜୁଟ ହୋଇ ସଂଗ୍ରାମ କରିବାକୁ ସଂଗଠନର ବୈଠକରେ ଆହ୍ୱାନ ଦିଆଯାଇଛି।

ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ ଅନ୍ତର୍ଗତ ଜାମଗାଁ ଗ୍ରାମ ପଞ୍ଚାୟତର ମା’ କାଳୀ ମନ୍ଦିର ପରିସରରେ ଆଞ୍ଚଳିକ କୃଷକ ସଂଗଠନ ପକ୍ଷରୁ ଏକ ସାଂଗଠନିକ ବୈଠକ ଗତକାଲି ଅନୁଷ୍ଠିତ ହୋଇଥିଲା। ଝାରସୁଗୁଡ଼ା ଜିଲ୍ଲା କୃଷକ ସଂଗଠନର ସଭାପତି ଦିଲ୍ଲୀପ କୁମାର ବଢ଼େଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକକୁ ମହେନ୍ଦ୍ର କୁମାର ସାଏ ପରିଚାଳନା କରିଥିଲେ। ପ୍ରାରମ୍ଭରେ ହିମାଂଶୁ ଭୂଷଣ ପ୍ରଧାନ ବୈଠକର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଉପସ୍ଥିତ ଚାଷୀମାନଙ୍କୁ ଅବଗତ କରାଇଥିଲେ।

ବୈଠକରେ ଚାଷୀମାନେ ନିଜ ନିଜ ଅଞ୍ଚଳରେ ଦେଖାଦେଉଥିବା କୃଷି ସମସ୍ୟା, ଧାନ ବିକ୍ରି ସମୟରେ ହେଉଥିବା ଅସୁବିଧା ଏବଂ ସଂଗଠନର ଆଗାମୀ କାର୍ଯ୍ୟପନ୍ଥା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଚାଷୀଙ୍କ ଦାବି ଓ ସମସ୍ୟାକୁ ବ୍ୟକ୍ତିଗତ ଭାବେ ନ ଉଠାଇ ସାମୂହିକ ଭାବେ ଉପସ୍ଥାପନ କରିବା ସହ ସଂଗଠନକୁ ଗ୍ରାମାଞ୍ଚଳରେ ଅଧିକ ସକ୍ରିୟ କରିବା ଉପରେ ମତପ୍ରକାଶ ପାଇଥିଲା।

ଏହି ଅବସରରେ ଜିଲ୍ଲା ସଭାପତି ଶ୍ରୀ ବଢ଼େଇ ଚାଷୀଙ୍କ ଏକତା ଓ ସଂଗଠନର ଦୃଢ଼ତା ଉପରେ ଗୁରୁତ୍ୱ ଦେଇଥିଲେ। ଚାଷୀମାନେ ନିଜ ଅଧିକାର ଓ ସ୍ୱାର୍ଥରକ୍ଷା ପାଇଁ ସଂଗଠିତ ହେବା ସହ ନିଜର ନ୍ୟାର୍ଯ୍ୟ ଦାବିଗୁଡ଼ିକୁ ସରକାର ଓ ପ୍ରଶାସନ ନିକଟରେ ଦୃଢ଼ତାର ସହ ଉପସ୍ଥାପନ କରିବା ଆବଶ୍ୟକ ବୋଲି ସେ କହିଥିଲେ। ବୈଠକରେ ଖରିଫ ଧାନ ବିକ୍ରି ପାଇଁ ପଞ୍ଜୀକରଣରେ ଏଗ୍ରିଷ୍ଟାକ୍ ନିୟମକୁ ବାଧ୍ୟତାମୂଳକ ନ କରିବା, ଧାନ ବିକ୍ରିରେ ପ୍ରଚଳିତ ଟୋକନ ବ୍ୟବସ୍ଥା ଉଚ୍ଛେଦ କରିବା ଏବଂ ପ୍ରଶାସନ ପକ୍ଷରୁ ତିନୋଟି ପର୍ଯ୍ୟାୟରେ ସ୍ୱତନ୍ତ୍ର ଭାବେ କ୍ରପ୍ କଟିଂ କରିବା ଆଦି ଦାବି ଉଠାଯାଇଥିଲା। ଏଥିସହ ପ୍ରତ୍ୟେକ ଚାଷୀଙ୍କ ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇଦେବା, ଧାନ ମଣ୍ଡିରେ କଟନି-ଛଟନି ବନ୍ଦ କରିବା ଏବଂ ଏକର ପ୍ରତି ଧାନ କ୍ରୟ ସୀମା ୧୩ କ୍ୱିଣ୍ଟାଲରୁ ୧୯ କ୍ୱିଣ୍ଟାଲକୁ ବୃଦ୍ଧି କରିବାକୁ ଚାଷୀମାନେ ଦାବି କରିଥିଲେ। ଚାଷୀଙ୍କ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସରକାର ଓ ପ୍ରଶାସନ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ସହ କୃଷକଙ୍କ ନ୍ୟାର୍ଯ୍ୟ ଦାବି ପ୍ରତି ଗୁରୁତ୍ୱ ଦେବାକୁ ବୈଠକରେ ମତପ୍ରକାଶ ପାଇଥିଲା।

ଏହି ବୈଠକରେ ଭଅଁରଖୋଲ, କଦମଡିହି, ସମରବଗା, ଜାମଗାଁ, କତରବଗା, ମଚିଦା, ପଲସଦା, ପଞ୍ଚଗାଁ, ଅତାବିରା ଓ ଭିକମପାଲି ପଞ୍ଚାୟତର ବହୁ ସଂଖ୍ୟକ ଚାଷୀ ଯୋଗଦେଇ ନିଜ ନିଜ ଅଞ୍ଚଳର ସମସ୍ୟା ଓ ସଂଗଠନର ଭବିଷ୍ୟତ କାର୍ଯ୍ୟଧାରା ସମ୍ପର୍କରେ ମତାମତ ରଖିଥିଲେ। ଶେଷରେ ମହେନ୍ଦ୍ର କୁମାର ସାଏ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande