
ଶ୍ରୀନଗର, ୧୪ ଅକ୍ଟୋବର (ହି.ସ.)। ସକ୍ରିୟ ପଶ୍ଚିମା ଝଡ଼ ପ୍ରଭାବରେ ବୁଧବାର ସକାଳେ କାଶ୍ମୀରର ଉଚ୍ଚ ପାର୍ବତ୍ୟ ଅଞ୍ଚଳରେ ତାଜା ତୁଷାରପାତ ହୋଇଛି। ଫଳରେ ଅନେକ ଅଞ୍ଚଳ ବରଫର ଧଳା ଚାଦରରେ ଢାଙ୍କି ହୋଇଯାଇଛି। ଉପତ୍ୟକାର ସମତଳ ଅଞ୍ଚଳରେ ରାତିସାରା ବର୍ଷା ହେବା ପରେ ପାଣିପାଗ ବିଭାଗ ଆଗାମୀ ୨୪ ଘଣ୍ଟା ମଧ୍ୟରେ ବର୍ଷା ହେବାର ପୂର୍ବାନୁମାନ କରିଛି।
ଅଧିକାରୀମାନେ କହିଛନ୍ତି ଯେ, ସକ୍ରିୟ ପଶ୍ଚିମା ଝଡ଼ ପ୍ରଭାବରେ ଉଚ୍ଚ ପାର୍ବତ୍ୟ ଅଞ୍ଚଳର ଅନେକ ସ୍ଥାନରେ ରାତିସାରା ହାଲୁକାରୁ ମଧ୍ୟମ ଧରଣର ତୁଷାରପାତ ହୋଇଛି। କାଶ୍ମୀରର ଅନେକ ଉଚ୍ଚ ଅଞ୍ଚଳରେ ତାଜା ତୁଷାରପାତ ହୋଇଥିବାବେଳେ ଅନ୍ୟ କେତେକ ସ୍ଥାନରେ ଲଗାତାର ଦ୍ୱିତୀୟ ଦିନ ପାଇଁ ତୁଷାରପାତ ଜାରି ରହିଛି।
ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ପହଲଗାମ ଏବଂ ଏହାର ଆଖପାଖ ଅଞ୍ଚଳରେ ରାତିସାରା ତୁଷାରପାତ ହୋଇଛି। ଗୁଲମାର୍ଗ ଓ ସୋନମାର୍ଗ ଭଳି ପର୍ଯ୍ୟଟନସ୍ଥଳୀ ସହିତ ଉତ୍ତର କାଶ୍ମୀରର ଗୁରେଜ୍ରେ ଥିବା ଜୋଜିଲା ଅଞ୍ଚଳ, ରାଜଦାନ ଟପ୍ ଏବଂ ତୁଲୈଲ୍ରେ ମଧ୍ୟ ବିରତି ନେଇ ତୁଷାରପାତ ଜାରି ରହିଛି। ଶ୍ରୀନଗର ସମେତ ଉପତ୍ୟକାର ସମତଳ ଅଞ୍ଚଳରେ ରାତିସାରା ବର୍ଷା ହୋଇଥିଲା। ତେବେ ବୁଧବାର ସକାଳେ ମେଘ ହଟିଯିବା ସହ ସୂର୍ଯ୍ୟକିରଣ ଦେଖିବାକୁ ମିଳିଥିଲା।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଗୁରୁବାର ପର୍ଯ୍ୟନ୍ତ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଏବଂ ଉଚ୍ଚ ପାର୍ବତ୍ୟ ଅଞ୍ଚଳରେ ହାଲୁକା ତୁଷାରପାତ ହେବାର ସମ୍ଭାବନା ରହିଛି। ଏହା ସହିତ ଘଡ଼ଘଡ଼ି, ପ୍ରବଳ ପବନ ଏବଂ କେତେକ ସ୍ଥାନରେ କୁଆପଥର ବୃଷ୍ଟି ହୋଇପାରେ।
ଅକ୍ଟୋବର ୧୬ ତାରିଖରେ କେତେକ ସ୍ଥାନରେ ହାଲୁକା ବର୍ଷାକୁ ଛାଡ଼ିଦେଲେ ପାଗ ସାଧାରଣତଃ ଶୁଷ୍କ ରହିବ। ଏହା ପରେ ଅକ୍ଟୋବର ୨୪ ତାରିଖ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଷ୍କ ରହିବାର ପୂର୍ବାନୁମାନ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା