
- ଚକ୍ଷୁ ସ୍ୱାସ୍ଥ୍ୟର ଗୁରୁତ୍ୱ ସମ୍ପର୍କରେ ସଚେତନତା ପାଇଁ ୱାକାଥନ୍ ଆୟୋଜିତ
ଭୁବନେଶ୍ୱର, ୧୩ ଅକ୍ଟୋବର (ହି.ସ.)- ଦୀର୍ଘ ସମୟ ଧରି ମୋବାଇଲ୍ କିମ୍ବା କମ୍ପ୍ୟୁଟର୍ ସ୍କ୍ରିନ୍ ସଂସ୍ପର୍ଶରେ ରହିବା, ଆଖିର ପର୍ଯ୍ୟାପ୍ତ ଯତ୍ନ ନନେବା ଏବଂ ପ୍ରାରମ୍ଭିକ ଲକ୍ଷଣଗୁଡ଼ିକୁ ଅଣଦେଖା କରିବା ଚକ୍ଷୁ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରତିକୂଳ ପ୍ରଭାବ ପକାଇପାରେ। ଏହି ସମସ୍ୟାଗୁଡ଼ିକର ଚିହ୍ନଟ କିମ୍ବା ଚିକିତ୍ସା କରା ନ ଯାଏ, ତେବେ ଏହା ଗୁରୁତର ଦୃଷ୍ଟିହାନୀ କିମ୍ବା ଅନ୍ଧତ୍ୱର କାରଣ ହୋଇପାରେ ବୋଲି ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ସିଇଓ ଡ. ଆଶୁତୋଷ ବିଶ୍ୱାସ ପ୍ରକାଶ କରିଛନ୍ତି। ତଥାପି, ସମୟୋଚିତ ଚିକିତ୍ସା ମାଧ୍ୟମରେ ଅନେକ କ୍ଷେତ୍ରରେ ଦୃଷ୍ଟିଶକ୍ତି ହରାଇବାକୁ ରୋକାଯାଇପାରିବ, ଏହାର ଫଳପ୍ରଦ ପରିଚାଳନା କରାଯାଇପାରିବ କିମ୍ବା ଚିକିତ୍ସା କରାଯାଇପାରିବ ବୋଲି ଡାକ୍ତର ବିଶ୍ୱାସ ସୂଚନା ଦେଇଛନ୍ତି।
ଚକ୍ଷୁ ସ୍ୱାସ୍ଥ୍ୟର ଗୁରୁତ୍ୱ ଉପରେ ଆଲୋକପାତ କରିବା ଏବଂ ସମସ୍ତଙ୍କ ପାଇଁ ଉନ୍ନତମାନର ଚକ୍ଷୁ ଚିକିତ୍ସା ସେବା ଉପଲବ୍ଧ କରାଇବା ଲକ୍ଷ୍ୟରେ, ଏମ୍ସ ଭୁବନେଶ୍ୱର ଚକ୍ଷୁ ବିଭାଗ ପକ୍ଷରୁ ବିଶ୍ୱ ଦୃଷ୍ଟି ଦିବସ' ଅବସରରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ଏକ ୱାକାଥନ୍'ର ମଧ୍ୟ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ଯୋଗଦେଇ ଏହି ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଯୁବପିଢ଼ିଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ଚକ୍ଷୁ ସମସ୍ୟା ଉପରେ ଗୁରୁତ୍ୱାରୋପ କରିଥିଲେ। ଦୀର୍ଘ ସ୍କ୍ରିନ୍ ବ୍ୟବହାର ସମୟରେ ସମୟସାପେକ୍ଷ ବିରତି ନେବା, ନିୟମିତ ଚକ୍ଷୁ ପରୀକ୍ଷା କରିବା ଏବଂ ଦୃଷ୍ଟି ସମ୍ବନ୍ଧୀୟ କୌଣସି ସମସ୍ୟାର ସମ୍ମୁଖୀନ ହେଲେ ତୁରନ୍ତ ଚକ୍ଷୁ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିବାକୁ ଉତ୍ସାହିତ କରିଥିଲେ ଡ. ବିଶ୍ୱାସ।
ଏମ୍ସ ଭୁବନେଶ୍ୱର ଚକ୍ଷୁ ବିଭାଗ ପକ୍ଷରୁ ପ୍ରତିଦିନ ପ୍ରାୟ ଅଢ଼େଇଶହରୁ ଅଧିକ ରୋଗୀଙ୍କୁ ସେବା ପ୍ରଦାନ କରାଯାଇଥାଏ। ମାସିକ ପ୍ରାୟ ପାସଙ୍ଖ ହଜାରରୁ ଛଅ ହଜାର ରୋଗୀ ଏଠାକୁ ଚକ୍ଷୁ ଚିକିତ୍ସା ଏବଂ ପରାମର୍ଶ ନିମନ୍ତେ ଆସିଥାନ୍ତି। ସାଧାରଣତଃ ଆଜିକାଲି ଦେଖାଯାଉଥିବା ଚକ୍ଷୁ ସମସ୍ୟାଗୁଡ଼ିକ ମଧ୍ୟରେ ରିଫ୍ରାକ୍ଟିଭ୍ ଏରର୍ (ଦୃଷ୍ଟିଶକ୍ତି ଜନିତ ତ୍ରୁଟି), ମୋତିଆବିନ୍ଦୁ, ଡାଇବେଟିକ୍ ରେଟିନୋପାଥି, ଗ୍ଲୁକୋମା ଏବଂ କମ୍ପ୍ୟୁଟର ଭିଜନ୍ ସିଣ୍ଡ୍ରୋମ୍ ଅନ୍ତର୍ଭୁକ୍ତ ବୋଲି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ କହିଛନ୍ତି। ଉପରୋକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ବିଭାଗ ପକ୍ଷରୁ ସମସ୍ତଙ୍କୁ ନିଜର ବହୁମୂଲ୍ୟ ଚକ୍ଷୁର ବିଶେଷ ଯତ୍ନ ନେବାକୁ ପରାମର୍ଶ ଦିଆଯାଇଥିଲା। ନିଜର ଆଖିକୁ ଭଲ ପାଇବା ସହିତ ଆଜିର ସମୟରେ ସହଜ ଉପଲବ୍ଧ ଚକ୍ଷୁ ଚିକିତ୍ସାର ଲାଭ ନେବାକୁ କୁହାଯାଇଥିଲା। ଚକ୍ଷୁଜନିତ ସମସ୍ୟାକୁ ଅବହେଳା କରିବା ଆଦୌ ଉଚିତ୍ ନୁହେଁ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଡିନ୍ ଡ. ଦିଲୀପ କୁମାର ପରିଡ଼ା, ମେଡିକାଲ୍ ଅଧୀକ୍ଷକ ଡ. ପ୍ରଭାସ ରଂଜନ ତ୍ରିପାଠୀ, ଚକ୍ଷୁ ବିଭାଗ ମୁଖ୍ୟ ଡ. ସୁଚେତା ପରିଜା, ବିଭାଗୀୟ ଚିକିତ୍ସକ ଡ. ସନ୍ଦୀପ ସାହୁ, ଡ. ପ୍ରିୟଦର୍ଶିନୀ ମିଶ୍ର, ଡ. ବି ବି ପଣ୍ଡା, ଡ. ବୃଲେନ୍ଦୁ ମହାରଣା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା