
ଝାରସୁଗୁଡ଼ା, ୧୩ ଅକ୍ଟୋବର (ହି.ସ.)- ବେଲପାହାଡ଼ ସହରର ୧୯ଟି ୱାର୍ଡରେ ଦୀର୍ଘଦିନ ଧରି ଲାଗି ରହିଥିବା ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ଦାବିରେ ବିଜେଡି ପକ୍ଷରୁ ପୌର ନିର୍ବାହୀ ଅଧିକାରୀ ଗୌରବ ପ୍ରଧାନଙ୍କୁ ଏକ ୧୦ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ବେଲପାହାଡ଼ ବିଜେଡି ଟାଉନ୍ ସଭାପତି ବସନ୍ତ ମହାନ୍ତିଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ପୌର କାର୍ଯ୍ୟାଳୟରେ ପହଞ୍ଚି ସହରବାସୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ।
ଦାବିପତ୍ରରେ ବାର୍ଦ୍ଧକ୍ୟ ଓ ଦିବ୍ୟାଙ୍ଗ ଭତ୍ତା ତୁରନ୍ତ ପ୍ରଦାନ, ରାସ୍ତାରେ ବୁଲୁଥିବା ଗୋରୁଙ୍କୁ ହଟାଇବା, ସମସ୍ତ ୱାର୍ଡରେ ଅଚଳ ଷ୍ଟ୍ରିଟ୍ ଲାଇଟ୍ ମରାମତି, ଡ୍ରେନ୍ ସଫେଇ ଓ ମରାମତି କରିବା ଏବଂ ପାଣି ପାଇପ୍ ବିଛା କାମ ଯୋଗୁଁ ନଷ୍ଟ ହୋଇଥିବା ରାସ୍ତାର ପୁନରୁଦ୍ଧାର ଭଳି ସମସ୍ୟା ଉଠାଯାଇଛି।
ସେହିପରି ପାନୀୟ ଜଳ ସଙ୍କଟ ଥିବା ଅଞ୍ଚଳରେ ପାଣି ଟାଙ୍କି ସ୍ଥାପନ, ଜନବସତି ଅଞ୍ଚଳରେ ଅନିୟମିତ ଭାବେ ଆବର୍ଜନା ପକାଇବା ବନ୍ଦ କରିବା, ସମସ୍ତ ୱାର୍ଡରେ ନିୟମିତ ସଫେଇ ଓ ଆବର୍ଜନା ଉଠାଣ ବ୍ୟବସ୍ଥା ସୁନିଶ୍ଚିତ କରିବା ଏବଂ ଭେଣ୍ଡିଂ ଜୋନ୍ଗୁଡ଼ିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଦାବି କରାଯାଇଛି। ଏଥିସହ ଖାଲଗୁଡ଼ା କଲ୍ୟାଣ ମଣ୍ଡପର ବୁକିଂ ଶୁଳ୍କ ୩ ହଜାର ଟଙ୍କାକୁ ହ୍ରାସ କରିବା ପାଇଁ ମଧ୍ୟ ବିଜେଡି ପକ୍ଷରୁ ଦାବି ଉଠାଯାଇଛି।
ସହରବାସୀଙ୍କ ମୌଳିକ ସୁବିଧା ଓ ଜନସ୍ୱାର୍ଥକୁ ଗୁରୁତ୍ୱ ଦେଇ ପୌରପରିଷଦ କର୍ତ୍ତୃପକ୍ଷ ଏହି ସମସ୍ୟାଗୁଡ଼ିକର ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ବିଜେଡି ପକ୍ଷରୁ ଅନୁରୋଧ କରାଯାଇଛି। ଏହି ଅବସରରେ ଦଳର ଅନ୍ୟାନ୍ୟ କର୍ମୀ ମଧ୍ୟ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ