ଲଖନପୁରରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ; ୭୧ଟି ଅଭିଯୋଗ ପଞ୍ଜୀକୃତ, ୭ଟିର ତୁରନ୍ତ ସମାଧାନ
Joint-public-grievance-hearing-Lakhanpur
ଲଖନପୁରରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ; ୭୧ଟି


ଝାରସୁଗୁଡା, ୧୨ ଅକ୍ଟୋବର (ହି.ସ.)- ଲଖନପୁର ବ୍ଲକ ମୁଖ୍ୟ କାର୍ଯ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ନାୟକ ଏବଂ ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗର ପ୍ରତ୍ୟକ୍ଷ ଶୁଣାଣି କରିଥିଲେ। ଏଥିସହ ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶକ୍ତି ପ୍ରସାଦ ପାଢ଼ୀ, ଡେପୁଟି ଏସପି ଏବଂ ସମସ୍ତ ଜିଲ୍ଲା ତଥା ବ୍ଲକସ୍ତରୀୟ ପଦାଧିକାରୀମାନେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଗ୍ରହଣ କରିଥିଲେ।

ଆଜିର ଏହି ଶୁଣାଣି ଶିବିରରେ ସମୁଦାୟ ୭୧ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ଏଥିମଧ୍ୟରୁ ୫୪ଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୧୭ଟି ସାମୂହିକ ସମସ୍ୟା ସମ୍ପର୍କିତ ଦରଖାସ୍ତ ରହିଥିଲା। ପ୍ରଶାସନ ପକ୍ଷରୁ ଘଟଣାସ୍ଥଳରେ ୭ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଜଣେ ହିତାଧିକାରୀଙ୍କୁ ଜିଲ୍ଲା ରେଡକ୍ରସ୍ ପାଣ୍ଠିରୁ ୧୦,୦୦୦ ଟଙ୍କାର ଆର୍ଥିକ ସହାୟତା ରାଶି ମଞ୍ଜୁର କରାଯାଇଥିଲା। ଶିବିରରେ ମୁଖ୍ୟତଃ ଜମି ପଟ୍ଟା ବଣ୍ଟନ, ପାନୀୟ ଜଳ ଯୋଗାଣ, ରାସ୍ତା ନିର୍ମାଣ, 'ସୁଭଦ୍ରା' ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କ ସମସ୍ୟା, ଧାନ ବିକ୍ରି ସମସ୍ୟା, ସାମାଜିକ ସୁରକ୍ଷା ପେନସନ, ବିଲ୍ ପ୍ରଦାନରେ ବିଳମ୍ବ ତଥା ଜମିଜମା ବିବାଦ ସମ୍ପର୍କିତ ଦାବିପତ୍ର ଦାଖଲ ହୋଇଥିଲା। ଜନସାଧାରଣଙ୍କ ସମସ୍ତ ଅଭିଯୋଗକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଯାଞ୍ଚ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande