
ପାଟନା/ବୈଶାଳୀ, ୧୪ ଅକ୍ଟୋବର (ହି.ସ.)। ବିହାରର ବୈଶାଳୀ ଜିଲ୍ଲାର ରଘୋପୁରଠାରେ ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୧୨ଟା ସମୟରେ ଗଙ୍ଗା ନଦୀରେ ଏକ ଡଙ୍ଗା ଓଲଟି ପଡ଼ିବାରୁ ୧୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ୭ ଜଣ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ବୈଶାଳୀ ଜିଲ୍ଲାପାଳ ବର୍ଷା ସିଂହ ଏହି ଘଟଣାର ପୁଷ୍ଟି କରିଛନ୍ତି। ମୃତକମାନଙ୍କ ମଧ୍ୟରେ ୧୫ ବର୍ଷରୁ କମ୍ ବୟସର ସମସ୍ତ ଶିଶୁ ଅଛନ୍ତି। ଡଙ୍ଗାରେ ମୋଟ ୨୦ ଜଣ ଥିବାବେଳେ ୭ ଜଣଙ୍କୁ ଉଦ୍ଧାର କରାଯାଇଛି।
ବୈଶାଳୀ ଜିଲ୍ଲାପାଳ କହିଛନ୍ତି ଯେ, ଏପର୍ଯ୍ୟନ୍ତ ୧୩ଟି ମୃତଦେହ ଉଦ୍ଧାର କରାଯାଇଛି। ରାତିରେ ଏକ ସୂଚନା ମିଳିଥିଲା ଯେ, ୨୦ ଜଣ ଶିଶୁ ଏକ ଛୋଟ ଡଙ୍ଗାରେ ପଡ଼ୋଶୀ ଗାଁକୁ ଭୋଜି ଖାଇବାକୁ ଯାଉଥିଲେ। ଏହି ସମୟରେ ଡଙ୍ଗାଟି ଓଲଟି ପଡ଼ିବାରୁ ୧୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ଘଟଣାରେ ୭ ଜଣଙ୍କୁ ଉଦ୍ଧାର କରାଯାଇଛି। ସମସ୍ତଙ୍କୁ ଏନ୍ଏମ୍ସିଏଚ୍ ପଠାଯାଇଛି ଏବଂ ସେମାନେ ବିପଦମୁକ୍ତ ଅଛନ୍ତି।
ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ରଘୋପୁର ଥାନା ଅନ୍ତର୍ଗତ ରାମପୁର ଶ୍ୟାମଚନ୍ଦ ଗାଁ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଗଙ୍ଗା ନଦୀରେ ଏକ ଡଙ୍ଗା ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଡଙ୍ଗାରେ ୨୦ ଜଣ ଲୋକ ଥିଲେ। ନଦୀର ମଧ୍ୟଭାଗରେ ହଠାତ୍ ଡଙ୍ଗାଟି ଓଲଟି ପଡ଼ିବାରୁ ଆତଙ୍କ ଖେଳିଯାଇଥିଲା। ଦେଖୁ ଦେଖୁ ଲୋକମାନେ ଗଭୀର ପାଣିରେ ପଡ଼ିବାକୁ ଲାଗିଥିଲେ। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚିତ୍କାର ଓ କାନ୍ଦବୋବାଳି ଶୁଣିବାକୁ ମିଳିଥିଲା। ଖବର ପାଇ ଆଖପାଖ ଗାଁର ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ନିଜ ଉଦ୍ୟମରେ ଲୋକଙ୍କୁ ଉଦ୍ଧାର କରିବା ଆରମ୍ଭ କରିଥିଲେ।
ବିହାରର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ମଧ୍ୟ ଏହି ଡଙ୍ଗା ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, “ବୈଶାଳୀର ରଘୋପୁରଠାରେ ଡଙ୍ଗା ଦୁର୍ଘଟଣାରେ ନିରୀହ ଶିଶୁମାନଙ୍କ ମୃତ୍ୟୁ ଖବର ଅତ୍ୟନ୍ତ ଦୁଃଖଦ ଓ ହୃଦୟବିଦାରକ। ଏହି କଠିନ ସମୟରେ ଶୋକସନ୍ତପ୍ତ ପରିବାରଗୁଡ଼ିକ ପ୍ରତି ମୋର ଗଭୀର ସମବେଦନା ରହିଛି। ଈଶ୍ୱର ଦିବଂଗତ ଆତ୍ମାଙ୍କୁ ଶାନ୍ତି ପ୍ରଦାନ କରନ୍ତୁ ଏବଂ ଏହି ଅପୂରଣୀୟ କ୍ଷତି ସହିବା ପାଇଁ ପରିବାରବର୍ଗଙ୍କୁ ଶକ୍ତି ଦିଅନ୍ତୁ। ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୪-୪ ଲକ୍ଷ ଟଙ୍କା ଲେଖାଏଁ ଅନୁଗ୍ରହ ରାଶି ପ୍ରଦାନ କରାଯିବ। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ଆହତଙ୍କ ଉତ୍ତମ ଚିକିତ୍ସା ସୁନିଶ୍ଚିତ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।”
ଅନ୍ୟପକ୍ଷରେ, ବିହାର ବିଧାନସଭାର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ମଧ୍ୟ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି ଯେ, ରଘୋପୁର ଦିଆରା ଅଞ୍ଚଳରେ ଡଙ୍ଗା ଓଲଟି ପଡ଼ିବାର ଏକ ଦୁଃଖଦ ଖବର ମିଳିଛି। ବୁଡ଼ିଯାଇଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ଶିଶୁ। ଈଶ୍ୱର ସମସ୍ତଙ୍କୁ ସୁରକ୍ଷିତ ରଖନ୍ତୁ। ସେ ସ୍ଥାନୀୟ ଲୋକ ଓ ପ୍ରଶାସନ ସହ ଆଲୋଚନା କରି ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା