
କେନ୍ଦ୍ରାପଡ଼ା, ୧୩ ଅକ୍ଟୋବର(ହି.ସ.) – ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସାଂସଦ ବୈଜୟନ୍ତ ଜୟ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଷଷ୍ଠ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ପରିଚାଳନା କମିଟି(ଦିଶା) ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କେନ୍ଦ୍ରୀୟ ପ୍ରାୟୋଜିତ ବିଭିନ୍ନ ଯୋଜନାର ଅଗ୍ରଗତି, ପାଣ୍ଠି ବିନିଯୋଗ ଏବଂ କ୍ଷେତ୍ରସ୍ତରରେ କାର୍ଯ୍ୟାନ୍ୱୟନର ସ୍ଥିତି ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ବୈଠକରେ ଆଳି ବିଧାୟକ ପ୍ରତାପ କେଶରୀ ଦେବ, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ମହାକାଳପଡ଼ା ବିଧାୟକ ତଥା କେନ୍ଦ୍ରାପଡ଼ା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଡଃ ଦୁର୍ଗାପ୍ରସନ୍ନ ନାୟକ, ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର, ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତ ଦାସ, ଜିଲ୍ଲାପାଳ ରଘୁରାମ ଆର୍. ଆୟର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତିଙ୍କ ସମେତ ବିଭିନ୍ନ ବ୍ଲକର ମଣ୍ଡଳ ଉନ୍ନୟନ ଅଧିକାରୀ, ଅଧ୍ୟକ୍ଷ ଓ ଅଧ୍ୟକ୍ଷା, ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା, ସରପଂଚ, ସମିତି ସଭ୍ୟ ଏବଂ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଓ ଲାଇନ ଡିପାର୍ଟମେଂଟର ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଜିଲ୍ଲାପାଳ ଶ୍ରୀ ରଘୁରାମ ଆର୍. ଆୟର ସମସ୍ତ ଅତିଥି ଓ ସଦସ୍ୟଙ୍କୁ ସ୍ୱାଗତ ଜଣାଇବା ସହ ପୂର୍ବବର୍ତୀ ଦିଶା ବୈଠକରେ ନିଆଯାଇଥିବା ନିଷ୍ପତିଗୁଡ଼ିକର କାର୍ଯ୍ୟାନ୍ୱୟନ ଓ ଅଗ୍ରଗତି ସମ୍ପର୍କରେ ଅବଗତ କରାଇଥିଲେ। ପୂର୍ବ ବୈଠକରେ ‘ବେଟି ବଚାଓ, ବେଟି ପଢ଼ାଓ’ ଏବଂ ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଯଥା ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ଭିତିଭୂମି ବିକାଶ, ବିଦ୍ୟୁତ ସଂଯୋଗ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଉନ୍ନତମାନର ପୁଷ୍ଟିକର ଖାଦ୍ୟ ବଂଟନ ଏବଂ ଶୌଚାଳୟ ସୁବିଧା ସୁନିଶ୍ଚିତ କରିବା ପାଇଁ ନିଆ ଯାଇଥିବା ନିଷ୍ପତି ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ସମ୍ପୂର୍ଣ୍ଣ ହୋଇଥିବା ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ମୌଳିକ ସୁବିଧା ଉପଲବ୍ଧତା ସୁନିଶ୍ଚିତ କରିବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ। ଆଜିର ବୈଠକରେ ଜାତୀୟ ଖାଦ୍ୟ ନିରାପତା ଆଇନ, ସ୍ୱଚ୍ଛ ଭରତ ଅଭିଯାନ(ଗ୍ରାମୀଣ) ଓ ସ୍ୱଚ୍ଛ ଭରତ ଅଭିଯାନ(ସହରାଂଚଳ), ଅନ୍ତ୍ୟୋଦୟ ଅନ୍ନଯୋଜନା ଅଗ୍ରଗତି ନେଇ ବିସ୍ତୃତ ଆଲୋଚନା ଓ ସମୀକ୍ଷା କରାଯାଇଥିଲା। ୨୦୧୫ ମସିହା ଡିସେମ୍ବର ମାସରୁ କାର୍ଯ୍ୟକାରୀ ହେଉଥିବା ଜାତୀୟ ଖାଦ୍ୟ ନିରାପତା ଆଇନ ଅନୁଯାଇ କେନ୍ଦ୍ରାପଡ଼ା ଜିଲ୍ଲାରେ ୧୧,୨୩,୮୬୫ ଜଣ ହିତାଧିକାରୀ ଉପକୃତ ହେବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବାବେଳେ ମୋଟ ୧୧,୪୦,୦୬୭ ଜଣ ଯୋଗ୍ୟ ହିତାଧିକାରୀ ଉପକୃତ ହେଉଛନ୍ତି। ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ ଅରୁଆ ଚାଉଳ ବଦଳରେ ଉଷୁନା ଚାଉଳ ପ୍ରଦାନ, ସମୀକ୍ଷା କରି ରଦ୍ଦ ହୋଇଥିବା ଡିଲରସିପ ବଦଳରେ ନୂତନ ଡିଲରସିପ ଡିସେମ୍ବର ୩୧ ତାରିଖ ସୁଦ୍ଧା ପ୍ରଦାନ, ଅନ୍ତ୍ୟୋଦୟ ଅନ୍ନ ଯୋଜନା ସହିତ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ହିତାଧିକାରୀଙ୍କ ପରିବାର ମୁଣ୍ଡ ପିଛା ମାସକୁ ଅତିରିକ୍ତ ୫ କେଜି ଚାଉଳ ପ୍ରଦାନ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ସ୍ୱଚ୍ଛ ଭରତ ଅଭିଯାନ(ଗ୍ରାମୀଣ) ଯୋଜନାରେ ନିଜ ଘରେ ଶୌଚାଳୟ ନିର୍ମାଣ ପାଇଁ ଅନ୍ଲାଇନ ମାଧ୍ୟମରେ ୧୭,୪୫୮ ଗୋଟି ଦରଖାସ୍ତ ପ୍ରାପ୍ତ ହୋଇଥିବାବେଳେ ୧୦,୨୬୯ ଗୋଟି ରଦ୍ଦ ହୋଇଛି ଏବଂ ୫୨୬୭ ଗୋଟି ବିଚାର ଯୋଗ୍ୟ ଅଛି। ଏହି ଯୋଜନା ଅଧିନରେ ନିର୍ମାଣ ହୋଇଥିବା ଶୌଚାଳୟଗୁଡ଼ିକର କାର୍ଯ୍ୟକାରୀତାର ସମୀକ୍ଷା ହେବାର ଆବଶ୍ୟକତା ରହିଛି ବୋଲି ଜିଲ୍ଲାପରିଷଦ ସଭାପତି ପରାମର୍ଶ ଦେଇଥିଲେ। ଜିଲ୍ଲାରେ ୨୪୯ ଗୋଟି ପଂଚାୟତ ମଧ୍ୟରୁ ୩୧ ଗୋଟି ପଂଚାୟତରେ ବର୍ଜ୍ୟବସ୍ତୁ ସଂଗ୍ରହ ପାଇଁ ୪୯୮ ଜଣ ସ୍ୱଚ୍ଛ କର୍ମଚାରୀ ନିୟୋଜିତ ଅଛନ୍ତି ବୋଲି ରିପୋର୍ଟ ପ୍ରଦାନ କରାଯାଇଛି। ସ୍ୱଚ୍ଛ ଭରତ ଅଭିଯାନ(ସହରାଂଚଳ) ଯୋଜନାରେ କେନ୍ଦ୍ରାପଡ଼ାର ୨୧ ଗୋଟି ୱାର୍ଡ଼ ଓ ପଟ୍ଟାମୁଣ୍ଡାଇର ୨୦ ଗୋଟି ୱାର୍ଡ଼ରେ ଘରକୁ ଘର ଗାଡ଼ି ଯାଇ ଶୁଖିଲା ଓ ଓଦା ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଉଛି। କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ସହରାଂଚଳରୁ ସଂଗୃହୀତ ବର୍ଜ୍ୟବସ୍ତୁରୁ “ମୋ-ଖତ” ତିଆରି କରି ମଧ୍ୟ ବିକ୍ରି କରାଯାଉଛି ବୋଲି ଦୁଇ ନିର୍ବାହୀ ଅଧିକାରୀ ବୈଠକକୁ ଅବଗତ କରାଇଥିଲେ। ସାଂସଦ କେନ୍ଦ୍ରୀୟ ଅନୁଦାନର ସୁବିନିଯୋଗ ଏବଂ ଯୋଜନାଗୁଡ଼ିକର ଫଳପ୍ରଦ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱାରୋପ କରିବା ସହ ଉନ୍ନୟନ ମୂଳକ କାର୍ଯ୍ୟରେ ସ୍ଥାନୀୟ ଜନପ୍ରତିନିଧିମାନଙ୍କ ସକ୍ରିୟ ସହଭାଗିତା ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଥିଲେ। ଶେଷରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅଜାମ୍ବର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି