
ଝାରସୁଗୁଡ଼ା, ୧୨ଅକ୍ଟୋବର (ହି.ସ.) - ଅକ୍ଟୋବର ୨୦୨୬: ଝାରସୁଗୁଡ଼ାସ୍ଥିତ ବୀର ସୁରେନ୍ଦ୍ର ସାଏ (ଭିଏସ୍ଏସ୍) ବିମାନବନ୍ଦରର ବିକାଶ, ନୂତନ ବିମାନ ମାର୍ଗ ସଂଯୋଗ ଏବଂ ଯାତ୍ରୀଙ୍କ ସୁବିଧା ବୃଦ୍ଧି ନେଇ ସୋମବାର ବିମାନବନ୍ଦର ପରାମର୍ଶଦାତା କମିଟିର ବୈଠକ ଅନୁଷ୍ଠିତ ହୋଇଛି। ବରଗଡ଼ର ସାଂସଦ ପ୍ରଦୀପ ପୁରୋହିତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଝାରସୁଗୁଡ଼ାର ମାନ୍ୟବର ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ସମେତ ଜିଲ୍ଲା ପ୍ରଶାସନର ଅଧିକାରୀ, ବିମାନ ସେବା ସଂସ୍ଥାର ପ୍ରତିନିଧି ଓ ବିଭିନ୍ନ ବିଭାଗର ପ୍ରମୁଖ ଅଂଶୀଦାରମାନେ ଯୋଗ ଦେଇଥିଲେ।
ବୈଠକରେ ବିମାନବନ୍ଦରର ବର୍ତମାନର ପରିଚାଳନା ବ୍ୟବସ୍ଥା, ଯାତ୍ରୀଙ୍କ ଆବଶ୍ୟକତା ଏବଂ ଆଂଚଳିକ ବିମାନ ସଂଯୋଗ କ୍ଷେତ୍ରରେ ରହିଥିବା ସମସ୍ୟାଗୁଡ଼ିକ ଉପରେ ସମୀକ୍ଷା କରାଯାଇଥିଲା। ବର୍ତମାନ ଇଣ୍ଡିଗୋ ପକ୍ଷରୁ ଦିଲ୍ଲୀ, କୋଲକାତା ଓ ବେଙ୍ଗାଲୁରୁକୁ ଏବଂ ଷ୍ଟାର୍ ଏୟାର ପକ୍ଷରୁ ଭୁବନେଶ୍ୱରକୁ ବିମାନ ସେବା ଉପଲବ୍ଧ ରହିଛି। ପଶ୍ଚିମ ଓଡ଼ିଶାର ଶିଳ୍ପ, ବାଣିଜ୍ୟ ଓ ପର୍ଯ୍ୟଟନ କ୍ଷେତ୍ରରେ ଭିଏସ୍ଏସ୍ ବିମାନବନ୍ଦରର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଅଧିକ ବିମାନ ମାର୍ଗ ଆରମ୍ଭ କରିବା ଉପରେ ଆଲୋଚନା ହୋଇଥିଲା।
ଏଥିସହ ବିମାନବନ୍ଦରର ଭିତିଭୂମିର ଉନ୍ନତିକରଣ, ବିମାନ ମାଧ୍ୟମରେ ମାଲ ପରିବହନ ବା ଏୟାର କାର୍ଗୋ ସୁବିଧାର ସମ୍ଭାବନା, ପରିଚ୍ଛନ୍ନତା ଓ ଯାତ୍ରୀଙ୍କ ପାଇଁ ଆବଶ୍ୟକ ସୁବିଧା ବୃଦ୍ଧି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ବିଭିନ୍ନ ବିଭାଗ ମଧ୍ୟରେ ଉତମ ସମନ୍ୱୟ ରକ୍ଷା କରି ଆଂଚଳିକ ଶିଳ୍ପ ଓ ପର୍ଯ୍ୟଟନର ବିକାଶକୁ ତ୍ୱରାନ୍ୱିତ କରିବା ନେଇ ମତ ପ୍ରକାଶ ପାଇଥିଲା।
ବୈଠକରେ ଅଂଶଗ୍ରହଣକାରୀଙ୍କ ମତାମତ ଓ ପ୍ରସ୍ତାବକୁ ଗୁରୁତ୍ୱ ଦେଇ ବିମାନବନ୍ଦରରେ ଉନ୍ନତ ସେବା, ସ୍ୱଚ୍ଛତା ଓ ଯାତ୍ରୀ ଅନୁକୂଳ ପରିବେଶ ସୁନିଶ୍ଚିତ କରିବା ଉପରେ କମିଟି ଗୁରୁତ୍ୱାରୋପ କରିଥିଲା। ଭବିଷ୍ୟତରେ ଭିଏସ୍ଏସ୍ ବିମାନବନ୍ଦରକୁ ଏକ ସୁଦୃଢ଼ ଓ ଅଧିକ ସଂଯୋଗକ୍ଷମ ପରିବହନ କେନ୍ଦ୍ର ଭାବେ ବିକଶିତ କରି ପଶ୍ଚିମ ଓଡ଼ିଶାର ଆର୍ôଥକ ପ୍ରଗତିକୁ ସହାୟତା କରିବା ଏହି ବୈଠକର ମୁଖ୍ୟ ଲକ୍ଷ୍ୟ ରହିଥିଲା।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ