
କେନ୍ଦୁଝର, ୧୨ ଅକ୍ଟୋବର (ହି.ସ.) - ଆଜି ଭୁବନେଶ୍ୱର ସ୍ଥିତ ୟୁନିଟ-୧ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ରାଜ୍ୟ ଶ୍ରରୀୟ ସେବା ସଂକଳ୍ପ ଅଭିଯାନ-୨୦୨୬ର ବରିଷ୍ଠ ବର୍ଗ ତର୍କ ପ୍ରତିଯୋଗିତାରେ ଘଟଗାଁ ବ୍ଲକ ଟିକିରାର ଷଷ୍ଠ ଶ୍ରେଣୀର ଛାତ୍ର ବୋଧିପ୍ରିୟ ବିଶ୍ୱମୋହନ ନାୟକ ସାରା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି। ପୂର୍ବରୁ ବୋଧିପ୍ରିୟ ଏକାଧିକ ବାର ବ୍ଲକ ଓ ଜିଲ୍ଲା ସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ ନିଜ ଉତ୍କର୍ଷ ପ୍ରତିପାଦନ କରି ଚର୍ଚ୍ଚାରେ ରହିଛନ୍ତି। ଓଡ଼ିଶା ସରକାରଙ୍କ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି, ଭୁବନେଶ୍ୱର-ଏକାମ୍ର ବିଧାୟକ ବାବୁ ସିଂ, ମେୟର ଅନନ୍ତ ନାରାୟଣ ଜେନା ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ଡାଃ ଏନ. ଥିରୁମାଳା ନାଏକ ପ୍ରମୁଖ ସମ୍ମାନନୀୟ ଅତିଥି ରୂପେ ଯୋଗଦେଇ ବୋଧିପ୍ରିୟଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ। ଜଣେ ମେଧାବୀ ଛାତ୍ର ରୂପେ ପରିଗଣିତ ବୋଧିପ୍ରିୟ ଘଟଗାଁ ବ୍ଲକ ଏବିଡ଼ିଓ ଚିତରଞ୍ଜନ ନାୟକ ଓ ଜ୍ୟୋତ୍ସ୍ନାମୟୀ ବେହେରାଙ୍କ ପୁତ୍ର ଅଟନ୍ତି। ବୋଧିପ୍ରିୟଙ୍କ ସଫଳତା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA