
ଝାରସୁଗୁଡ଼ା, ୧୩ ଅକ୍ଟୋବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲା କୋଲାବିରାର ବହୁ ପୁରାତନ ପ୍ରସିଦ୍ଧ ସମଲେଇ ମନ୍ଦିରରେ ଶନିବାର ମହାଳୟା ପୂଜା ଅନୁଷ୍ଠିତ ହେବା ସହ ରବିବାର ଠାରୁ ନବରାତ୍ର ପୂଜା ଆରମ୍ଭ ହୋଇଛି l ନବରାତ୍ରର ପ୍ରଥମ ଦିବସରେ ରବିବାର ମା' ସମଲେଇ ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି l ଏହାସହ ସୋମବାର ବ୍ରହ୍ମଚାରିଣୀ ବେଶ ଓ ମଙ୍ଗଳବାର ଚନ୍ଦ୍ରଘଣ୍ଟା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି l ଏନେଇ ମନ୍ଦିରରେ ରବିବାର ଠାରୁ ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା ଚାଲୁ ରହିଛି l ଏଥିରେ ପୂଜା କର୍ତ୍ତା ଜମିଦାର ଅମରେନ୍ଦ୍ର ପ୍ରତାପ ସିଂହ ଯୋଗଦେଇଥିଲେ l ଚନ୍ଦ୍ରଶେଖର ମିଶ୍ର ପୂଜା ଦାୟିତ୍ଵ ସମ୍ପାଦନ କରିଥିଲେ l ରବିବାର ଭକ୍ତ ମାନେ ମାନସିକ ଦୀପ ଦମ୍ବୋ ସ୍ଥାପନ କରିଥିଲେ l ମନ୍ଦିର ମୌରସି ସେବାୟତ ଭଗବାନ ରାଏ, ଦଶରଥ ରାଏ, ସମରେନ୍ଦ୍ର ରାଏ, ସୁଶାନ୍ତ ରାଏ, ଶୈଳେନ୍ଦ୍ର ରାଏ, ଅଶ୍ୱିନୀ ରାଏ, ଭବାନୀ ରାଏ ପ୍ରମୁଖ ପୂଜାର୍ଚ୍ଚନା ରେ ସହଯୋଗ କରୁଛନ୍ତି l ଏଥିରେ ମନ୍ଦିର ପୂଜା କମିଟିର ସମସ୍ତ ସଦସ୍ୟ ସହଯୋଗ କରୁଛନ୍ତି l
ଆସନ୍ତା ୯ ଦିନ ଧରି ନବରାତ୍ର ପୂଜା ଅନୁଷ୍ଠିତ ହେବାକୁ ଥିବା ବେଳେ ଆସନ୍ତା ୧୭ ତାରିଖ ସପ୍ତମୀ ପୂଜା ଓ ମାନସିକ ଦୀପ ପ୍ରଜ୍ୱଳନ,୧୮ ତାରିଖ ଅଷ୍ଟମୀ ପୂଜା ସହ ଭାଇ ଜିଉଁତିଆ ପୂଜା, ୧୯ ତାରିଖ ନବମୀ ପୂଜା ଓ ୨୦ ତାରିଖ ଦଶମୀ ତିଥିରେ ମଧ୍ୟାହ୍ନରେ ହୋମଯଜ୍ଞ ସହ ପୂର୍ଣ୍ଣାହୁତି ପୂଜା ଅନୁଷ୍ଠିତ ହେବ ପୂଜା କମିଟି ସୂତ୍ରରୁ ପ୍ରକାଶ l ସପ୍ତମୀ ଠାରୁ ଦଶମୀ ପର୍ଯ୍ୟନ୍ତ ପ୍ରତ୍ୟକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପୂଜା କମିଟି ସୂତ୍ରରୁ ପ୍ରକାଶ l
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ