
ନୂଆଦିଲ୍ଲୀ, ୧୨ ଅକ୍ଟୋବର (ହି.ସ.)- ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ସୋମବାର କହିଛନ୍ତି ଯେ ଭାରତ ବିଶ୍ୱର ଏକ ଅଗ୍ରଣୀ ଶକ୍ତି ହେବାକୁ ଚାହୁଁଛି, ଯାହାଦ୍ୱାରା କୌଣସି ଦେଶ ତା' ଉପରେ ଅନୁଚିତ ସର୍ତ ଲଦି ପାରିବ ନାହିଁ। ସେ ସମସ୍ତ ଦେଶର ସାର୍ବଭୌମତ୍ୱକୁ ସମ୍ମାନ ଦେବା ଏବଂ କୌଣସି ଦେଶର ସୀମା ଉଲ୍ଲଂଘନ ନ କରିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ।
ଜାତୀୟ ପ୍ରତିରକ୍ଷା ମହାବିଦ୍ୟାଳୟ (ଏନଡିସି)ର ୬୬ତମ ପାଠ୍ୟକ୍ରମର ଅଂଶଗ୍ରହଣକାରୀମାନଙ୍କୁ ସମ୍ବୋଧିତ କରି ରାଧାକୃଷ୍ଣନ କହିଥିଲେ ଯେ ଜାତୀୟ ରଣନୀତି ଏପରି ହେବା ଉଚିତ, ଯାହା ଦେଶର ଉଦ୍ଦେଶ୍ୟଗୁଡ଼ିକୁ ଠୋସ୍ କାର୍ଯ୍ୟ ଏବଂ ଫଳାଫଳରେ ପରିଣତ କରିପାରିବ। ଜାତୀୟ ମୂଲ୍ୟବୋଧ, ସ୍ୱାର୍ଥ ଏବଂ ଉଦ୍ଦେଶ୍ୟ ମଧ୍ୟରେ ସମନ୍ୱୟ ଦେଶର ସୁରକ୍ଷା ଓ ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ।
ଉପରାଷ୍ଟ୍ରପତି କହିଥିଲେ ଯେ ଭାରତର ଜାତୀୟ ସ୍ୱାର୍ଥ ଏହାର ସାମ୍ବିଧାନିକ ମୂଲ୍ୟବୋଧ- ସାର୍ବଭୌମତ୍ୱ, ଗଣତନ୍ତ୍ର, ଧର୍ମନିରପେକ୍ଷତା, ନ୍ୟାୟ, ସ୍ୱାଧୀନତା, ସମାନତା, ଭ୍ରାତୃତ୍ୱ ତଥା ରାଷ୍ଟ୍ରର ଏକତା ଓ ଅଖଣ୍ଡତା ସହ ଜଡ଼ିତ। ସେ ସାର୍ବଭୌମତ୍ୱ ଓ ଆଂଚଳିକ ଅଖଣ୍ଡତାର ସୁରକ୍ଷା, ଗଣତାନ୍ତ୍ରିକ ଓ ସଂଘୀୟ ବ୍ୟବସ୍ଥାକୁ ବଜାୟ ରଖିବା ତଥା ଦେଶର ରଣନୈତିକ, ରାଜନୈତିକ, ଆର୍ôଥକ ଓ ସାମରିକ ଉଦ୍ଦେଶ୍ୟଗୁଡ଼ିକୁ ଆଗକୁ ବଢ଼ାଇବାକୁ ପ୍ରମୁଖ ପ୍ରାଥମିକତା ମଧ୍ୟରେ ସାମିଲ କରିଥିଲେ।ରାଧାକୃଷ୍ଣନ ଭାରତର ସଭ୍ୟତାଗତ ଧାରଣା ‘ବସୁଧୈବ କୁଟୁମ୍ବକମ୍’ର ଉଲ୍ଲେଖ କରି କହିଥିଲେ ଯେ ଜାତୀୟ ମୂଲ୍ୟବୋଧ ବିଶ୍ୱ ସହ ଦେଶର ସମ୍ପର୍କକୁ ଦିଗଦର୍ଶନ ଦିଏ। ସେ କୋଭିଡ୍-୧୯ ମହାମାରୀ ସମୟରେ ଭାରତର ‘ଭ୍ୟାକ୍ସିନ୍ ମୈତ୍ରୀ’ ପଦକ୍ଷେପ, ବିପର୍ଯ୍ୟୟ ସମୟରେ ସହାୟତା ଏବଂ ଜଳବାୟୁ ପରିବର୍ତନର ମୁକାବିଲା ପାଇଁ ଅନ୍ତର୍ଜାତୀୟ ପ୍ରୟାସରେ ଦେଶର ଭୂମିକା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ।
ସେ କହିଥିଲେ ଯେ ଆତଙ୍କବାଦ, ସାଇବର ବିପଦ, ମହାମାରୀ, ଜଳବାୟୁ ପରିବର୍ତନ ଏବଂ ସୀମାପାର ଅପରାଧ ଭଳି ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ଅନ୍ତର୍ଜାତୀୟ ସହଯୋଗ ଆବଶ୍ୟକ। ଜାତୀୟ ସ୍ୱାର୍ଥର ସୁରକ୍ଷା ଏବଂ ସାଧାରଣ ବୈଶ୍ୱିକ ସ୍ୱାର୍ଥକୁ ଆଗକୁ ବଢ଼ାଇବା ପରସ୍ପରର ପରିପୂରକ ହୋଇପାରେ। ଏଥିପାଇଁ ଦେଶଗୁଡ଼ିକ ମଧ୍ୟରେ ସମନ୍ୱୟ, ସୂଚନାର ଆଦାନପ୍ରଦାନ ଏବଂ ପାରସ୍ପରିକ ବିଶ୍ୱାସ ଜରୁରୀ।
ଉପରାଷ୍ଟ୍ରପତି ବିକଶିତ ଭାରତ-୨୦୪୭କୁ ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ଲକ୍ଷ୍ୟ ବୋଲି କହି ଉଲ୍ଲେଖ କରିଥିଲେ ଯେ ଦୀର୍ଘକାଳୀନ ଦୃଷ୍ଟିକୋଣକୁ ଉପଲବ୍ଧ ସମ୍ବଳ ଏବଂ ଜାତୀୟ ପ୍ରାଥମିକତା ଅନୁଯାୟୀ ଗଢ଼ିବାକୁ ହେବ। ଜାତୀୟ ସୁରକ୍ଷାରେ ଦେଶର ସ୍ଥଳ ସୀମା, ବାୟୁସୀମା, ସାମୁଦ୍ରିକ ସ୍ୱାର୍ଥ ଏବଂ ସାଇବର କ୍ଷେତ୍ରର ସୁରକ୍ଷା ସହିତ ସ୍ଥାୟୀ ବିକାଶ ଓ ସମୃଦ୍ଧି ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବା ମଧ୍ୟ ସାମିଲ ଅଛି।ରାଧାକୃଷ୍ଣନ ବୈଶ୍ୱିକ ଦକ୍ଷିଣର ଦେଶଗୁଡ଼ିକ ସହ ସହଯୋଗ ବଢ଼ାଇବାର ଆବଶ୍ୟକତା ଉପରେ ଜୋର ଦେଇ କହିଥିଲେ ଯେ ପ୍ରତ୍ୟେକ ସାର୍ବଭୌମ ରାଷ୍ଟ୍ର ସମାନ, ତାହା ବଡ଼ ହେଉ କି ଛୋଟ। ସେ ପ୍ରଯୁକ୍ତିବିଦ୍ୟା, ବାଣିଜ୍ୟ, ସଂଯୋଗ, ଶିକ୍ଷା, ନବସୃଜନ ଏବଂ କ୍ଷମତା ନିର୍ମାଣ କ୍ଷେତ୍ରରେ ସହଯୋଗ ବଢ଼ାଇବାକୁ ଆହ୍ୱାନ କରିଥିଲେ। ସେ ବୈଶ୍ୱିକ ଦକ୍ଷିଣ ସମ୍ମୁଖୀନ ହେଉଥିବା ଏକ ବଡ଼ ଆହ୍ୱାନ ଭାବେ ଦୁର୍ନୀତିକୁ ଉଲ୍ଲେଖ କରି ଏହାର ଉଚ୍ଛେଦ ପାଇଁ ସାମୂହିକ ପ୍ରୟାସ କରିବାର ଆବଶ୍ୟକତା ମଧ୍ୟ ଦର୍ଶାଇଥିଲେ।
ଏନଡିସିର ୬୬ତମ ପାଠ୍ୟକ୍ରମରେ ଭାରତୀୟ ସଶସ୍ତ୍ର ବାହିନୀ, ସିଭିଲ୍ ସେବା, ପୋଲିସ ଏବଂ ଅନ୍ୟାନ୍ୟ ସରକାରୀ ସଂଗଠନର ଅଧିକାରୀମାନଙ୍କ ସହ ମିତ୍ର ଦେଶଗୁଡ଼ିକର ୪୧ ଜଣ ଅଧିକାରୀଙ୍କ ସମେତ ମୋଟ ୧୨୨ ଜଣ ଅଂଶଗ୍ରହଣକାରୀ ସାମିଲ ଅଛନ୍ତି ।
-----------
ହିନ୍ଦୁସ୍ଥାନ ସମାଚାର / ଗଗନ