
ଝାରସୁଗୁଡ଼ା, ୧୨ ଅକ୍ଟୋବର (ହି.ସ.) - ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ଅନ୍ତର୍ଗତ ଝିର୍ଲାପାଲି ଗ୍ରାମପଂଚାୟତର କୁଣ୍ଡୁରୁସିଂହା ଗ୍ରାମର ଗଣ୍ଡପଡ଼ାଠାରେ ଥିବା ସରକାରୀ କମ୍ୟୁନିଟି ସେଂଟର ଓ ଫୁଟବଲ ଖେଳପଡ଼ିଆ ଜବରଦଖଲ ହୋଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଦୁଇଟି ସରକାରୀ ସମ୍ପତିକୁ ଜବରଦଖଲମୁକ୍ତ କରିବା ସହ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଗ୍ରାମବାସୀ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗଣ୍ଡପଡ଼ାଠାରେ ନିର୍ମିତ ସରକାରୀ କମ୍ୟୁନିଟି ସେଂଟରକୁ ସରୋଜ ନାଏକ ଦୀର୍ଘ ବର୍ଷ ଧରି ନିଜ ଅଧୀନରେ ରଖି ଗୋଦାମ ଘର ଭାବେ ବ୍ୟବହାର କରୁଛନ୍ତି। ଏହା ଫଳରେ ଗ୍ରାମବାସୀ ସାମୂହିକ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ସାମାଜିକ କାର?୍ୟ୍ୟରେ ଏହି ସରକାରୀ ଗୃହକୁ ବ୍ୟବହାର କରିପାରୁନାହାନ୍ତି। ଦୀର୍ଘଦିନ ଧରି ସମସ୍ୟାର ସମାଧାନ ହୋଇନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ସେହିପରି ଗ୍ରାମର ସରକାରୀ ଜମିରେ ଥିବା ଫୁଟବଲ ଖେଳପଡ଼ିଆକୁ ଚାଷଜମିରେ ପରିଣତ କରାଯାଉଥିବା ନେଇ ମଧ୍ୟ ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ଉକ୍ତ ପଡ଼ିଆରେ ଗ୍ରାମର ଯୁବକମାନେ ଦୀର୍ଘ ବର୍ଷ ଧରି ଫୁଟବଲ ଖେଳି ଆସୁଥିବା ବେଳେ ବର୍ତମାନ ସେଠାରେ ଧାନ ଚାଷ କରାଯାଇଥିବାରୁ ଖେଳକୁଦରେ ବାଧା ସୃଷ୍ଟି ହେଉଛି। ଫଳରେ ଗ୍ରାମର ଯୁବକମାନେ ଖେଳିବା ପାଇଁ ଉପଯୁକ୍ତ ସ୍ଥାନରୁ ବଂଚିତ ହେଉଛନ୍ତି।
ଗ୍ରାମବାସୀଙ୍କ କହିବା ଅନୁସାରେ, ଏହି ସମସ୍ୟା ସମ୍ପର୍କରେ ଉପଜିଲ୍ଲାପାଳ ଗ୍ରାମକୁ ଆସି ସରକାରୀ ଜମିରେ ଚାଷ ନକରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଉକ୍ତ ନିର୍ଦ୍ଦେଶକୁ ଅବମାନନା କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଗ୍ରାମରେ ଅଶାନ୍ତି ଓ ବିଶୃଙ୍ଖଳାର ଆଶଙ୍କା ଦେଖାଦେଇଛି।
ଏହି ପରିପ୍ରେକ୍ଷୀରେ କୁଣ୍ଡୁରୁସିଂହା ଗ୍ରାମବାସୀ ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ଏକ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି। ଅଭିଯୋଗରେ ସରକାରୀ କମ୍ୟୁନିଟି ସେଂଟର ଓ ଫୁଟବଲ ଖେଳପଡ଼ିଆର ସ୍ଥିତି ତଦନ୍ତ କରିବା, ଜବରଦଖଲ ହୋଇଥିବା ପ୍ରମାଣିତ ହେଲେ ଉକ୍ତ ସମ୍ପତିକୁ ଜବରଦଖଲମୁକ୍ତ କରିବା ଏବଂ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରାଯାଇଛି। ଏଥିସହ ସରକାରୀ ସମ୍ପତିକୁ ଗ୍ରାମବାସୀଙ୍କ ସାମୂହିକ ବ୍ୟବହାର ପାଇଁ ଉପଲବ୍ଧ କରାଇବାକୁ ସେମାନେ ଦାବି ଜଣାଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ