
ଜଗଦଲପୁର, ୧୪ ଅକ୍ଟୋବର (ହି.ସ.)। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଗାମୀ ଛତିଶଗଡ଼ ଗସ୍ତକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଷ୍ଟ୍ରପତିଙ୍କ ୨୨ରୁ ୨୩ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ରାୟପୁର ଓ ଜଗଦଲପୁର ଗସ୍ତ କାର୍ଯ୍ୟକ୍ରମ ପ୍ରସ୍ତାବିତ ରହିଛି। ଏହି ଗସ୍ତ ସମୟରେ ଅକ୍ଟୋବର ୨୩ ତାରିଖରେ ଜଗଦଲପୁରଠାରେ ବସ୍ତର ଦଶହରାର ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗଦେବା ସହ ଐତିହାସିକ ମୁରିଆ ଦରବାରରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଲାଲବାଗ ଗ୍ରାଉଣ୍ଡରେ ଏହି ଆୟୋଜନ ହେବ।
ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଶାସନ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି ଆରମ୍ଭ କରାଯାଇଛି। ମୁଖ୍ୟ ଶାସନ ସଚିବ ରାୟପୁର ଓ ବସ୍ତର ସମ୍ଭାଗର ଜିଲ୍ଲାପାଳମାନଙ୍କୁ ଗସ୍ତ ସମୟରେ ଆବଶ୍ୟକ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମା’ ଦନ୍ତେଶ୍ୱରୀ ବିମାନବନ୍ଦର, ଜଗଦଲପୁରଠାରୁ କାର୍ଯ୍ୟକ୍ରମସ୍ଥଳ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ ରଖିବା ସହ ସଡ଼କ ପଥରେ ଯାତାୟାତ ସୁଗମ କରିବା ଦାୟିତ୍ୱ ସମ୍ପୃକ୍ତ ଜିଲ୍ଲାପାଳ, ପୁଲିସ କମିଶନର ଓ ପୁଲିସ ଅଧୀକ୍ଷକମାନଙ୍କୁ ଦିଆଯାଇଛି।
ବସ୍ତର ଦଶହରା ସମିତିର ଅଧ୍ୟକ୍ଷ ତଥା ସାଂସଦ ମହେଶ କଶ୍ୟପ ମା’ ଦନ୍ତେଶ୍ୱରୀ ଓ ମା’ ମାଉଳୀଙ୍କ ନିକଟରେ ବସ୍ତର ଦଶହରା ନିର୍ବିଘ୍ନରେ ସମ୍ପନ୍ନ ହେବା ପାଇଁ ପ୍ରାର୍ଥନା କରିଛନ୍ତି। ଏହି ଅନନ୍ୟ ସାଂସ୍କୃତିକ ଆୟୋଜନରେ ସାମିଲ ହେବାକୁ ସେ ବସ୍ତର, ଛତିଶଗଡ଼ ଓ ଦେଶର ବିଭିନ୍ନ ଅଞ୍ଚଳର ଲୋକଙ୍କୁ ଆହ୍ୱାନ ଦେଇଛନ୍ତି।
ମହେଶ କଶ୍ୟପ କହିଛନ୍ତି ଯେ, ବସ୍ତର ଦଶହରାର ଏକ ଗୁରୁତ୍ୱପୂର୍ଣ୍ଣ ବିଧି ‘ମୁରିଆ ଦରବାର’ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେବାର କାର୍ଯ୍ୟକ୍ରମ ପ୍ରସ୍ତାବିତ ଥିବାରୁ ଚଳିତ ବର୍ଷର ଆୟୋଜନର ଗୁରୁତ୍ୱ ଆହୁରି ବୃଦ୍ଧି ପାଇଛି। ଏହା ବସ୍ତର ପାଇଁ ଗର୍ବର ବିଷୟ ବୋଲି ଉଲ୍ଲେଖ କରି ସେ ରାଷ୍ଟ୍ରପତିଙ୍କୁ ସ୍ୱାଗତ ଓ ଅଭିନନ୍ଦନ ଜଣାଇବା କଥା କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା