
ବଲାଙ୍ଗୀର, ୧୪ ଅକ୍ଟୋବର(ହି.ସ.) – ବଲାଙ୍ଗୀରରେ କଲେଜ ନିର୍ବାଚନକୁ ନେଇ ମୂଳରୁହି ଉତେଜନା ପ୍ରକାଶ ପାଇଛି। ଆଜି ବଲାଙ୍ଗୀର ବିଜୁ ଛାତ୍ର ଜନତା ଦଳ ସଭାପତି ସୁମନ ନନ୍ଦଙ୍କୁ ପୋଲିସ ଗିରଫ କରିଛି। ଏବିଭିପି ଛାତ୍ର ପ୍ରତିନିଧିଙ୍କୁ ଅପହରଣ କରାଯିବା ମାମଲାକୁ ନେଇ ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ସୁମନ ନନ୍ଦଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାକୁ ନେଇ ବ୍ୟାପକ ଉତେଜନା ପ୍ରକାଶ ପାଇଛି। ବିଜେଡି ର କର୍ମୀମାନେ ଗିରଫ ପ୍ରତିବାଦରେ ଟାଉନ୍ ଥାନାକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆଜି ସନ୍ଧ୍ୟାରେ ଭାଜପା ବିରୁଦ୍ଧରେ ସ୍ଲୋଗାନ ଦେଇ ରାସ୍ତା ଅବବୋଧ କରିବା ସହ ଟାଉନ ଥାନା ଘେରାଉ କରିଛନ୍ତି।
ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ଥାନା ସମ୍ମୁଖରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ରହିଛନ୍ତି। ଆଇନ୍ ଶୃଙ୍ଗଳା ପରିସ୍ଥିତିକୁ ଆଖିଆଗରେ ରଖି ଟାଉନ୍ ଥାନା ପୋଲିସ ବ୍ୟାରିକେଟ୍ ବ୍ୟବସ୍ଥା କରିଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ରାଜେନ୍ଦ୍ର କଲେଜ ଛକ ଯାଏ ସ୍ଥାନେ ସ୍ଥାନେ ପୋଲିସ ମୁତୟନ ହୋଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ