
ଧର୍ମଶାଳା,୧୨ଅକ୍ଟୋବର(ହି.ସ.) - ଭିଜିଲାନ୍ସ ଜାଲରେ ଯାଜପୁର ଧର୍ମଶାଳାର ଏବିଇଓ ଜୟଦେବ ଜେନା। ତାଙ୍କ ନାମରେ ଥିବା ଆୟ ବହିର୍ଭୂତ ସମ୍ପତି ଠାବ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ପୈତୃକ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ବ୍ରହ୍ମପୁରର ମାନ୍ୟବର ସ୍ପେଶାଲ ଜଜ୍ (ଭିଜିଲାନ୍ସ)ଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଟ୍ ବଳରେ ୩ ଜଣ ଅତିରିକ୍ତ ଏସପି, ୪ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହଯୋଗୀ କମର୍ଚାରୀଙ୍କ ନେତୃତ୍ୱରେ ଭୁବନେଶ୍ୱର, ଗଞ୍ଜାମ ଓ ଯାଜପୁରର ବିଭିନ୍ନ ସ୍ଥାନମାନଙ୍କରେ ଏହି ଚଢ଼ାଉ କରାଯାଇଛି । ଭୁବନେଶ୍ୱର ପାତ୍ରପଡ଼ା ସ୍ଥିତ ଏକ ତିନି ମହଲା କୋଠା ଘର, ଗଞ୍ଜାମ ପି ନୂଆଗାଁ ସ୍ଥିତ ଏକ ଦୁଇ ମହଲା କୋଠା ଘର, ଗଞ୍ଜାମ ପି. ନୂଆଗାଁ ସ୍ଥିତ ଅନ୍ୟ ଏକ କୋଠା ଘର, ଗଞ୍ଜାମ ବୁରୁଝରି ସ୍ଥିତ ତାଙ୍କ ସଂପର୍କୀୟଙ୍କ ଘର, ଭୁବନେଶ୍ୱର ଖଣ୍ଡଗିରି ଜନନୀ ବିହାର ସ୍ଥିତ ତାଙ୍କ ସଂପର୍କୀୟଙ୍କ ଘର, ଯାଜପୁର ଧର୍ମଶାଳା ସ୍ଥିତ ସରକାରୀ କାର୍ଯ୍ୟାଳୟ ଚାମ୍ବର, ଯାଜପୁରସ୍ଥିତ ତାଙ୍କର ପୈତୃକ ବାସଭବନ ଓ ଅନ୍ୟ ଏକ ସମ୍ପର୍କୀୟଙ୍କ ଘରେ ଚଢାଉ କରାଯାଇଛି । ଏହି ବୃହତ ଚଢ଼ାଉରେ ୩ ଜଣ ଅତିରିକ୍ତ ଏସପି, ୪ ଜଣ ଡିଏସପି ଏବଂ ୯ ଜଣ ଇନ୍ସପେକ୍ଟରଙ୍କ ସମେତ ଭିଜିଲାନ୍ସର ଏକ ବିଶାଳ ଟିମ୍ ନିୟୋଜିତ ଅଛନ୍ତି । ବର୍ତମାନ ସୁଦ୍ଧା ସମସ୍ତ ୭ଟି ସ୍ଥାନରେ ଏକକାଳୀନ ର୍ସଚ୍ଚ ଅପରେସନ ଜାରି ରହିଛି । ଭିଜିଲାନ୍ସ ଅଧିକାରୀମାନେ ଜୟଦେବ ଜେନା ଓ ତାଙ୍କ ସଂପର୍କୀୟଙ୍କ ନାମରେ ଥିବା ଜମିର କାଗଜପତ୍ର, ବ୍ୟାଙ୍କ ଖାତା, ସୁନା ଗହଣା ଓ ନଗଦ ଟଙ୍କାର ହିସାବ କରୁଛନ୍ତି । ଚଢ଼ାଉ ଶେଷ ହେବା ପରେ ମୋଟ କେତେ ଟଙ୍କାର ସମ୍ପତି ଠାବ ହେଲା ତାହାର ସଠିକ୍ ଆକଳନ ସ୍ପଷ୍ଟ ହେବ । ହେଲେ ଏହି ଘଟଣାରେ ଭିଜିଲାନ୍ସ ଅଧିକାରୀଙ୍କ କୌଣସି ପତିକ୍ରୀୟା ମିଳି ପାରି ନାହିଁ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ