ଇଟାଭାଟିକୁ ଚାଲାଣ ବେଳେ ଧରାପଡ଼ିଲା ଦାଦନ ସର୍ଦାର ଗାଡ଼ି ଚାଳକ; ବୋଲେରୋ ଜବତ
ବଲାଙ୍ଗିର, 14 ଅକ୍ଟୋବର (ହି.ସ.) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ପୁଲିସ ପକ୍ଷରୁ ରାତ୍ରିକାଳୀନ ପେଟ୍ରୋଲିଂ ସମୟରେ ୬ ଜଣ ଶିଶୁଙ୍କ ସମେତ ମୋଟ ୧୪ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କୁ ତେଲେଙ୍ଗାନା ରାଜ୍ୟର ନିଜାମାବାଦ ସହର ନିକଟସ୍ଥ ଏକ ଇଟାଭାଟିକୁ ନିଆଯାଉଥିବା ବେଳେ ମାଲପଡ଼
ଇଟାଭାଟିକୁ ଚାଲାଣ ବେଳେ ଧରାପଡ଼ିଲା ଦାଦନ ସର୍ଦାର ଗାଡ଼ି ଚାଳକ; ବୋଲେରୋ ଜବତ


ବଲାଙ୍ଗିର, 14 ଅକ୍ଟୋବର (ହି.ସ.)

ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ପୁଲିସ ପକ୍ଷରୁ ରାତ୍ରିକାଳୀନ ପେଟ୍ରୋଲିଂ ସମୟରେ ୬ ଜଣ ଶିଶୁଙ୍କ ସମେତ ମୋଟ ୧୪ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କୁ ତେଲେଙ୍ଗାନା ରାଜ୍ୟର ନିଜାମାବାଦ ସହର ନିକଟସ୍ଥ ଏକ ଇଟାଭାଟିକୁ ନିଆଯାଉଥିବା ବେଳେ ମାଲପଡ଼ା ଗ୍ରାମ ନିକଟରେ ପୁଲିସ ଅଟକାଇଥିଲା । ସୂଚନା ଅନୁଯାୟୀ ମଙ୍ଗଳବାର ମଧ୍ୟ ରାତ୍ରିରେ ଖପ୍ରାଖୋଲ ଥାନାର ଏଏସ୍ଆଇ ନବୀନ କୁମାର ଭୋଇ ଅନ୍ୟ ପୁଲିସ କର୍ମଚାରୀଙ୍କ ସହ ପେଟ୍ରୋଲିଂ କରୁଥିଲେ । ଏହି ସମୟରେ ମାଲପଡ଼ା ଗ୍ରାମ ନିକଟସ୍ଥ ଏକ ଚାଷଜମି ପାଖରେ ଓଡି-୦୫-ଏଏମ୍-୩୩୮୭ ନମ୍ବର ବିଶିଷ୍ଟ ଏକ ବୋଲେରୋ ଗାଡ଼ିରେ ଶ୍ରମିକମାନଙ୍କୁ ନିଆଯାଉଥିବା ଦେଖି ପୁଲିସ ତଦନ୍ତ କରିଥିଲା । ଉଦ୍ଧାର ହୋଇଥିବା ଶ୍ରମିକଙ୍କ ମଧ୍ୟରେ ୫ ଜଣ ପୁରୁଷ, ୩ ଜଣ ମହିଳା, ୩ ଜଣ ନାବାଳକ ଓ ୨ ଜଣ ନାବାଳିକା ଥିବା ପୁଲିସ ସୂଚନା ଦେଇଛି । ଶ୍ରମିକ ମାନଙ୍କୁ ଚାଲାଣ କରୁଥିବା ରେଙ୍ଗାଲି ଗ୍ରାମର ଦାଦନ ସର୍ଦାର ଗୌତମ ଧରୁଆ (୪୨) ଓ ଡମନୀମାଲ ଗ୍ରାମର ଗାଡ଼ି ଚାଳକ ନବୀନ ନାଗ (୩୮)ଙ୍କୁ ପୁଲିସ ଅଟକ ରଖିଛି । ଏଥିସହ ବୋଲେରୋ ଗାଡ଼ିକୁ ଜବତ କରାଯାଇଛି । ଏହି ଘଟଣାରେ ଖପ୍ରାଖୋଲ ଥାନା କେସ୍ ନମ୍ବର ୨୧୬, ତାରିଖ ୧୪.୧୦.୨୦୨୬ରେ ବିଏନ୍ଏସ୍ର ଧାରା ୧୪୩(୩), ୧୪୬, ୩୧୮(୪), ୩(୫) ଏବଂ ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ଆଇନର ଧାରା ୨୫ ଅନୁଯାୟୀ ମାମଲା ରୁଜୁ ହୋଇଛି । ମାମଲାର ତଦନ୍ତ ଖପ୍ରାଖୋଲ ଥାନା ଅଧିକାରୀ ନରେନ୍ଦ୍ର ଛତ୍ରଙ୍କ ନିର୍ଦ୍ଦେଶରେ ଚାଲିଛି । ଶିଶୁଙ୍କୁ ସାଙ୍ଗରେ ନେଇ ଦାଦନ ଚାଲାଣ ଘଟଣା ପୁଣି ଥରେ ଶ୍ରମିକଙ୍କ ସୁରକ୍ଷା ଓ ଦାଦନ ସମସ୍ୟାକୁ ନେଇ ଚିନ୍ତା ବଢ଼ାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande