
ଝାରସୁଗୁଡ଼ା, ୧୩ ଅକ୍ଟୋବର (ହି.ସ.)- ଜିଲ୍ଲା ପ୍ରଶାସନ, ଝାରସୁଗୁଡ଼ା ଏବଂ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ସାଂସ୍କୃତିକ ଦଳ ପରିଚାଳନା ପ୍ରଣାଳୀ (ସିଟିଏମଏସ ୨.୦) ଅନ୍ତର୍ଗତ ଆୟୋଜିତ ଜିଲ୍ଲାସ୍ତରୀୟ ‘ଆମ କଳାକାର’ ଚୟନ ପ୍ରକ୍ରିୟାର ତୃତୀୟ ଦିବସ ଆଜି ଝାରସୁଗୁଡ଼ାସ୍ଥିତ ଜିଲ୍ଲା ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି।
ଅକ୍ଟୋବର ୧୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଛଅଦିନିଆ ଚୟନ ପ୍ରକ୍ରିୟା ଆସନ୍ତା ୧୬ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ। ଏଥିରେ ଝାରସୁଗୁଡ଼ା ଜିଲ୍ଲାର ୫ ହଜାରରୁ ଊର୍ଦ୍ଧ୍ୱ କଳାକାର ଅଂଶଗ୍ରହଣ କରିବେ ବୋଲି ଆକଳନ କରାଯାଇଛି।
ଆଜି ତୃତୀୟ ଦିବସରେ ମୋଟ ୩୦ଟି ସଂକୀର୍ତ୍ତନ ଦଳର ପ୍ରାୟ ୧୦୦୦ କଳାକାର ଅଂଶଗ୍ରହଣ କରି ନିଜ ନିଜର କଳା ପ୍ରଦର୍ଶନ କରିଥିଲେ। ଏହି ଅବସରରେ ବିଚାରକ ଭାବେ ରମେଶ ସୁନା, ସୁରଙ୍ଗ ପଧାନ ଏବଂ ନର୍ମଦା ପ୍ରଧାନ ଉପସ୍ଥିତ ରହି ଅଂଶଗ୍ରହଣକାରୀ ଦଳଗୁଡ଼ିକର ପ୍ରଦର୍ଶନକୁ ମୂଲ୍ୟାଙ୍କନ କରିଥିଲେ।
କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା ବିଚାରକ ରମେଶ ସୁନାଙ୍କ ମନୋମୁଗ୍ଧକର କୃଷ୍ଣଗୁରୁ ଭଜନ। ତାଙ୍କ ଭଜନର ତାଳେ ତାଳେ ଉପସ୍ଥିତ କଳାକାରମାନେ ନୃତ୍ୟରେ ମଜ୍ଜି ଯାଇଥିଲେ। ଏହାଦ୍ୱାରା କାର୍ଯ୍ୟକ୍ରମସ୍ଥଳରେ ଏକ ଆକର୍ଷଣୀୟ ଓ ଉତ୍ସାହପୂର୍ଣ୍ଣ ସାଂସ୍କୃତିକ ପରିବେଶ ସୃଷ୍ଟି ହୋଇଥିଲା।
ଆଗାମୀ ଦିନଗୁଡ଼ିକରେ ମଧ୍ୟ ବିଭିନ୍ନ ବିଭାଗରେ ଚୟନ ପ୍ରକ୍ରିୟା ଜାରି ରହିବ। ଆସନ୍ତା ୧୪ ଅକ୍ଟୋବରରେ ଭଜନ, ନାଟକ ଓ ସଂକୀର୍ତ୍ତନ ବିଭାଗର ଚୟନ ଅନୁଷ୍ଠିତ ହେବ। ସେହିପରି ୧୫ ଅକ୍ଟୋବରରେ ସମ୍ବଲପୁରୀ ଲାଇଭ୍, ସମ୍ବଲପୁରୀ ରେକର୍ଡ, ପାଲା, ନଚନିଆ, ଘୁଡ଼କା, ଦୁଲଦୁଲି, କିସାନ ନୃତ୍ୟ, ପରମା ନୃତ୍ୟ, କରମସାନି ଓ ଓଡ଼ିଶୀ ନୃତ୍ୟ ଆଦି ବିଭାଗରେ ଚୟନ ପ୍ରତିଯୋଗିତା ଅନୁଷ୍ଠିତ ହେବ।
ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ରିତାକାନ୍ତି ବଳିୟାରସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚୟନ ପ୍ରକ୍ରିୟା ସୁଚାରୁରୂପେ ପରିଚାଳିତ ହୋଇଥିଲା। ଚୟନ ପ୍ରକ୍ରିୟାର ପର୍ଯ୍ୟବେକ୍ଷକ ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସହ ନିର୍ଦ୍ଦେଶକ ଅନୀଲ କେର୍କେଟା ଉପସ୍ଥିତ ରହି ସମଗ୍ର କାର୍ଯ୍ୟକ୍ରମର ତଦାରଖ କରିଥିଲେ। କାର୍ଯ୍ୟକ୍ରମର ସଫଳ ଆୟୋଜନରେ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର କନିଷ୍ଠ ସହାୟକ ଆଲିସ ପଟେଲଙ୍କ ସମେତ ରାଜେଶ ସେଠ, ଧୀରଜ ରୋଶନ ପ୍ରଧାନ, ମୌସମ ପଟେଲ, ନିହାଲ ଭୋଇ, ରବୀନ୍ଦ୍ର ନିଆଲ, ସମୀର କିଶାନ ଏବଂ କିଙ୍କନ ନାୟକ, ଲିଙ୍କନ କୁମାର ପୃଷେଠ ପ୍ରମୁଖ ସହଯୋଗ କରିଥିଲେ। ଏଥିସହ ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ସୁଡଙ୍ଗ ପଧାନ ମଧ୍ୟ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ