କିନ୍ନରମାନଙ୍କ ଅଧିକାର ସମ୍ପର୍କିତ ଦିନିକିଆ ଜିଲ୍ଲା ସ୍ତରୀୟ କର୍ମଶାଳା
Third Gender Regarding program by Swati
ଫୋଟ


କନ୍ଧମାଳ, ୧୨ ଅକ୍ଟୋବର(ହି.ସ.) – ସରକାରଙ୍କ ସ୍ତରରେ କିନ୍ନରମାନଙ୍କୁ ସେମାନଙ୍କ ଅଧିକାର ସାବ୍ୟସ୍ତ କରିବା ନିମନ୍ତେ ୨୦୧୯ ମସିହାରେ ଟ୍ରାନ୍ସଜେଣ୍ଡର ବ୍ୟକ୍ତି ଅଧିକାର ସୁରକ୍ଷା ଆଇନ୍ ଆଣିଥିଲେ। କିନ୍ତୁ ବର୍ତମାନ ସୁଦ୍ଧା ଏହାର ସଚେତନତା ତଳ ସ୍ତରରେ ପହଂଚି ପାରିନଥିବାରୁ କିନ୍ନରମାନେ ଏହାର ଲାଭ ପାଉନାହାନ୍ତି। ଏହାକୁ ଆଖି ଆଗରେ ରଖି ସ୍ୱେଚ୍ଛାସେବି ଅନୁଷ୍ଠାନ ସ୍ୱାତୀ ଆଇ.ଇ.ସି. କ୍ୟାମ୍ପେନ ୩.୦ ସମାପନ ଦିବଶରେ କିନ୍ନରମାନଙ୍କ ଅଧିକାର ସମ୍ପର୍କିତ ଏକ ଦିନିକିଆ କର୍ମଶାଳା ଫୁଲବାଣୀ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରର ବୈଠକ ଗୃହରେ ଆୟୋଜିତ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଅନୁଷ୍ଠାନର ସମ୍ପାଦକ ହରି ଶଙ୍କର ରାଉତ ଅନୁଷ୍ଠାନ ତରଫରୁ ଜିଲ୍ଲାରେ ଚାଲିଥିବା ଏଡ଼ସ୍ ସମ୍ପର୍କିତ କାର୍ଯ୍ୟକ୍ରମକୁ ସମ୍ୟକ ରୂପେ ଉପସ୍ଥାପନା କରିବା ସହିତ ନିକଟରେ ଅଗଷ୍ଟ ୧୨ ତାରିଖ ଠାରୁ ଅକ୍ଟୋବର ୧୨ ତାରିଖ ପର୍ଯ୍ୟନ୍ତ ଚାଲିଆସିଥିବା ଆଇ.ଇ.ସି. କ୍ୟାମ୍ପେନର ତଥ୍ୟ ଉପସ୍ଥାପନା କରିଥିଲେ। ତତ୍ପରେ ଆନୁଷ୍ଠାନର କର୍ମୀ ବିଶ୍ୱରଞନ କର ଟ୍ରାନ୍ସଜେଣ୍ଡରମାନଙ୍କ ଅଧିକାର ଓ ବ୍ୟବସ୍ଥା ବିଷୟରେ ଏକ ଉପସ୍ଥାପନା ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅରବିନ୍ଦ ଦାସ ଉପସ୍ଥିତ ରହି ଏହି ଆଇନରେ କିନ୍ନରମାନଙ୍କର ଜୀବନ ଜୀବିକା ନିମନ୍ତେ ଥିବା ବ୍ୟବସ୍ଥାକୁ ନେଇ ଆଲୋଚନା କରିଥିବା ବେଳେ ଏହାର ଲାଭ ନେବା ପାଇଁ ଉପସ୍ଥିତ ସମସ୍ତ କିନ୍ନରମାନଙ୍କୁ ଅନୁରୋଧ କରିଥିଲେ। ଏଥିସହିତ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ନିବେଦିତା ଜାନି ଯୋଗଦେଇ କିନ୍ନରମାନଙ୍କର ପଞ୍ଜିକରଣ ଠାରୁ ଆରମ୍ଭ କରି ପେନସନ୍ ଯୋଜନା ପର୍ଯ୍ୟନ୍ତ ଯାହା ସୁବିଧା ସବୁ ଅଛି ତାହା ଜଣାଇଥିଲେ। ଆହୁରି ମଧ୍ୟ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫରୁ ପ୍ରୋଗ୍ରାମ ଅଫିସର ଇନ୍ଦିରା ମହାପାତ୍ର ଏହି ଆଇନ୍ରେ ଥିବା ଟ୍ରାନ୍ସଜେଣ୍ଡରଙ୍କ ମଙ୍ଗଳ ନିମନ୍ତେ ସରକାରଙ୍କ ବିଭିନ୍ନ ସ୍କିମ୍ ବିଷୟରେ ସୂଚନା ଦେଇଥିଲେ। ତତ୍ସହିତ ଜିଲ୍ଲା ପୋଲିସ ବିଭାଗରୁ ଡି.ଏସ୍.ପି. ବିପିନ ବିହାରି ମେହେର ଉପସ୍ଥିତ ରହି କିନ୍ନରମାନଙ୍କ ସୁରକ୍ଷା ନିମନ୍ତେ ଆଇନ୍ରେ ଥିବା ପ୍ରାଧାନ୍ୟତା ଅନୁସାରେ ବିଭାଗ ସହଯୋଗ କରିବ ବୋଲି କହିଥିଲେ। ଡି.ଆଇ.ଏସ୍. ସୁପରଭାଇଜର ଦେବାଶିସ ମିଶ୍ର ଓ ପରାମର୍ଶଦାତା ଗୋବିନ୍ଦ ଚନ୍ଦ୍ର ଜେନା ଟ୍ରାନ୍ସଜେଣ୍ଡରମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରିବା ସହିତ କିପରି ସମସ୍ତ କିନ୍ନର ସେମାନଙ୍କର ନିଜର ରକ୍ତ ପରୀକ୍ଷା କରି ନିଜକୁ ଏଚ୍.ଆଇ.ଭି. ସଂକ୍ରମଣରୁ ରକ୍ଷା କରିବେ ସେ ବିଷୟରେ ବୁଝାଇଥିଲେ। ସାମୁହିକ ଆଲୋଚନା ସମୟରେ କିନ୍ନରମାନଙ୍କର ଥିବା ବିଭିନ୍ନ ସମସ୍ୟାଗୁଡ଼ିକୁ(ଯେପରି ଜିଲ୍ଲା ସ୍ତରରେ ଏକ ଗାରିମା ଗୃହ ସ୍ଥାପନା) ଉପସ୍ଥାପନା କରି ତାହାର ସମାଧାନ ପାଇଁ ଅପିଲ କରିଥିଲେ। ବାରମ୍ବାର ସରକାରଙ୍କ ଠାରେ ଦାବି ଉପସ୍ଥାପନା କରିବା ସତ୍ୱେ କାର୍ଯ୍ୟକାରୀ ହୋଇପାରି ନଥିବାରୁ ଉପସ୍ଥିତ ସମସ୍ତ କିନ୍ନର ଉଦ୍ବେଗ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସ୍ନେହଲତା ନାୟକ ଧନ୍ୟବାଦ ଅର୍ପଣ କରିଥିବାବେଳେ ଜଳିତା ମଲ୍ଲିକ, ସୁବାସିନି ବେହେରା, ଶୁଭଲକ୍ଷ୍ମୀ ପ୍ରଧାନ, ଅଞ୍ଜନା ବେହେରା ଓ ଅଶ୍ୱୀନି ନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande