
ୱାଶିଂଟନ, ୧୩ ଅକ୍ଟୋବର (ହି.ସ.)। ଆମେରିକା ଖୁବ୍ଶୀଘ୍ର ଇରାନକୁ ନେଇ ଏକ ନିଷ୍ପତ୍ତି ନେବ ବୋଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ହ୍ୱାଇଟ୍ ହାଉସ୍ ବାହାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରିବା ସମୟରେ ସେ ଇରାନର ଅର୍ଥନୀତିକୁ ଟାର୍ଗେଟ କରି ଏହାକୁ ଏକ ‘ବିଫଳ ଦେଶ’ ବୋଲି ଅଭିହିତ କରିଛନ୍ତି।
ଟ୍ରମ୍ପ ଦାବି କରିଛନ୍ତି ଯେ, ଇରାନର ଅର୍ଥନୀତି ଅତ୍ୟନ୍ତ ଖରାପ ସ୍ଥିତିରେ ରହିଛି ଏବଂ ସେଠାରେ ମୁଦ୍ରାସ୍ଫୀତି ହାର ୩୦୦ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିଛି। ଇରାନ ପାଖରେ ଅର୍ଥ ନାହିଁ ଏବଂ ଦେଶର ସୈନିକମାନଙ୍କ ସମେତ ଅନ୍ୟ ଲୋକଙ୍କୁ ମଧ୍ୟ ଦରମା ଦେବାରେ ଏହା ଅସମର୍ଥ ବୋଲି ସେ କହିଛନ୍ତି।
ଏପରି ଏକ ସମୟରେ ଟ୍ରମ୍ପଙ୍କ ଏହି ବୟାନ ଆସିଛି, ଯେତେବେଳେ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟଗୁଡ଼ିକରେ ଇସ୍ରାଏଲରେ ଅକ୍ଟୋବର ୨୭ରେ ହେବାକୁ ଥିବା ନିର୍ବାଚନ ଏବଂ ଆମେରିକାରେ ନଭେମ୍ବର ୩ରେ ହେବାକୁ ଥିବା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପୂର୍ବରୁ ଇରାନ ବିରୋଧରେ ପୁଣିଥରେ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବାର ସମ୍ଭାବନା ନେଇ ଚର୍ଚ୍ଚା ହେଉଛି।
ଟ୍ରମ୍ପ ପୂର୍ବରୁ ମଧ୍ୟ ଇରାନକୁ ନେଇ ଖୁବ୍ଶୀଘ୍ର ଏକ ବଡ଼ ନିଷ୍ପତ୍ତି ନେବେ ବୋଲି କହିସାରିଛନ୍ତି। ତେବେ ତାଙ୍କର ଏଭଳି ବୟାନ ପରେ ଏପର୍ଯ୍ୟନ୍ତ କୌଣସି ନୂଆ ବଡ଼ ଆକ୍ରମଣ ହୋଇନାହିଁ। ଗତ ସପ୍ତାହରେ ସେ କହିଥିଲେ ଯେ, ଆମେରିକା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପୂର୍ବରୁ ଇରାନ ଉପରେ ଆକ୍ରମଣ କରିବ ନାହିଁ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା