ପୁରୀ ଜିଲ୍ଲା ପାଇଁ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ବଦଳିବ ଶ୍ରୀକ୍ଷେତ୍ରର ଚେହେରା: ବ୍ରିଜ୍, ବେଳାଭୂମି ଓ ମନ୍ଦିର ସୌନ୍ଦର୍ଯ୍ୟକରଣର ବ୍ଲୁ-ପ୍ରିଂଟପ୍ରସ୍ତୁତ ଶ୍ରୀ ଜଗନ୍ନାଥ ବିମାନବନ୍ଦର ଓ ରଘୁନନ୍ଦନ ପାଠାଗାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଆଲୋଚନା ଶ୍ରୀକ୍ଷେତ୍ରର ପ୍ରତ୍ୟେକ ବିକାଶ କାର୍ଯ୍ୟରେ ସ୍ଥାନୀୟ ସେବାୟତ ଓ ନାଗରିକଙ୍କୁ ମିଳିବ ପ୍ରାଥମିକତ
cm


ବଦଳିବ ଶ୍ରୀକ୍ଷେତ୍ରର ଚେହେରା: ବ୍ରିଜ୍, ବେଳାଭୂମି ଓ ମନ୍ଦିର ସୌନ୍ଦର୍ଯ୍ୟକରଣର ବ୍ଲୁ-ପ୍ରିଂଟପ୍ରସ୍ତୁତ

ଶ୍ରୀ ଜଗନ୍ନାଥ ବିମାନବନ୍ଦର ଓ ରଘୁନନ୍ଦନ ପାଠାଗାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଆଲୋଚନା

ଶ୍ରୀକ୍ଷେତ୍ରର ପ୍ରତ୍ୟେକ ବିକାଶ କାର୍ଯ୍ୟରେ ସ୍ଥାନୀୟ ସେବାୟତ ଓ ନାଗରିକଙ୍କୁ ମିଳିବ ପ୍ରାଥମିକତା

ଶ୍ରୀ ସେତୁ ନିକଟରେ ଥଇଥାନ ହେବେ ବଡଦାଣ୍ଡ ଉଠା ଦୋକାନୀ

ଭୁବନେଶ୍ୱର, ୧୨ ଅକ୍ଟୋବର (ହି.ସ) - ଲୋକସେବା ଭବନଠାରେ ସୋମବାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ପୁରୀ ଜିଲ୍ଲାର ବିଭିନ୍ନ ବିକାଶମୂଳକ ଓ ଭିତିଭୂମି ପ୍ରକଳ୍ପଗୁଡ଼ିକର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ପୁରୀକୁ ଏକ ବିଶ୍ୱସ୍ତରୀୟ ଐତିହ୍ୟ ଓ ପର୍ଯ୍ୟଟନ ସହର ଭାବେ ଗଢ଼ିତୋଳିବା ସହିତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନୀତିକାନ୍ତି ଏବଂ ସେବାୟତମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାର ସମସ୍ତ ପ୍ରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଥିବା ଏହି ବୈଠକରୁ ପ୍ରକାଶ ପାଇଛି।

ଏହି ସମୀକ୍ଷା ବୈଠକରେ ଶ୍ରୀ ଜଗନ୍ନାଥ ଆନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ କାର୍ଯ୍ୟ, ରଘୁନନ୍ଦନ ପାଠାଗାରର ପୁନଃନିର୍ମାଣ ଏବଂ ଶ୍ରୀ ଜଗନ୍ନାଥ ଇଣ୍ଟରପ୍ରିଟେସନ୍ ସେଣ୍ଟର ସ୍ଥାପନ କାର୍ଯ୍ୟକୁ ଦ୍ରୁତଗତିରେ ଆଗେଇ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ପର୍ଯ୍ୟଟକଙ୍କ ଆକର୍ଷଣ ପାଇଁ ନୂତନ ପ୍ରମୋଦ ଉଦ୍ୟାନ ନିର୍ମାଣ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିସହିତ ଶ୍ରୀ ଗୁଣ୍ଡିଚା ମନ୍ଦିରର ସର୍ବାଙ୍ଗୀନ ବିକାଶ ସହ ମହାପ୍ରସାଦ ରନ୍ଧନ ପାଇଁ ଏକ ସମ୍ପୂର୍ଣ୍ଣ ନୂତନ ରୋଷଶାଳା ନିର୍ମାଣ କରିବାକୁ ନିଷ୍ପତି ନିଆଯାଇଛି।

ଶ୍ରୀମନ୍ଦିର ବଡ଼ଦାଣ୍ଡରୁ ହଟାଯାଇଥିବା ଉଠା ଦୋକାନୀମାନଙ୍କୁ ଶ୍ରୀ ସେତୁ ନିକଟରେ ଜରୁରୀକାଳୀନ ଭିତିରେ ତୁରନ୍ତ ଥଇଥାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସାକ୍ଷୀଗୋପାଳର ପ୍ରସିଦ୍ଧ ଗୋପାଳଜୀଉ ମନ୍ଦିର, ଅତିବଡ଼ୀ ଜଗନ୍ନାଥ ଦାସଙ୍କ ସାତଲହଡ଼ି ମଠ ସମେତ ପୁରୀର ବିଭିନ୍ନ ପ୍ରସିଦ୍ଧ ମଠ ଏବଂ କାକଟପୁରର ମାଆ ମଙ୍ଗଳା ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ରାସ୍ତା ସଂଯୋଗୀକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ। ସତ୍ୟବାଦୀ ବନବିଦ୍ୟାଳୟକୁ ପୁରାତନ ଗୁରୁକୁଳ ଶିକ୍ଷା ପଦ୍ଧତି ଆଧାରରେ ପୁନରୁଦ୍ଧାର କରାଯିବା ସହ ବକୁଳବନର ପୁନରୁଦ୍ଧାର କରାଯାଉଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ଐତିହାସିକ ଅଠରନଳା ନିକଟରେ ଏକ ଆଇକନିକ୍ ହେରିଟେଜ୍ ବ୍ରିଜ୍?ର ପୁନଃନିର୍ମାଣ, ଅନ୍ନପୂର୍ଣ୍ଣା ଥିଏଟରର ପୁନଃବିକାଶ, ପୁରୀ ବେଳାଭୂମିର ସୌନ୍ଦର୍ଯ୍ୟକରଣ, ସନ୍ଧ୍ୟା ଆଳତି, ମହାପ୍ରଭୁଙ୍କ ସାଗର ବିଜେ' ନୀତିର ସୁପରିଚାଳନା ଏବଂ ସ୍ୱର୍ଗଦ୍ୱାରର ସାମଗ୍ରିକ ଉନ୍ନତିକରଣ ନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇଛି।

ଯୋଗାଯୋଗ ଓ ଭିତିଭୂମି କ୍ଷେତ୍ରରେ ପୁରୀରୁ ବ୍ରହ୍ମଗିରି, ପୁରୀରୁ କୋଣାର୍କ ଏବଂ ପୁରୀ-ଭୁବନେଶ୍ୱର ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ଉପରେ ବୈଠକରେ ଚର୍ଚ୍ଚା ହୋଇଥିଲା। ଏହାବ୍ୟତୀତ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ, ବ୍ଲୁ ଫ୍ଲାଗ୍ ବିଚ୍, ଅସ୍ତରଙ୍ଗ ବନ୍ଦର ଏବଂ କୋଣାର୍କ ମନ୍ଦିର ସଂଲଗ୍ନ ପ୍ରକଳ୍ପଗୁଡ଼ିକର ବିସ୍ତୃତ ସମୀକ୍ଷା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଜନସାଧାରଣ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଆରମ୍ଭ ହୋଇଥିବା ପ୍ରକଳ୍ପଗୁଡ଼ିକୁ କୌଣସି ଅବହେଳା ନକରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ହେବ।

ପୁରୀ ସହରର ଗୌରବ ଓ ସ୍ଥାନୀୟ ବାସିନ୍ଦାଙ୍କ ଜୀବନଜୀବିକାର ସୁରକ୍ଷାକୁ ନେଇ ମୁଖ୍ୟମନ୍ତ୍ରୀ ବିଶେଷ ସଂବେଦନଶୀଳତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ପୁରୀ କେବଳ ଏକ ଜିଲ୍ଲା ନୁହେଁ, ଏହା ସମଗ୍ର ଓଡ଼ିଶାର ଅସ୍ମିତା ଓ ବିଶ୍ୱର କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଆସ୍ଥାର କେନ୍ଦ୍ର। ତେଣୁ ଶ୍ରୀକ୍ଷେତ୍ରର ସମସ୍ତ ବିକାଶମୂଳକ ପ୍ରକଳ୍ପକୁ ବାସ୍ତବରେ ବିଶ୍ୱସ୍ତରୀୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହାସହିତ ସ୍ଥାନୀୟ ସେବାୟତ, ବ୍ୟବସାୟୀ ଏବଂ ଆବାସିକ ନାଗରିକଙ୍କ ଆବଶ୍ୟକତାକୁ ପ୍ରାଥମିକତା ଦେଇ ପ୍ରକଳ୍ପ ଗୁଡିକ କାର୍ଯ୍ୟକାରୀ ହେବ, ସେଥିପ୍ରତି ପ୍ରଶାସନ ସଜାଗ ରହିବା ଜରୁରୀ। ପ୍ରତ୍ୟେକଟି ଯୋଜନାର ଶେଷ ଫଳପ୍ରଦତା ସାଧାରଣ ଜନତାଙ୍କ ପାଖରେ ପହଂଚିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ସଂପୃକ୍ତ ଅଧିକାରୀମାନଙ୍କୁ ସ୍ପଷ୍ଟ ସୂଚନା ଦେଇଛନ୍ତି ଯେ ପ୍ରକଳ୍ପ କାର୍ଯ୍ୟକାରିତାରେ କୌଣସି ପ୍ରକାରର ଅବହେଳା, ବିଳମ୍ବ କିମ୍ବା ଅନିୟମିତତାକୁ ଆଦୌ ସହ୍ୟ କରାଯିବ ନାହିଁ। ସମସ୍ତ ବିଭାଗୀୟ ଅଫିସର, ଜିଲ୍ଲାପାଳ ଓ ଏସ.ପି.ଙ୍କୁ କ୍ଷେତ୍ରସ୍ତରରେ ନିଜେ ତଦାରଖ କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ ଯୋଜନାଗୁଡ଼ିକ ଯେପରି କେବଳ କାଗଜପତ୍ରରେ ସୀମିତ ନରହି ପ୍ରତ୍ୟକ୍ଷ ଭାବେ ପୁରୀବାସୀଙ୍କ ସାମାଜିକ, ଆର୍ôଥକ ଓ ସାଂସ୍କୃତିକ ଅଭିବୃଦ୍ଧିରେ ସହାୟକ ହେବ, ସେହି ନିଷ୍ଠା ଓ ଦାୟିତ୍ୱବୋଧର ସହ ସମସ୍ତଙ୍କୁ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ , ଉନ୍ନୟନ କମିଶନର ଶ୍ରୀ ଡି.କେ ସିଂହ , ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର , ପୁରୀ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା ଏବଂ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତୀକ ସିଂ ପ୍ରମୁଖ ଉପସ୍ଥିତ ରହି ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande