
ଭୁବନେଶ୍ୱର, ୧୨ ଅକ୍ଟୋବର (ହି.ସ) - ଟ୍ରେନ୍ ନିରାପତା ସମ୍ବନ୍ଧୀୟ ସମ୍ଭାବ୍ୟ ବିପଦକୁ ଚିହ୍ନଟ କରିବାରେ ଅସାଧାରଣ ସତର୍କତା, ଉପସ୍ଥିତ ବୁଦ୍ଧି ଏବଂ କର୍ତବ୍ୟ ପ୍ରତି ନିଷ୍ଠା ପ୍ରଦର୍ଶନ କରିଥିବା ତିନି ଜଣ ରେଳ କର୍ମଚାରୀଙ୍କୁ ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ସମ୍ବର୍ଦ୍ଧିତ କରିଛନ୍ତି। ଜୁଲାଇ ଓ ଅଗଷ୍ଟ ୨୦୨୬ ମାସରେ ସେମାନଙ୍କର ସମୟୋଚିତ ପଦକ୍ଷେପ ଓ ତ୍ୱରିତ ସୂଚନା ଯୋଗୁଁ ସମ୍ପୃକ୍ତ ରେଳ ଅଧିକାରୀମାନେ ଆବଶ୍ୟକ ପ୍ରତିଷେଧମୂଳକ ପଦକ୍ଷେପ ନେଇପାରିଥିଲେ। ଏହାଦ୍ୱାରା ସୁରକ୍ଷିତ ଓ ସୁଚାରୁ ଟ୍ରେନ୍ ଚଳାଚଳ ସୁନିଶ୍ଚିତ କରିବା ସମ୍ଭବ ହୋଇପାରିଥିଲା ।
ସମ୍ବର୍ଦ୍ଧିତ ରେଳ କର୍ମଚାରୀମାନେ ହେଲେ: ସାରଦା ପ୍ରସାଦ ସାହୁ, ଟ୍ରାକ୍ ମେେଂଟନର୍ -୪, ବଡ଼ବନ୍ଧ , ଖୋର୍ଦ୍ଧା ରୋଡ୍ ମଣ୍ଡଳ , ତ୍ରିନାଥ ସେଲମା, ଟ୍ରାକ୍ ମେେଂଟନର-୪, କଂଟାବାଞ୍ଜି, ସମ୍ବଲପୁର ମଣ୍ଡଳ ଏବଂ ଶୁଭମ ସା, ଟ୍ରାକ୍ ମେେଂଟନର୍ -୪, ସମ୍ବଲପୁର ମଣ୍ଡଳ।
କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରି ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ସେମାନଙ୍କର ସତର୍କତା, କର୍ତବ୍ୟନିଷ୍ଠା ଓ ଦାୟିତ୍ୱବୋଧର ଉଚ୍ଚ ପ୍ରଶଂସା କରିଥିଲେ। ଟ୍ରେନ୍ ଚଳାଚଳର ନିରାପତା ସୁନିଶ୍ଚିତ କରିବାରେ କ୍ଷେତ୍ରସ୍ତରରେ କାର୍ଯ୍ୟରତ ରେଳ କର୍ମଚାରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଉଲ୍ଲେଖ କରିବା ସହ ସମସ୍ତ ରେଳ କର୍ମଚାରୀଙ୍କୁ ନିଜ ନିଜ କର୍ତବ୍ୟ ସମ୍ପାଦନରେ ସମାନ ସତର୍କତା ଓ ନିଷ୍ଠା ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ। ବ୍ୟକ୍ତିଗତ ଦାୟିତ୍ୱବୋଧ, ସାମୂହିକ ପ୍ରୟାସ ଓ ସମୟୋଚିତ ପଦକ୍ଷେପ ଏକ ସୁଦୃଢ଼ ରେଳ ନିରାପତା ବ୍ୟବସ୍ଥାର ମୂଳଭିତି ବୋଲି ସେ ମତବ୍ୟକ୍ତ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା