
ଜୟପୁର, ୧୩ ଅକ୍ଟୋବର (ହି.ସ.)-କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ଦଶମନ୍ତପୁର ଗ୍ରାମ ପଞ୍ଚାୟତର ସାରୁକୁଣ୍ଡ ଗାଁରେ ପକ୍କା ରାସ୍ତା ହୋଇନଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ନାଳ ଉପରେ ସ୍ଥାୟୀ ପୋଲ ନଥିବାରୁ ଗ୍ରାମବାସୀଙ୍କ ଯାତାୟାତ ସମସ୍ୟା ଦୀର୍ଘଦିନ ଧରି ଲାଗି ରହିଛି। ନିଜ ଉଦ୍ୟମରେ ମାଟି ଓ ପଥର ପକାଇ ତିଆରି କରିଥିବା ଅସ୍ଥାୟୀ ରାସ୍ତାକୁ ବର୍ଷାଜଳ ନଷ୍ଟ କରିଦେବାରୁ ପୁଣି ଥରେ ଦୁର୍ଦ୍ଦଶା ଭୋଗୁଛନ୍ତି ଗ୍ରାମବାସୀ। ଗ୍ରାମବାସୀଙ୍କ ପାଇଁ ନାଳ ଉପରେ ଏକ ସ୍ଥାୟୀ ପୋଲ ନିର୍ମାଣ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। ପୋଲ ଅଭାବରୁ ବିଶେଷକରି ବର୍ଷା ଦିନରେ ଯାତାୟାତ କଷ୍ଟକର ହେଉଛି। ନାଳରେ ଜଳପ୍ରବାହ ବଢ଼ିଲେ ଗ୍ରାମବାସୀଙ୍କ ଯାତାୟାତ ବାଧାପ୍ରାପ୍ତ ହେଉଛି। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଗ୍ରାମବାସୀ ନିଜସ୍ୱ ଉଦ୍ୟମରେ ମାଟି ଓ ପଥର ପକାଇ ଅସ୍ଥାୟୀ ରାସ୍ତା ତିଆରି କରିଥିଲେ। ତେବେ ବର୍ଷାଜଳର ପ୍ରବଳ ସ୍ରୋତରେ ତାହା ନଷ୍ଟ ହୋଇଯିବାରୁ ଲୋକଙ୍କ ଆଶା ପୁଣି ଧୂଳିସାତ୍ ହୋଇଛି।ଏହାର ପ୍ରଭାବ ଗ୍ରାମବାସୀଙ୍କ ଦୈନନ୍ଦିନ ଜୀବନ ଉପରେ ପଡ଼ୁଛି। ଛାତ୍ରଛାତ୍ରୀଙ୍କ ପାଠପଢ଼ା, ରୋଗୀଙ୍କୁ ଚିକିତ୍ସାଳୟ ନେବା ଏବଂ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟ ପାଇଁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷା ହେଲେ ନାଳରେ ପାଣି ବଢ଼ିବା ସହ ଯାତାୟାତ ଆହୁରି ବିପଦପୂର୍ଣ୍ଣ ହୋଇପଡ଼ୁଛି। ଏଭଳି ସ୍ଥିତିରେ ଗ୍ରାମବାସୀଙ୍କ ପାଇଁ ସ୍ଥାୟୀ ପୋଲ ନିର୍ମାଣ କେବଳ ଏକ ଦାବି ନୁହେଁ, ବରଂ ଏକ ମୌଳିକ ଆବଶ୍ୟକତା ପାଲଟିଛି।ଗ୍ରାମାଞ୍ଚଳର ବିକାଶର ମୂଳ ଆଧାର ହେଉଛି ଉନ୍ନତ ରାସ୍ତା ଓ ନିରାପଦ ଯୋଗାଯୋଗ ବ୍ୟବସ୍ଥା। କିନ୍ତୁ ସାରୁକୁଣ୍ଡ ଗ୍ରାମରେ ପୋଲ ଅଭାବରୁ ଲୋକଙ୍କୁ ଏଭଳି ସମସ୍ୟା ଭୋଗିବାକୁ ପଡୁଛି। ଯାହା ଗ୍ରାମାଞ୍ଚଳର ବିକାଶକୁ ନେଇ ପ୍ରଶ୍ନ ସୃଷ୍ଟି କରୁଛି। ତେଣୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧି ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ନାଳ ଉପରେ ସ୍ଥାୟୀ ପୋଲ ନିର୍ମାଣ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି। ନିର୍ବାଚନ ପରେ ନିର୍ବାଚନ ଆସୁଛି ପ୍ରତ୍ୟେକ ନିର୍ବାଚନରେ ସାରୁକୁଣ୍ଡ ଗାଁରେ ନେତା ଯାଇ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇଛନ୍ତି ହେଲେ ଏ ପର୍ଯ୍ୟନ୍ତ ସାରୁକୁଣ୍ଡ ଗ୍ରାମରେ ପକ୍କାରାସ୍ତା ହୋଇନଥିବା ନେଇ ଗ୍ରାମବାସୀ ସାଧାରଣରେ ଅଭିଯୋଗ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି