
ନୂଆଦିଲ୍ଲୀ, ୧୪ ଅକ୍ଟୋବର (ହି.ସ.)- କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ରେଳବାଇର ୧୧.୪୦ ଲକ୍ଷ ଅରାଜପତ୍ରିତ କର୍ମଚାରୀଙ୍କ ପାଇଁ ୭୮ ଦିନର ଉତ୍ପାଦକତା ଆଧାରିତ ବୋନସକୁ ମଞ୍ଜୁରି ଦେଇଛି। ଏଥିପାଇଁ ପ୍ରାୟ ୨,୦୦୯.୬୧ କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ମନ୍ତ୍ରିମଣ୍ଡଳ ବୈଠକରେ ଏହି ନିଷ୍ପତି ନିଆଯାଇଛି।
ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ କ୍ୟାବିନେଟର ନିଷ୍ପତିଗୁଡ଼ିକ ବିଷୟରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ ରେଳବାଇ କର୍ମଚାରୀଙ୍କ ପାଇଁ ୭୮ ଦିନର ବୋନସକୁ ମଞ୍ଜୁରି ଦିଆଯାଇଛି। ଏହାଦ୍ୱାରା ପ୍ରାୟ ୧୧.୪୦ ଲକ୍ଷ କର୍ମଚାରୀ ଲାଭବାନ ହେବେ। ସେ କହିଥିଲେ, “ଏହା ଦିନରାତି କାମ କରୁଥିବା ପରିଶ୍ରମୀ ରେଳବାଇ କର୍ମଚାରୀଙ୍କ ପାଇଁ ଦୀପାବଳି ଉପହାର। ଆମେ ଯେତେବେଳେ ପର୍ବପର୍ବାଣୀ ପାଳନ କରୁ, ସେତେବେଳେ ସେମାନେ କ୍ଷେତ୍ରରେ, ରେଳ ଧାରଣା ଉପରେ, ରେଳ ଇଞ୍ଜିନ ଭିତରେ ଏବଂ କର୍ମଶାଳାଗୁଡ଼ିକରେ ଦିନରାତି କାମ କରନ୍ତି। ଏପରି ସମସ୍ତ ରେଳବାଇ କର୍ମଚାରୀଙ୍କ ପାଇଁ ଏହି ଦୀପାବଳି ଉପହାର ହେଉଛି ପ୍ରାୟ ୨,୦୦୯ କୋଟି ଟଙ୍କାର ବୋନସ।
ବୈଷ୍ଣବ କହିଛନ୍ତି ଯେ ବର୍ଷ ୨୦୧୪ ଠାରୁ ଏପର୍ଯ୍ୟନ୍ତ ରେଳବାଇରେ ପ୍ରାୟ ୫.୫ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦିଆଯାଇଛି। ସେ କହିଛନ୍ତି ଯେ ରେଳବାଇରେ ୧.୬୫ ଲକ୍ଷ ଖାଲି ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ପରୀକ୍ଷା ଚାଲିଛି। ନିକଟରେ ପ୍ରାୟ ୩୭ ହଜାର ଲୋକଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଇଛି। ମନ୍ତ୍ରୀ କହିଛନ୍ତି, “ବ୍ୟବହାରିକ ଭାବେ ରେଳବାଇର ମୋଟ ୧୨ ଲକ୍ଷ କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ଅଧାଙ୍କୁ ଜାତୀୟ ଗଣତାନ୍ତ୍ରିକ ମେଂଟ (ରାଜଗ) ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ନିଯୁକ୍ତି ଦିଆଯାଇଛି।
ରେଳବାଇ କର୍ମଚାରୀମାନଙ୍କୁ ପ୍ରତିବର୍ଷ ଦୁର୍ଗା ପୂଜା ଏବଂ ଦଶହରା ଆଖପାଖ ସମୟରେ ଉତ୍ପାଦକତା ଆଧାରିତ ବୋନସ୍ ଦିଆଯାଏ। ଏଥର ଯୋଗ୍ୟ କର୍ମଚାରୀମାନଙ୍କୁ ୭୮ ଦିନର ଦରମା ସହ ସମାନ ବୋନସ୍ ମିଳିବ। ପ୍ରତି ଯୋଗ୍ୟ କର୍ମଚାରୀଙ୍କ ପାଇଁ ବୋନସ୍ର ସର୍ବାଧିକ ରାଶି ୧୭,୯୫୧ ଟଙ୍କା ନିର୍ଦ୍ଧାରଣ କରାଯାଇଛି। ଏହି ବୋନସ୍ରୁ ଟ୍ରାକ୍ ମେଂଟେନର, ଲୋକୋ ପାଇଲଟ୍, ଟ୍ରେନ୍ ମ୍ୟାନେଜର (ଗାର୍ଡ), ଷ୍ଟେସନ୍ ମାଷ୍ଟର, ପର୍ଯ୍ୟବେକ୍ଷକ, ଟେକ୍ନିସିଆନ୍, ଟେକ୍ନିସିଆନ୍ ହେଲ୍ପର, ପଂଏଟସମ୍ୟାନ୍, ମନ୍ତ୍ରଣାଳୟର କର୍ମଚାରୀ ଏବଂ ଅନ୍ୟାନ୍ୟ ଗ୍ରୁପ୍ ‘ସି’ କର୍ମଚାରୀମାନେ ଲାଭବାନ ହେବେ।
ରେଳବାଇ ଆର୍ôଥକ ବର୍ଷ ୨୦୨୫-୨୬ ରେ ୧୬୭ କୋଟି ଟନ୍ ମାଲ ପରିବହନ କରିଛି, ଯାହା ଏପର୍ଯ୍ୟନ୍ତର ସର୍ବାଧିକ ରେକର୍ଡ। ଏହି ସମୟ ମଧ୍ୟରେ ରେଳବାଇ ଦ୍ୱାରା ପ୍ରାୟ ୭୪୧ କୋଟି ଯାତ୍ରୀ ଯାତ୍ରା କରିଛନ୍ତି। ସରକାରଙ୍କ ଅନୁସାରେ କର୍ମଚାରୀମାନଙ୍କ ଅବଦାନ ରେଳବାଇର ପରିଚାଳନା ଏବଂ ମାଲ ଓ ଯାତ୍ରୀ ପରିବହନର ପ୍ରଦର୍ଶନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛି।
------------
ହିନ୍ଦୁସ୍ଥାନ ସମାଚାର / ଗଗନ