




ସମ୍ବଲପୁର, ୧୨, ଅକ୍ଟୋବର (ହି.ସ.) - ସମ୍ବଲପୁର ଡାକ ବିଭାଗର ଆଂଚଳିକ କାର୍ଯ୍ୟାଳୟ ଠାରେ ସମ୍ବଲପୁର ଡାକ ମଣ୍ଡଳ ପକ୍ଷରୁ ଆସନ୍ତା ନଭେମ୍ବର ୧୩ ଓ ୧୪ ତାରିଖ ଦିନ ଆୟୋଜିତ ହେବାକୁ ଥିବା ଚତୁର୍ଥ ଜିଲ୍ଲା ସ୍ତରୀୟ ଡାକ ଟିକଟ ପ୍ରଦର୍ଶନୀ ସମ୍ବଲପେକ୍ସ -୨୦୨୬ ପ୍ରଦର୍ଶନୀ ସମ୍ବଲପୁର ବୁଢାରଜା ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ହେବ । ଏହାକୁ ନେଇ ଆଜି ଏକ ସାମ୍ବାଦିକ ସମ୍ବିଳନୀ ସମ୍ବଲପୁର ସ୍ଥିତ ଡାକ ବିଭାଗର ଆଂଚଳିକ କାର୍ଯ୍ୟାଳୟ ସଭାଗୃହ ରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଫିଲାଟେଲି ଦାୟିତ୍ୱରେ ଥିବା ଅଭିଷେକ ପୂଜାରୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଡାକ ସେବା ନିର୍ଦ୍ଦେଶକ ଏସ.କେ. ଠାକରେ, ଆଂଚଳିକ କାର୍ଯ୍ୟାଳୟର ସହକାରୀ ଡାକ ସେବା ନିର୍ଦ୍ଦେଶକ -୧ ସୁଜିତ କୁମାର ମହାରଣା, ସହକାରୀ ଡାକ ସେବା ନିର୍ଦ୍ଦେଶକ -୨ ସମରଜିତ୍ ନାୟକ, ସମ୍ବଲପୁର ଡାକ ମଣ୍ଡଳର ଡାକ ଅଧିକ୍ଷକ ସୁଶାନ୍ତ କୁମାର ପାଣିଗ୍ରାହୀ, ସହକାରୀ ଡାକ ଅଧିକ୍ଷକ ମୁଖ୍ୟାଳୟ ୟେରା ପୋଲାୟା ଓ ସହକାରୀ ଡାକ ଅଧିକ୍ଷକ ସରୋଜ ବସ୍ତି (ଓଡି ) ଏବଂ ବିଶିଷ୍ଟ ସଂଗ୍ରାହକ ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ସମ୍ବଲପୁର ଡାକ ମଣ୍ଡଳର ଅଧିକ୍ଷକ ଶ୍ରୀ ପାଣିଗ୍ରାହୀ ଏକ ସମ୍ବଲପେକ୍ସ -୨୦୨୬ ପ୍ରଦର୍ଶନୀ ବିଷୟରେ ସୂଚନା ପ୍ରଦାନ କରିଥିବା ବେଳେ ବିଶିଷ୍ଟ ଡାକଟିକଟ ସଂଗ୍ରାହକ ଶ୍ରୀ ପାଣିଗ୍ରାହୀ ଡାକଟିକଟ ସଂଗ୍ରହର ଅଭିଜ୍ଞତା ସମ୍ପର୍କରେ ବଖାଣିଥିଲେ । ଏଥିସହ ଡାକଟିକଟ ସଂଗ୍ରହ ର ଇତିହାସ ର ବିବରଣୀ ବ୍ୟକ୍ତ କରିଥିଲେ । ଏହି ଅବସରରେ 'ସମ୍ବଲପେକ୍ଟ -୨୦୨୬ ର ଲୋଗୋ ଓ ପ୍ରସପେକ୍ଟସ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ଡାକ ଟିକେଟ ମାଧ୍ୟମରେ ଦେଶର ଇତିହାସ, ସଂସ୍କୃତି ଓ ଐତିହ୍ୟ ବିଷୟରେ ଜନସାଧାରଣ, ବିଶେଷ କରି ଯୁବପିଢି ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ପ୍ରଦର୍ଶନୀର ମୁଖ୍ୟ ଲକ୍ଷ୍ୟ ବୋଲି ଡାକ ବିଭାଗୀୟ ଅଧିକାରୀ ମାନେ ମତବ୍ୟକ୍ତ କରିଥିଲେ । ଡାକସେବା ନିର୍ଦେଶକ ଶ୍ରୀ ଠାକରେ କହିଲେ ଯେ, ଏହି ଡାକଟିକଟ ସଂଗ୍ରାହକ, ଫିଲାଟେଲିଷ୍ଟ ଏବଂ ଡାକଟିକଟ ପ୍ରତି ଆଗ୍ରହୀ ବ୍ୟକ୍ତିମାନଙ୍କୁ ନିଜ ନିଜର ସଂଗୃହିତ ଡାକଟିକଟ ପ୍ରଦର୍ଶନ ଓ ନିଜ ଅଭିଜ୍ଞତା ପାଇଁ ଏକ ସୁଯୋଗ ପ୍ରଦାନ କରିବ । ଏହି ପ୍ରଦର୍ଶନୀ ରେ ଭାଗ ନେବାକୁ ହେଲେ ୧୮ ବର୍ଷ କମ ବୟସ୍କ ଙ୍କ ପାଇଁ ନିଃଶୁଳ୍କ ଓ ୧୮ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ପାଇଁ ପଞ୍ଜିକରଣ ଫି ଶହେ ଟଙ୍କା ରଖାଯାଇଛି । ବିଶେଷ କରି ଯୁବ ପିଢ଼ି ଓ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ଓ ଦେଶ ର ସଂସ୍କୃତି ତଥା ପରମ୍ପରା ବିଷୟରେ ସଚେତନ କରେଇବା ହିଁ ଏହି ' ସମ୍ବଲପେକ୍ସ -୨୦୨୬ ପ୍ରଦର୍ଶନୀର ଆୟୋଜନ ବୋଲି ସହକାରୀ ଡାକ ଅଧିକ୍ଷକ (ମୁଖ୍ୟାଳୟ) ଶ୍ରୀ ପୋଲାୟା କହିଥିଲେ । ଆଗାମୀ ଦିନରେ ଫିଲାଟେଲିକୁ ଆହୁରି ଲୋକାଭିମୁଖୀ କରାଯିବା ପାଇଁ ସଚେତନତା ଧର୍ମୀ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ଠାକରେ ପ୍ରକାଶ କରିଥିଲେ । ଶେଷରେ ସହକାରୀ ଡାକ ଅଧିକ୍ଷକ ଶ୍ରୀ ବସ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଡାକ ବିଭାଗର ଅରୁଣ କୁମାର ଲାଟା, ସତ୍ୟ ଦାସ, ସପ୍ତର୍ଶୀ ପୁରୋହିତ, ଆଶିଷ କୁମ୍ଭାର, ତାପସ ଭୋଇ, ଅଜୟ ପ୍ରଧାନ, ପ୍ରଳୟ ପ୍ରତାପ ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ