
ବଲାଙ୍ଗିର, ୧୩ ଅକ୍ଟୋବର (ହି.ସ.)- ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଳକ ଅନ୍ତର୍ଗତ କୁଶଙ୍ଗ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା' କୁଶଙ୍ଗାଇଙ୍କ ପୀଠରେ ଷୋଡଶ ଦିନାତ୍ମକ ପୂଜା ଆଶ୍ୱିନ କୃଷ୍ଣ ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ବେଳେ ଏହା ମହାଷ୍ଟମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଆଶ୍ଵିନ ଶୁକ୍ଳ ପ୍ରତିପଦା ଠାରୁ ନବରାତ୍ରୀ ଆରମ୍ଭ ହୋଇଥିବାରୁ ମା'କୁଶଙ୍ଗାଇଙ୍କୁ ନବଦୁର୍ଗାଙ୍କ ବିଭିନ୍ନ ରୂପରେ ଦର୍ଶନ କରୁଛନ୍ତି ଭକ୍ତମାନେ । ଗତକାଲି ଦ୍ଵିତୀୟ ଦିନ ବ୍ରହ୍ମଚାରିଣୀ ବେଶରେ ଦର୍ଶନ ଦେଇଥିଲେ ଆଦ୍ଯାଶକ୍ତି ମା' କୁଶଙ୍ଗାଇ ।
ପୁରାଣ କଥାବସ୍ତୁ ଅନୁସାରେ, ଶୈଳପୁତ୍ରୀ ଶିବଙ୍କୁ ପତି ରୂପେ ପାଇବା ପାଇଁ ବ୍ରହ୍ମଚାରିଣୀ ରୂପରେ କଠୋର ତପସ୍ୟା କରିଥିଲେ । ଏହି ସମୟରେ ସେ କୌଣସି ପତ୍ର ସୁଦ୍ଧା ଆହାର ଗ୍ରହଣ କରିନଥିବାରୁ ତାଙ୍କୁ 'ଅପର୍ଣ୍ଣା' ବୋଲି ମଧ୍ୟ କୁହାଯାଏ । ଦୁର୍ଗାଙ୍କର ଏହି ତପଶ୍ଚାରିଣୀ ରୂପକୁ ଆରାଧନା କଲେ ମନୁଷ୍ୟ ତ୍ୟାଗ, ସଦାଚାର ଏବଂ ସଂଯମ ଲାଭ କରେ । ମା' କୁଶଙ୍ଗାଇଙ୍କ ବିଭିନ୍ନ ନବଦୁର୍ଗା ରୂପ ଦର୍ଶନ କରିବା ପାଇଁ ଭକ୍ତଙ୍କର ପ୍ରତିଦିନ ଭିଡ଼ ପରିଲକ୍ଷିତ ହେଉଛି । ଆସନ୍ତା ୧୮ ତାରିଖ ମହାଷ୍ଟମୀ ତିଥି ରାତିରେ ଏବଂ କୁମାରପୂର୍ଣ୍ଣମୀ ରାତିରେ ମା'କୁଶଙ୍ଗାଇଙ୍କର ପ୍ରସିଦ୍ଧ ବଏଲ ଯାତ୍ରା ଅନୁଷ୍ଠିତ ହେବ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ