
ଭୁବନେଶ୍ବର, 14 ଅକ୍ଟୋବର (ହି.ସ.)- ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ବିଜେପି କର୍ମୀଙ୍କ ଦ୍ୱାରା ଭଙ୍ଗାରୁଜା ଘଟଣାକୁ ବିଜେଡ଼ି ପକ୍ଷରୁ ଘୋର ନିନ୍ଦା କରାଯାଇଛି ।ଉପସଭାପତି ଶ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି ଯେ, ବିଜେପି ସରକାର ଅପରାଧିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରୁଛି । ଯାହାକୁ ନେଇ ରାଜ୍ୟ ବ୍ୟାପି ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଛି । ଯାହାକି ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ବିଜୁ ଜନତା ଦଳ ପକ୍ଷରୁ ଏହାକୁ ତୀବ୍ର ଭାବେ ନିନ୍ଦା କରିଛନ୍ତି । କାର୍ଯ୍ୟାଳୟର ଆସବାବପତ୍ର ଓ ଅନ୍ୟାନ୍ୟ ସମ୍ପତ୍ତି ନଷ୍ଟ କରାଯିବା ସହ ଗୁରୁତ୍ୱପୂର୍ଣ୍ଣ ସରକାରୀ କାଗଜପତ୍ର ଏଣେତେଣେ ଫିଙ୍ଗାଯାଇଥିବା ଅଭିଯୋଗ ଅତ୍ୟନ୍ତ ଉଦ୍ବେଗଜନକ । ଏହା ଗଣତାନ୍ତ୍ରିକ ଅନୁଷ୍ଠାନ ପ୍ରତି ସମ୍ମାନ, ଆଇନର ଶାସନ ଏବଂ ସରକାରୀ ସମ୍ପତ୍ତିର ସୁରକ୍ଷାକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛି । ସରକାରୀ କାର୍ଯ୍ୟାଳୟ ହେଉଛି ଜନସାଧାରଣଙ୍କ ଅନୁଷ୍ଠାନ । ଏହାକୁ ରାଜନୈତିକ ବିବାଦ, ଭୟଭୀତ କରିବା କିମ୍ୱା ହିଂସାର କେନ୍ଦ୍ରରେ ପରିଣତ କରାଯିବା ଉଚିତ ନୁହେଁ । ସେ ଆହୁରି କହିଛନ୍ତି ଯେ, ରାଜନୈତିକ ମତଭେଦ କିମ୍ୱା ବିଚାରଧାରାଗତ ପାର୍ଥକ୍ୟକୁ ଆଲୋଚନା ଏବଂ ଆଇନସମ୍ମତ ଗଣତାନ୍ତ୍ରିକ ପଦ୍ଧତି ମାଧ୍ୟମରେ ସମାଧାନ କରାଯିବା ଉଚିତ । ଆଇନ ହାତକୁ ନେଇ ଭଙ୍ଗାରୁଜା, ଭୟଭୀତ କରିବା କିମ୍ୱା ସରକାରୀ ସମ୍ପତ୍ତି ନଷ୍ଟ କରିବା ଆଦୌ ଗ୍ରହଣୀୟ ନୁହେଁ । ଏପରି କାର୍ଯ୍ୟ ଗଣତନ୍ତ୍ର ଓ ସାମ୍ୱିଧାନିକ ଶାସନର ମୌଳିକ ନୀତିର ପରିପନ୍ଥୀ । ଗୁରୁତ୍ୱପୂର୍ଣ୍ଣ ସରକାରୀ କାଗଜପତ୍ରକୁ ଫିଙ୍ଗି ଦିଆଯିବା ଏବଂ ସେଗୁଡ଼ିକର ସମ୍ଭାବ୍ୟ ଅବ୍ୟବସ୍ଥିତ ପରିଚାଳନା ନେଇ ଅଭିଯୋଗ ଅଧିକ ଚିନ୍ତାଜନକ । ଏହାଦ୍ୱାରା ସରକାରୀ କାର୍ଯ୍ୟ ପ୍ରଭାବିତ ହେବା ସହ ସରକାରୀ ନଥିପତ୍ରର ସୁରକ୍ଷା ଓ ଅଖଣ୍ଡତା ବିପନ୍ନ ହୋଇପାରେ । ତେଣୁ କାର୍ଯ୍ୟାଳୟର କ୍ଷୟକ୍ଷତି ଏବଂ ସରକାରୀ କାଗଜପତ୍ରର ସ୍ଥିତି ସମ୍ପର୍କରେ ତୁରନ୍ତ ଉପଯୁକ୍ତ ଆକଳନ କରାଯିବା ଆବଶ୍ୟକ । ପୋଲିସ ପ୍ରଶାସନ ରାଜ୍ୟ ସରକାରଙ୍କ ହାତ ବାରିସି ସାଜି କାର୍ଯ୍ୟ ନକରି ନିରପେକ୍ଷ ତଦନ୍ତ କରି ପଦକ୍ଷେପ ଗ୍ରହଣ କରନ୍ତୁ । ଏମିତି ହେଲେ ସତ୍ୟବାଦୀରେ ଆଇନ ବିଧି ବ୍ୟବସ୍ଥା ନିୟନ୍ତ୍ରଣରେ ରହିବ ନାହିଁ । ବିଜେପି ସରକାର ଏବଂ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଏହି ଘଟଣାର ସ୍ୱଚ୍ଛ ଓ ନିରପେକ୍ଷ ତଦନ୍ତ ସୁନିଶ୍ଚିତ କରିବାକୁ ଦାବି କରିଛନ୍ତି । ତଦନ୍ତରେ ଯେଉଁମାନେ ଦୋଷୀ ବୋଲି ପ୍ରମାଣିତ ହେବେ, ସେମାନଙ୍କୁ କୌଣସି ରାଜନୈତିକ ପକ୍ଷପାତ କିମ୍ୱା ଭେଦଭାବ ବିନା ଆଇନ ଅନୁଯାୟୀ କଠୋର ଦଣ୍ଡ ଦିଆଯିବା ଆବଶ୍ୟକ । ଏହା ସହିତ, ନିରପେକ୍ଷ ତଦନ୍ତ ପାଇଁ ଉପଲବ୍ଧ ସମସ୍ତ ସିସିଟିଭି ଫୁଟେଜ୍ ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ପ୍ରମାଣକୁ ସୁରକ୍ଷିତ ରଖିବାକୁ ଦଳ ଦାବି କରିଛି । ସରକାରୀ ସମ୍ପତ୍ତିର କ୍ଷୟକ୍ଷତିର ପରିମାଣ ଆକଳନ କରିବା, କାର୍ଯ୍ୟାଳୟର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ଏବଂ ଭବିଷ୍ୟତରେ ଏପରି ଘଟଣାର ପୁନରାବୃତ୍ତି ରୋକିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ଦଳ ଦାବି କରିଛି ।
ସାଂସଦ ଶ୍ରୀ ସୁଭାଶିଷ ଖୁଣ୍ଟିଆ କହିଛନ୍ତି ଯେ,ଡବଲ ଇଞ୍ଜିନ ସରକାରରେ ଓଡ଼ିଶା ଉନ୍ନତି ବଦଳରେ ଅବନତି ଆଡ଼କୁ ଗତି କରୁଛି । ଅପରାଧର ସାହାରା ନେଉଥିବା ବେଳେ ପଞ୍ଚଶଖାଙ୍କ ମାଟି ସତ୍ୟବାଦୀରେ ବି ଅପରାଧ ଭିଆଇବାରେ ଲାଗି ପଡିଛନ୍ତି । ଯାହାକି ଅତ୍ୟନ୍ତ ନିନ୍ଦନୀୟ । ବ୍ଲକ କାର୍ଯ୍ୟାଳୟକୁ ଆସି ଗ୍ରାମବାସୀ ମାନେ ଅଭିଯୋଗ ଜଣାଉଥିବା ବେଳେ ତାହାକୁ ଭଙ୍ଗାରୁଜା କରିଛନ୍ତି । ରାଜନୈତିକ ହିଂସା, ଧମକ କିମ୍ୱା ଭୟଭୀତ କରିବା ଭଳି ଘଟଣା ବିଜେପି ସରକାରଙ୍କ ଇଙ୍ଗିତରେ ହେଉଛି । ଯାହାକି ଗଣତନ୍ତ୍ର ପାଇଁ ଜମାରୁ ଗ୍ରହଣୀୟ ନୁହେଁ । ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । ସତ୍ୟବାଦୀ ପୋଲିସ ବିଜେପି ସରକାରଙ୍କ ହାତ ବାରିସି ସାଜି କାର୍ଯ୍ୟ ନକରି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା