
ବରଗଡ଼, ୧୩ ଅକ୍ଟୋବର (ହି.ସ.)- ବରଗଡ଼ର ଗ୍ରାମ୍ୟଦେବୀ ମା ସମଲେଶ୍ୱରୀଙ୍କ ଶାରଦୀୟ ନବ ଦିନାତ୍ମକ ପୂଜା ଜାରି ରହିଛି । ଅକ୍ଟୋବର ୧୧ ତାରିଖରୁ ଆରମ୍ଭ ହୋଇଥିବା ଏହି ପୂଜା ଉତ୍ସବ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ ମା’ ସମଲେଶ୍ୱରୀଙ୍କୁ ବିଭିନ୍ନ ବେଶରେ ସଜ୍ଜିତ କରାଯାଇ ପୂଜାର୍ଚ୍ଚନା କରାଯାଉଛି ।
ଆଜି ଆଶ୍ୱିନ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିରେ ମା' ଙ୍କ ଚନ୍ଦ୍ରଘଣ୍ଟା ବେଶ ଅନୁଷ୍ଠିତ ହୋଇଛି । ଶ୍ରଦ୍ଧାଳୁ ମାନଙ୍କୁ ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ୱରୀ । ଏହି ଅବସରରେ ମାଙ୍କ ଦର୍ଶନ ପାଇଁ ମନ୍ଦିରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ଭକ୍ତମାନେ ଯେପରି ସୁବିଧାରେ ମା ଙ୍କ ଦର୍ଶନ କରିପାରିବେ ସେନେଇ ମନ୍ଦିର କମିଟୀ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।
ପ୍ରକାଶ ଥାଉକି, ଅକ୍ଟୋବର ୧୦ ତାରିଖ ଆଶ୍ୱିନ ଆମାବାସ୍ୟା ତିଥିରେ ମା' ସମଲେଶ୍ୱରୀ ଭକ୍ତମାନଙ୍କୁ ଧବଳମୁଖୀ ବେଶ ବା ଗଙ୍ଗା ବେଶରେ ଦର୍ଶନ ଦେଇଥିଲେ । ୧୧ ତାରିଖରେ ମା’ଙ୍କ ଶୈଳପୁତ୍ରୀ ବେଶ ଏବଂ ୧୨ ତାରିଖରେ ମା’ ସମଲେଶ୍ୱରୀଙ୍କ ବ୍ରହ୍ମଚାରିଣୀ ବେଶ ଅନୁଷ୍ଠିତ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ