ପୁରୀରେ ସ୍ୱଚ୍ଛତା ଅଭିଯାନରେ ସାମିଲ ହେଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ
ପୁରୀ/ଭୁବନେଶ୍ୱର, ୧୨ ଅକ୍ଟୋବର (ହି.ସ) - ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସରୁ ଆରମ୍ଭ ହୋଇଥିବା ‘ସେବା ସଂକଳ୍ପ ଅଭିଯାନ’ ଅବସରରେ ସୋମବାର ପବିତ୍ର ଶ୍ରୀକ୍ଷେତ୍ର ପୁରୀ ବଡ଼ଦାଣ୍ଡରେ ଆୟୋଜିତ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
dp


ପୁରୀ/ଭୁବନେଶ୍ୱର, ୧୨ ଅକ୍ଟୋବର (ହି.ସ) - ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସରୁ ଆରମ୍ଭ ହୋଇଥିବା ‘ସେବା ସଂକଳ୍ପ ଅଭିଯାନ’ ଅବସରରେ ସୋମବାର ପବିତ୍ର ଶ୍ରୀକ୍ଷେତ୍ର ପୁରୀ ବଡ଼ଦାଣ୍ଡରେ ଆୟୋଜିତ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ସିଙ୍ଗିଲ୍-ୟୁଜ୍ ପ୍ଲାଷ୍ଟିକ୍ ମୁକ୍ତ ପରିବେଶ ପାଇଁ ସଚେତନତା ତିଆରି କରିବା ପାଇଁ ଜନସାଧାରଣମାନଙ୍କୁ ସେ ନିବେଦନ କରିଛନ୍ତି।

ଆଜି ଶ୍ରୀ ପ୍ରଧାନ ପ୍ରଥମେ ପୁରୀ ବଡ଼ଦାଣ୍ଡ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ‘ସ୍ୱଚ୍ଛତା ଅଭିଯାନ’ରେ ସାମିଲ ସାମିଲ ହୋଇଥିଲେ । ପରେ ମା’ ପାଇଁ ଗଛଟିଏ ଅଭିଯାନରେ ସେଠାରେ ବୃକ୍ଷରୋପଣ କରିଥିଲେ । ସେବା ସଂକଳ୍ପ ଅଭିଯାନ' ଅବସରରେ ବଡ଼ଦାଣ୍ଡ ସେବା କାର୍ଯ୍ୟକ୍ରମରେ ସାମିଲ ହୋଇ ସ୍ୱଚ୍ଛ ସାଥୀଙ୍କୁ ସମ୍ମାନିତ କରିଥିଲେ ଶ୍ରୀ ପ୍ରଧାନ । ଏହି ଅବସରରେ ସେ କହିଛନ୍ତି ଯେ, ଶ୍ରୀଜଗନ୍ନାଥ ସଂସ୍କୃତି ଓ ଓଡ଼ିଆ ପରମ୍ପରାରେ ସ୍ୱଚ୍ଛତା ଏବଂ ପବିତ୍ରତାକୁ ସର୍ବଦା ପ୍ରଥମ ସ୍ଥାନ ଦିଆଯାଇଛି । ମାର୍ଗଶୀର ଗୁରୁବାରର ମାଣବସା ଓଷା ଏବଂ ଲକ୍ଷ୍ମୀ ପୁରାଣରେ ବର୍ଣ୍ଣିତ ପ୍ରସଙ୍ଗଗୁଡ଼ିକ ଆମ ସଂସ୍କୃତିରେ ସ୍ୱଚ୍ଛତାର ମହତ୍ୱକୁ ଦର୍ଶାଏ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାତ୍ମା ଗାନ୍ଧୀଙ୍କ ବିଚାରଧାରାକୁ ଆଧାର କରି ‘ସ୍ୱଚ୍ଛତା’କୁ ଏକ ବିଶାଳ ଜନ-ଆନ୍ଦୋଳନରେ ପରିଣତ କରିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ପବିତ୍ର ଧାମକୁ ସ୍ୱଚ୍ଛ, ପରିଚ୍ଛନ୍ନ ଓ ସୁନ୍ଦର ରଖିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ।

ପରିବେଶ ପ୍ରତି ସିଙ୍ଗିଲ୍-ୟୁଜ୍ ପ୍ଲାଷ୍ଟିକ୍ ର ଭୟାବହତା ସମ୍ପର୍କରେ ଚେତାବନୀ ଦେଇ ସେ କହିଛନ୍ତି ଯେ, ପ୍ଲାଷ୍ଟିକ୍ ଏବଂ ଜରି ଆମ ପରିବେଶ, ଗୋ-ସମ୍ପଦ ଏବଂ ସମୁଦ୍ରର ଜୀବଜନ୍ତୁଙ୍କ ପାଇଁ ବଡ଼ ବିପଦ ସୃଷ୍ଟି କରୁଛି। ପ୍ଲାଷ୍ଟିକ୍ କପ୍?ରେ ଗରମ ଚା’ ପିଇବା ଦ୍ୱାରା ଏହା ଶରୀର ଭିତରକୁ ଯାଇ ସ୍ୱାସ୍ଥ୍ୟହାନି ଘଟାଉଛି, ଯାହା ବିଜ୍ଞାନୀ ଓ ଚିକିତ୍ସକମାନେ ମଧ୍ୟ ସ୍ପଷ୍ଟ କରିଛନ୍ତି। ଆମେ ଯେପରି ନିଜ ଘର, ଅଗଣା ଓ ଶୌଚାଚାଳୟକୁ ସଫା ରଖୁଛୁ, ସେହିପରି ଗାଁ ଦାଣ୍ଡ, ମନ୍ଦିର ଏବଂ ପରିବେଶକୁ ସ୍ୱଚ୍ଛ ରଖିବାକୁ ଏକ ନିୟମିତ ସାମାଜିକ ଅଭ୍ୟାସ ଓ ସଂସ୍କାରରେ ପରିଣତ କରିବାକୁ ପଡ଼ିବ।

ପବିତ୍ର ନବରାତ୍ରୀ, ଦଶହରା, ଲକ୍ଷ୍ମୀପୂଜା ଓ ଦୀପାବଳିର ଆଗମନ ଅବସରରେ ଶ୍ରୀ ପ୍ରଧାନ ନିଜ ଜୀବନରେ ସିଙ୍ଗିଲ୍-ୟୁଜ୍ ପ୍ଲାଷ୍ଟିକ୍ ର ବ୍ୟବହାର ହ୍ରାସ କରିବା ଏବଂ ଏକବିଂଶ ଶତାବ୍ଦୀରେ ‘ସ୍ୱଚ୍ଛ ପୁରୀ, ପବିତ୍ର ପୁରୀ, ସୁସ୍ଥ ପୁରୀ ଓ ସମୃଦ୍ଧ ପୁରୀ’ ଗଠନ ପାଇଁ ସମସ୍ତଙ୍କୁ ସଂକଳ୍ପ ନେବାକୁ ନିବେଦନ କରିଛନ୍ତି। ଗୁଣ୍ଡିଚା ମୂଷାର ସେବା ଭଳି ପ୍ରତ୍ୟେକ ନାଗରିକଙ୍କର ସ୍ୱଚ୍ଛତା ରଥରେ ସାମାନ୍ୟ ଯୋଗଦାନ ହିଁ ‘ବିକଶିତ ଓଡ଼ିଶା’ ଏବଂ ‘ବିକଶିତ ଭାରତ’ର ସଂକଳ୍ପକୁ ସାକାର କରିପାରିବ ବୋଲି ସେ ପ୍ରକାଶ କରିଛନ୍ତି। ଏହି ଅଭିଯାନରେ ଅଂଶଗ୍ରହଣ କରିଥିବା ସମସ୍ତ ସ୍ୱଚ୍ଛତା ସାଥୀ, ଯୁବବର୍ଗ ଏବଂ ସ୍ୱେଚ୍ଛାସେବୀମାନଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଥିଲେ ।

ସ୍ୱଚ୍ଛତା ଅଭିଯାନରେ ପୁରୀ ସାଂସଦ ଡ. ସମ୍ବିତ ପାତ୍ର, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ପୁରୀର ପୂର୍ବତନ ବିଧାୟକ ଜୟନ୍ତ ଷଡଙ୍ଗୀ ଏବଂ ବ୍ରହ୍ମଗିରିର ପୂର୍ବତନ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ସାମିଲ ହୋଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande