
ଝାରସୁଗୁଡା, 14 ଅକ୍ଟୋବର (ହି.ସ.) ଖାଦ୍ୟ ସୁରକ୍ଷା ମାନକ ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ଗତ୍କକାଲି ସନ୍ଧ୍ୟାରେ ଓଏମ୍ପି ଅଞ୍ଚଳସ୍ଥିତ ଫୁଡ୍ କୋର୍ଟ ପରିସରରେ ଜିଲ୍ଲା ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଏକ ବ୍ୟାପକ ଚଢ଼ାଉ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଖାଦ୍ୟ ସୁରକ୍ଷା ଅଧିକାରୀ କୁନ୍ଦନ ଲୋହାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି ସନ୍ଧ୍ୟା ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏହି ଯାଞ୍ଚ ପ୍ରକ୍ରିୟା ଜାରି ରହିଥିଲା। ଏହି ସ୍ୱତନ୍ତ୍ର ଅଭିଯାନ ସମୟରେ ଗୁପ୍ଚୁପ୍ ଷ୍ଟଲ୍, ରେଷ୍ଟୁରାଣ୍ଟ, ଫାଷ୍ଟଫୁଡ୍ ଷ୍ଟଲ୍ ଏବଂ ସ୍ନାକ୍ସ ସେଣ୍ଟର ସମେତ ସମୁଦାୟ ୩୧ଟି ଖାଦ୍ୟ ବ୍ୟବସାୟିକ ପ୍ରତିଷ୍ଠାନର ଯାଞ୍ଚ କରାଯାଇଥିଲା। ଯାଞ୍ଚ କାଳରେ ଖାଦ୍ୟ ସୁରକ୍ଷା ଏବଂ ମାନକ ଆଇନ ଉଲ୍ଲଂଘନ କରିଥିବା ଦୋକାନୀମାନଙ୍କ ଠାରୁ ମୋଟ ୭,୭୦୦ ଟଙ୍କାର ଆର୍ଥିକ ଜରିମାନା ଆଦାୟ କରାଯାଇଛି। ଏହା ସହିତ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ତଥା ଅସ୍ୱାସ୍ଥ୍ୟକର ପରିବେଶରେ ରଖାଯାଇଥିବା ପ୍ରାୟ ୧୦ କିଲୋଗ୍ରାମ ବାସି ଖାଦ୍ୟ ଏବଂ ବାରମ୍ବାର ବ୍ୟବହୃତ ହୋଇଥିବା ୩ ଲିଟର ପୋଡ଼ା ତେଲକୁ ତୁରନ୍ତ ଜବତ କରି ନଷ୍ଟ କରାଯାଇଛି।
ପରିଷ୍କାର-ପରିଚ୍ଛନ୍ନତା ବଜାୟ ରଖିବା ଏବଂ FSS ଆଇନର ନିୟମାବଳୀ 'ସିଡ୍ୟୁଲ-୪' ସଠିକ୍ ଭାବେ ପାଳନ ନକରିବା କାରଣରୁ ୩ଟି ଖାଦ୍ୟ ବ୍ୟବସାୟୀ ପ୍ରତିଷ୍ଠାନ କୁ 'ଇମ୍ପ୍ରୁଭମେଣ୍ଟ ନୋଟିସ୍' ଜାରି କରାଯାଇଛି। ଖାଦ୍ୟର ଗୁଣବତ୍ତା ବଜାୟ ରଖିବା, ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବା ଏବଂ ନିୟମ ମାନି ବ୍ୟବସାୟ କରିବାକୁ ସମସ୍ତ ଖାଦ୍ୟ ବ୍ୟବସାୟୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି, ନଚେତ୍ ଆଗାମୀ ଦିନରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି।
ଏହି ଯାଞ୍ଚ ଅଭିଯାନ ସମୟରେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ସମେତ କାର୍ଯ୍ୟାଳୟ ସହକାରୀ ଯାଦବ ଦେହେରୀ ଉପସ୍ଥିତ ଥିଲେ। ଏଥିସହ ଆଇନ ଶୃଙ୍ଖଳା ଓ ଯାଞ୍ଚ କାର୍ଯ୍ୟକୁ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ଏୟାରପୋର୍ଟ ଥାନାର ଏସ୍.ଆଇ. ଅରୁଣ କୁମାର ସାହୁ, ହାବିଲଦାର ଯଶୋମତୀ ବୁଦୁଲା, କନଷ୍ଟେବଲ ତ୍ରିବେଣୀ ଦାଶ, କନଷ୍ଟେବଲ ଶୁଭମ୍ ବିଶ୍ୱାଳ, କନଷ୍ଟେବଲ ଦୁଲାମଣି ବାରିକ ଏବଂ ମହିଳା କନଷ୍ଟେବଲ ନର୍ମଦା ବୁଦୁଲା ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ