
କେନ୍ଦୁଝର, ୧୪ ଅକ୍ଟୋବର (ହି.ସ.) - କେନ୍ଦୁଝର ଜିଲ୍ଲା ପ୍ରଶାସନ ଏବଂ କାରଖାନା ଓ ବାଷ୍ପୀୟ ନିର୍ଦ୍ଦେଶାଳୟର ଆନୁକୂଲ୍ୟରେ ଆଜି ଯୋଡ଼ାସ୍ଥିତ ଫେରୋ ଆଲଏଜ୍ ପ୍ଲାଂଟ ପରିସରରେ ଏକ ଜରୁରୀକାଳୀନ ଅଫ୍ସାଇଟ୍ ମକ୍ଡ୍ରିଲ୍ (କୃତ୍ରିମ ବିପର୍ଯ୍ୟୟ ମୁକାବିଲା ଅଭ୍ୟାସ) ଏବଂ ସ୍ଥାନୀୟ ସଙ୍କଟ ପରିଚାଳନା ଗୋଷ୍ଠୀର ବୈଠକ ଅନୁଷ୍ଠିତ ହୋଇଯାଇଛି।
କାରଖାନା ଓ ବାଷ୍ପୀୟ ନିର୍ଦ୍ଦେଶାଳୟର ଉପ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ସୂତାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବଡ଼ବିଲ ତହସିଲଦାର ଶ୍ରୀଯୁକ୍ତ ରାକେଶ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସହକାରୀ ନିର୍ଦ୍ଦେଶକ କେଦାର ନାଥ ହାଁସଦାଙ୍କ ଜିଲ୍ଲା ପ୍ରକଳ୍ପ ଅଧିକାରୀ (ଡିପିଓ) ଏସ୍.କେ. ଏଯାଜ ଇକବାଲ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ସୂଚନା ଦେଇଥିଲେ।
ଭବିଷ୍ୟତରେ କୌଣସି କାରଣରୁ ଶିଳ୍ପାଂଚଳରେ ରାସାୟନିକ ବିପର୍ଯ୍ୟୟ ଘଟିଲେ, ତାହାର ତ୍ୱରିତ ଓ ପ୍ରଭାବଶାଳୀ ମୁକାବିଲା ପାଇଁ ଆବଶ୍ୟକ ପୂର୍ବପ୍ରସ୍ତୁତି, ସତର୍କତା, ଉଦ୍ଧାର କାର୍ଯ୍ୟ, ଆପତ୍କାଳୀନ ସେବା ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।
ଏହାପରେ ଯୋଡ଼ାସ୍ଥିତ ସେଣ୍ଟ୍ରାଲ୍ ପ୍ଲେ ଗ୍ରାଉଣ୍ଡଠାରେ ମକ୍ଡ୍ରିଲ୍ ଆୟୋଜନ କରାଯାଇଥିଲା। ଏଥିରେ ଯୋଡ଼ା ଅଗ୍ନିଶମ ବାହିନୀ, ଟାଟା ଷ୍ଟିଲ୍ ଏବଂ ଜିନ୍ଦଲ ଫେରୋ ମାଙ୍ଗାନିଜ୍ ପ୍ଲାଂଟ ପକ୍ଷରୁ ବିପର୍ଯ୍ୟୟର ମୁକାବିଲା ଓ କ୍ଷୟକ୍ଷତି ହ୍ରାସ ନିମନ୍ତେ ଆଧୁନିକ ଉପକରଣ ଓ ଆବଶ୍ୟକ ସାଜସରଞ୍ଜାମର ବ୍ୟବହାର ସହିତ ପ୍ରସ୍ତୁତିମୂଳକ ଅଭ୍ୟାସ ପ୍ରଦର୍ଶନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍, ଟାଟା ସ୍ପଞ୍ଜ, ଜିନ୍ଦଲ ସମେତ ବିଭିନ୍ନ ଶିଳ୍ପାନୁଷ୍ଠାନର ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ନିଜ ନିଜର ମତାମତ ରଖିଥିଲେ। ଶିଳ୍ପାଂଚଳରେ ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ସମ୍ପୃକ୍ତ ବିଭାଗ ଓ ଶିଳ୍ପାନୁଷ୍ଠାନ ପକ୍ଷରୁ ସତର୍କତା, ନିୟମିତ ପ୍ରସ୍ତୁତି ଏବଂ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଏଭଳି ମକ୍ଡ୍ରିଲ୍ ଦ୍ୱାରା ବିପର୍ଯ୍ୟୟ ସମୟରେ ତ୍ୱରିତ ପଦକ୍ଷେପ ଗ୍ରହଣ, ଜନଜୀବନର ସୁରକ୍ଷା ଏବଂ ସମ୍ଭାବ୍ୟ କ୍ଷୟକ୍ଷତିକୁ ସର୍ବନିମ୍ନ କରିବା ଦିଗରେ ପ୍ରଶାସନ, ଅଗ୍ନିଶମ ବାହିନୀ ଓ ଶିଳ୍ପାନୁଷ୍ଠାନଗୁଡ଼ିକର ପ୍ରସ୍ତୁତି ଅଧିକ ସୁଦୃଢ଼ ହୋଇପାରିବ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA