ମଣ୍ଡିରେ ଧାନ କିଣାକୁ ଦାୟିତ୍ୱ ଏସ୍ଏଚ୍ଜି ବଦଳରେ ଲ୍ୟାମ୍ପ୍ସକୁ ଦାୟିତ୍ୱ ଦେବାକୁ ଦାବି
ଜୟପୁର,୧୨ ଅକ୍ଟୋବର (ହି.ସ.) - କୋରାପୁଟ ଜିଲା ଜୟପୁର ବ୍ଲକର ଜାମୁଣ୍ଡା, ହାଡ଼ିଆ, କୁମୁଲିପୁଟ, ମଣ୍ଡି ପରିଚାଳନା ଧାନ କିଣାକୁ ନେଇ ଦାୟିତ୍ୱ ଏସଏଚଜି ଗ୍ରୁଫ କୁ ନ ଦେବାକୁ କୋରାପୁଟ ଜିଲ୍ଲାପାଳଙ୍କ ନିକଟରେ ଦାବି ହୋଇଛି । ଆଗାମୀ ଖରିଫ ଋତୁରେ ମଣ୍ଡି ପରିଚାଳନା ଦାୟିତ୍ୱ ମହିଳା ସ୍ୱୟଂ ସହାୟକ ଗୋଷ୍ଠ
ମଣ୍ଡିରେ ଧାନ କିଣାକୁ ଦାୟିତ୍ୱ ଏସ୍ଏଚ୍ଜି ବଦଳରେ ଲ୍ୟାମ୍ପ୍ସକୁ ଦାୟିତ୍ୱ ଦେବାକୁ ଦାବି


ଜୟପୁର,୧୨ ଅକ୍ଟୋବର (ହି.ସ.) - କୋରାପୁଟ ଜିଲା ଜୟପୁର ବ୍ଲକର ଜାମୁଣ୍ଡା, ହାଡ଼ିଆ, କୁମୁଲିପୁଟ, ମଣ୍ଡି ପରିଚାଳନା ଧାନ କିଣାକୁ ନେଇ ଦାୟିତ୍ୱ ଏସଏଚଜି ଗ୍ରୁଫ କୁ ନ ଦେବାକୁ କୋରାପୁଟ ଜିଲ୍ଲାପାଳଙ୍କ ନିକଟରେ ଦାବି ହୋଇଛି ।

ଆଗାମୀ ଖରିଫ ଋତୁରେ ମଣ୍ଡି ପରିଚାଳନା ଦାୟିତ୍ୱ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁୂ ଦିଆଯିବା ନେଇ ଚର୍ଚ୍ଚା ହେବା ପରେ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ପୂର୍ବରୁ ବିବାଦରେ ଥିବା ଗୋଷ୍ଠୀଙ୍କୁ ପୁଣି ଦାୟିତ୍ୱ ଦିଆଗଲେ ମଣ୍ଡିରେ ଦଲାଲରାଜ ଫେରିବା ସହ ଚାଷୀ ଶୋଷଣର ଶିକାର ହେବେ ବୋଲି ଆଶଙ୍କା କରିଛି କୃଷକ କଲ୍ୟାଣ ମଂଚ। ଏହି ତିନି ମଣ୍ଡିରେ ଧାନ କିଣା ଦାୟିତ୍ୱ କୁମୁଲିପୁଟ ଲ୍ୟାମ୍ପ୍ସ ହାତରେ ରଖିବାକୁ ଦାବି କରି ଲ୍ୟାମ୍ପ୍ସ କର୍ତୃପକ୍ଷ ଓ ଚାଷୀ ପ୍ରତିନିଧିମାନେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଛନ୍ତି। କୁମୁଲିପୁଟ ଲ୍ୟାମ୍ପ୍ସର ସଭାପତି ତ୍ରିନାଥ ମୁଦୁଲି, ବୋର୍ଡ ସଦସ୍ୟ ଏବଂ ଜାମୁଣ୍ଡା ଓ ହାଡ଼ିଆ ପଂଚାୟତର କୃଷକ କଲ୍ୟାଣ ମଂଚ ପକ୍ଷରୁ ଏହି ଦାବି ଉଠାଯାଇଛି। ଅଭିଯୋଗ ଅନୁଯାୟୀ, କିଛି ବର୍ଷ ପୂର୍ବେ ଜାମୁଣ୍ଡା ମଣ୍ଡିରେ ‘ମାଁ ମୁତ୍ୟାଲୁମା’ ଏବଂ ହାଡ଼ିଆ ମଣ୍ଡିରେ ‘ମାଁ ବୁଢ଼ୀ ଠାକୁରାଣୀ’ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଧାନ କିଣା ଦାୟିତ୍ୱ ଦିଆଯାଇଥିଲା। ତେବେ ଗୋଷ୍ଠୀର ମହିଳାମାନଙ୍କ ବଦଳରେ ଦଲାଲମାନେ ପରୋକ୍ଷରେ ମଣ୍ଡି ପରିଚାଳନା କରୁଥିବା ଏବଂ କେତେକ ମିଲରଙ୍କ ସହ ମିଶି ଚାଷୀଙ୍କ ସ୍ୱାର୍ଥକୁ ଅଣଦେଖା କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବା ସହ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଅଭିଯୋଗ କରାଯାଇଥିଲା। ଏହାପରେ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ଅର୍ଥାତ ଡିଏଲ୍ପିସି ବୈଠକର ନିଷ୍ପତି ଅନୁଯାୟୀ, ସ୍ଥାନୀୟ ବିଡିଓ ଓ ତହସିଲଦାର ମିଳିତ ତଦନ୍ତ କରିଥିଲେ। ତଦନ୍ତ ରିପୋର୍ଟ ଆଧାରରେ ‘ମାଁ ମୁତ୍ୟାଲୁମା’ ଗୋଷ୍ଠୀକୁ ‘ଡି’ ଗ୍ରେଡ୍ ଏବଂ ‘ମାଁ ବୁଢ଼ୀ ଠାକୁରାଣୀ’ ଗୋଷ୍ଠୀକୁ ‘ସି’ ଗ୍ରେଡ୍ ମିଳିଥିଲା। ଏହାପରେ ପ୍ରଶାସନ ଉଭୟ ଗୋଷ୍ଠୀଙ୍କୁ ଧାନ କିଣା ଦାୟିତ୍ୱରୁ ହଟାଇ ଦେଇଥିଲା। ପରବର୍ତୀ ସମୟରେ ଏହି ୨ ମଣ୍ଡିର ଧାନ କିଣା ଦାୟିତ୍ୱ କୁମୁଲିପୁଟ ଲ୍ୟାମ୍ପ୍ସକୁ ଦିଆଯାଇଥିଲା। ଲ୍ୟାମ୍ପ୍ସ ମାଧ୍ୟମରେ ଚାଷୀଙ୍କ ପଞ୍ଜୀକରଣ ଓ ଧାନ ବିକ୍ରି ପ୍ରକ୍ରିୟା ସୁରୁଖୁରୁରେ ଚାଲିଥିବା ବେଳେ କୌଣସି ବିଶେଷ ଅସୁବିଧା ହେଉନଥିବା ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଆବଶ୍ୟକ କର୍ମଚାରୀ ଥିବାରୁ ଧାନ କିଣା କାର୍ଯ୍ୟ ମଧ୍ୟ ସୁଚାରୁରୂପେ ପରିଚାଳିତ ହେଉଛି। ତେବେ ଆଗାମୀ ଖରିଫ ଋତୁରେ ପୁଣି ଥରେ ପୂର୍ବରୁ ଦାୟିତ୍ୱରୁ ହଟିଥିବା ଗୋଷ୍ଠୀଙ୍କୁ ମଣ୍ଡି ପରିଚାଳନା ଦାୟିତ୍ୱ ଦେବା ପାଇଁ କେତେକ ଦଲାଲ ଓ ମିଲର ସକ୍ରିୟ ହୋଇଥିବା କୃଷକ କଲ୍ୟାଣ ମଂଚ ଅଭିଯୋଗ କରିଛି। ଏପରି ନିଷ୍ପତି ହେଲେ ପୂର୍ବ ସମସ୍ୟା ପୁଣି ଦେଖାଦେବା ସହ ଚାଷୀଙ୍କ ଧାନ ବିକ୍ରି ପ୍ରକ୍ରିୟା ପ୍ରଭାବିତ ହେବାର ଆଶଙ୍କା ରହିଛି। ତେଣୁ ଚାଷୀଙ୍କ ସ୍ୱାର୍ଥ ଓ ସ୍ୱଚ୍ଛ ଧାନ କିଣା ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ଜାମୁଣ୍ଡା ଓ ହାଡ଼ିଆ ମଣ୍ଡିରେ କୁମୁଲିପୁଟ ଲ୍ୟାମ୍ପ୍ସ ମାଧ୍ୟମରେ ଧାନ କିଣା ବ୍ୟବସ୍ଥା ଜାରି ରଖିବାକୁ ଦାବିପତ୍ରରେ ଅନୁରୋଧ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande