ଝାରସୁଗୁଡ଼ାରେ ବିଭିନ୍ନ ବିଦ୍ୟାଳୟରେ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ
Career counseling programme
ଝାରସୁଗୁଡ଼ାରେ ବିଭିନ୍ନ ବିଦ୍ୟାଳୟରେ କ୍ୟାରିୟର କାଉନସେଲିଂ


ଝାରସୁଗୁଡ଼ା, ୧୪ ଅକ୍ଟୋବର (ହି.ସ.) ରାଜ୍ୟ ସରକାରଙ୍କ ‘ସେବା ସଂକଳ୍ପ ଅଭିଯାନ’ ଅଧୀନରେ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ନିମନ୍ତେ ଏକାଧିକ କ୍ୟାରିୟର କାଉନସେଲିଂ ଆଉଟରିଚ୍ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ନବମ ଓ ଦଶମ ଶ୍ରେଣୀ ପରେ ଉଚ୍ଚଶିକ୍ଷା, ବୈଷୟିକ ଶିକ୍ଷା ତଥା ରୋଜଗାରକ୍ଷମ ପାଠ୍ୟକ୍ରମ ଚୟନ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ସଚେତନ ଓ ଉତ୍ସାହିତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ରହିଛି। କାର୍ଯ୍ୟକ୍ରମ ଶୃଙ୍ଖଳାର ପ୍ରାରମ୍ଭରେ ଗତ ୭ ଅକ୍ଟୋବରରେ ବ୍ରଜରାଜନଗରସ୍ଥିତ ପିଏମ୍ ଶ୍ରୀ ଓପିଏମ୍ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୯୨ ଜଣ ଛାତ୍ରୀଙ୍କୁ ନେଇ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ ମ୍ୟାନେଜର, ମ୍ୟାନେଜର, ୟଙ୍ଗ୍ ପ୍ରୋଫେସନାଲ ଏବଂ ସରକାରୀ ITI ତଥା JES କଲେଜର ଅଧ୍ୟାପକମାନେ ଯୋଗଦେଇ ବୈଷୟିକ ଶିକ୍ଷା ସହିତ ସରକାରୀ ଯୋଜନା ଅଧୀନରେ ଥିବା ଉଦ୍ୟୋଗୀକରଣ ଓ ଷ୍ଟାର୍ଟଅପ୍ ସୁଯୋଗ ସମ୍ପର୍କରେ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ସେହିପରି ୯ ଅକ୍ଟୋବରରେ କୋଲାବିରା ପଞ୍ଚାୟତ ସମିତି ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ଶିବିରରେ ୪୬ ଜଣ ଛାତ୍ରଛାତ୍ରୀ ଯୋଗଦେଇ ଦକ୍ଷତା ବିକାଶ ଓ ଭବିଷ୍ୟତ କ୍ୟାରିୟର ସମ୍ବନ୍ଧରେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଗ୍ରହଣ କରିଥିଲେ। ଏହା ପରେ ୧୨ ଅକ୍ଟୋବର ଦିନ ଝାରସୁଗୁଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୯୬ ଜଣ ଛାତ୍ରୀଙ୍କୁ ନେଇ କାଉନସେଲିଂ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇ ଗତ ୧୩ ଅକ୍ଟୋବରରେ ସରବାହାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ୫୯ ଜଣ ଏବଂ ଏଚ୍. କଟାପାଲିସ୍ଥିତ ରତ୍ନାକର ଉଚ୍ଚ ବିଦ୍ୟାଳୟରେ ୫୩ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ପୃଥକ ପୃଥକ ଅଧିବେଶନ କରାଯାଇଥିଲା। ଏହି ସମସ୍ତ ଶିବିରରେ ଝାରସୁଗୁଡ଼ା ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟର ୟଙ୍ଗ୍ ପ୍ରୋଫେସନାଲଙ୍କ ସମେତ ସରକାରୀ ITI ଏବଂ ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲର ବିଶେଷଜ୍ଞ ଅଧ୍ୟାପକମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ITI ଟ୍ରେଡ୍, ଡିପ୍ଲୋମା ପାଠ୍ୟକ୍ରମ ଏବଂ ଧନ୍ଦାମୂଳକ ପ୍ରଶିକ୍ଷଣର ଉପାଦେୟତା ବୁଝାଇଥିଲେ। ନିଜ ଆଗ୍ରହ ଓ ଦକ୍ଷତା ଅନୁଯାୟୀ ଉପଯୁକ୍ତ ପାଠ୍ୟକ୍ରମ ଚୟନ କରି କିପରି ସ୍ୱାବଲମ୍ବୀ ହୋଇହେବ, ସେ ନେଇ ବିଶେଷଜ୍ଞମାନେ ସେମାନଙ୍କୁ ଦିଗଦର୍ଶନ ପ୍ରଦାନ କରିଥିଲେ।ସ୍ଥାନୀୟ ବିଦ୍ୟାଳୟଗୁଡ଼ିକରେ ଏଭଳି ସଚେତନତାମୂଳକ ପଦକ୍ଷେପକୁ ଛାତ୍ରଛାତ୍ରୀ ଓ ଶିକ୍ଷକ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande