ନବରାତ୍ରୀର ତୃତୀୟ ଦୁର୍ଗା ସ୍ଵରୂପ ମା' ଚନ୍ଦ୍ରଘଣ୍ଟା
ଭୁବନେଶ୍ଵର, ୧୩ ଅକ୍ଟୋବର (ହି.ସ.)- ପବିତ୍ର ଆଶ୍ୱିନ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି ତଥା ନବରାତ୍ରୀର ତୃତୀୟ ଦିବସରେ ଆଜି ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ବିଭିନ୍ନ ଶକ୍ତି ପୀଠ ମାନଙ୍କରେ ରୀତିନୀତି ସହ ପୂଜାର୍ଚ୍ଚନା ସାଙ୍ଗକୁ ମା’ ଙ୍କ ଚନ୍ଦ୍ରଘଣ୍ଟା ବେଶ ଅନୁଷ୍ଠିତ ହୋଇଛି । ଦେବୀ ପାର୍ବତୀଙ୍କ ବ
ନବରାତ୍ରୀର ତୃତୀୟ ଦୁର୍ଗା ସ୍ଵରୂପ ମା' ଚନ୍ଦ୍ରଘଣ୍ଟା


ଭୁବନେଶ୍ଵର, ୧୩ ଅକ୍ଟୋବର (ହି.ସ.)- ପବିତ୍ର ଆଶ୍ୱିନ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି ତଥା ନବରାତ୍ରୀର ତୃତୀୟ ଦିବସରେ ଆଜି ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ବିଭିନ୍ନ ଶକ୍ତି ପୀଠ ମାନଙ୍କରେ ରୀତିନୀତି ସହ ପୂଜାର୍ଚ୍ଚନା ସାଙ୍ଗକୁ ମା’ ଙ୍କ ଚନ୍ଦ୍ରଘଣ୍ଟା ବେଶ ଅନୁଷ୍ଠିତ ହୋଇଛି । ଦେବୀ ପାର୍ବତୀଙ୍କ ବିବାହିତ ରୂପ ହେଉଛନ୍ତି ମା’ ଚନ୍ଦ୍ରଘଣ୍ଟା । ବିବାହ ପରେ ଦେବୀଙ୍କ କପାଳରେ ଘଣ୍ଟାଭଳି ଦିଶୁଥିବା ଅର୍ଦ୍ଧଚନ୍ଦ୍ର ସଜାଯାଇଥିବାରୁ ଏପରି ନାମ ହୋଇଛି । ନବରାତ୍ରିର ତୃତୀୟ ଦିନରେ ମା’ ଚନ୍ଦ୍ରଘଣ୍ଟାଙ୍କ ପୂଜା କରାଯାଏ ।

ଦେବୀ ଚନ୍ଦ୍ରଘଣ୍ଟା ଶୁକ୍ର ଗ୍ରହକୁ ନିୟନ୍ତ୍ରଣ କରନ୍ତି । ଏକ ବ୍ୟାଘ୍ରୀ ତାଙ୍କ ବାହାନ, ଦେବୀ ତ୍ରିନେତ୍ରା ଓ ଦଶଭୁଜା ଏବଂ ସୁବର୍ଣ୍ଣବର୍ଣ୍ଣା, ବାମପଟ ଚାରୋଟି ହସ୍ତରେ ତ୍ରିଶୂଳ, ଗଦା, ଖଡ୍ଗ ଓ କମଣ୍ଡଳୁ ଧାରଣ କରିଥାନ୍ତି ତଥା ପଚଂମ ହସ୍ତ ବରଦ ମୁଦ୍ରାରେ ଥାଏ । ଦକ୍ଷିଣ ପଟ ଚାରୋଟି ହସ୍ତରେ ପଦ୍ମପୁଷ୍ପ, ଧନୁ, ତୀର ଓ ଜପମାଳା ଧାରଣ କରନ୍ତି ତଥା ପଚଂମ ହସ୍ତ ଅଭୟ ମୁଦ୍ରାରେ ଶୋଭାପାଏ । ମା'ଙ୍କ ଏହି ରୂପ ସମସ୍ତ ରିପୁଦମନ କରି ଭକ୍ତକୁ ଶକ୍ତି ପ୍ରଦାନ କରିଥାଏ । ବିଶ୍ୱାସ କରାଯାଏ ଯେ, ମା'ଙ୍କର ମସ୍ତକରେ ଶୋଭାପାଉଥିବା ଚନ୍ଦ୍ରଘଣ୍ଟାର ଶବ୍ଦ ସମସ୍ତ ଭୂତ ପ୍ରେତ ଓ ଦୁରାତ୍ମାମାନଙ୍କୁ ଦୂର କରି ଦେଇଥାଏ ।

ପ୍ରକାଶ ଥାଉକି, ନବରାତ୍ରୀର ପ୍ରଥମ ଦିବସ ତଥା ୧୧ ତାରିଖରେ ମା'ଙ୍କ ଶୈଳପୁତ୍ରୀ ବେଶ ଏବଂ ୧୨ ତାରିଖରେ ମା’ ଦୂର୍ଗାଙ୍କ ବ୍ରହ୍ମଚାରିଣୀ ବେଶ ଅନୁଷ୍ଠିତ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande