
ପୁରୀ ୧୪ ଅକ୍ଟୋବର (ହି.ସ.) ପୁରୀ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ପକ୍ଷରୁ ଚଳିତ ମାସ ୨୯ ତାରିଖରେ ପାଳିତ ହେବକୁ ଥିବା ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସକୁ ଶୃଙ୍ଖଳିତ ଓ ସଚେତନଧର୍ମୀ ଭାବେ ପାଳନ କରିବାକୁ ଏକ ପ୍ରସ୍ତୁତି ବୈଠକ ଆଜି ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ)ଶରତ ଚନ୍ଦ୍ର ବେହେରା ଏହି କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଓ ସମସ୍ତଙ୍କୁ ସଚେତନ କରିବା ଲକ୍ଷ୍ୟରେ ପାଳନ ପାଇଁ ପରାମର୍ଶ ଦେଇ ଥିଲେ।ବିସ୍ତୃତ ଆଲୋଚନା ପରେ ସର୍ବସମ୍ମତି କ୍ରମେ ନିଷ୍ପତି ହେଲା ଯେ ୨୯ ତାରିଖ ପୂର୍ବାହ୍ନ ୭ ୩୦ ମିନିଟରେ ଶ୍ରୀମନ୍ଦିର ସିଂହଦ୍ୱାର ଠାରୁ ଗାନ୍ଧୀ ଘାଟ ପର୍ଯ୍ୟନ୍ତ ଏକ ସଚେତନତା ଶୋଭାଯାତ୍ରା ସାଇକେଲ ମାଧ୍ୟମରେ ଅନୁଷ୍ଠିତ ହେବ ଓ ବ୍ଲୁ ଫ୍ଲାଗ ବିଚ ଠାରୁ ଗାନ୍ଧୀ ଘାଟ ପର୍ଯ୍ୟନ୍ତ ମିନି ମାରାଥନ ଅନୁଷ୍ଠିତ ହେବ ।ପରେ ପରେ ଅଗ୍ନିଶମ ବିଭାଗ ପକ୍ଷରୁ ବିଭିନ୍ନ ବିପର୍ଯ୍ୟୟ ର ମୁକାବିଲା ପାଇଁ ବିବିଧ କୌଶଳ ଓ ଉପାୟ ସର୍କିଟ ହାଉସ ଠାରେ ପ୍ରଦର୍ଶନ କରାଯିବା ସହ ପ୍ରଶିକ୍ଷଣ ମଧ୍ୟ ଦିଆଯିବ।ପରେ ଏକ ସଚେତନତା ସଭା ସଦଭାବନା ସଭା ଗୃହ ରେ ଅନୁଷ୍ଠିତ ହେବ। ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ପ୍ରବନ୍ଧ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ ଶିକ୍ଷା ବିଭାଗ ପକ୍ଷରୁ କରାଯାଇ କୃତି ପ୍ରତିଯୋଗୀଙ୍କୁ ସଭା ରେ ପୁରସ୍କୃତ କରାଯିବ।ଏ ସମସ୍ତ କାର୍ଯ୍ୟ ରେ ଜିଲ୍ଲାର ମୁଖ୍ୟ ଚିକିତ୍ସା କାର୍ଯ୍ୟାଳୟ,ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଅଗ୍ନି ଶମ ସେବା କାର୍ଯ୍ୟାଳୟ ,ପୁରୀ ମହାନଗର ନିଗମ, ଜିଲ୍ଲା କ୍ରୀଡା କାର୍ଯ୍ୟାଳୟ, ଆରକ୍ଷୀ କାର୍ଯ୍ୟାଳୟ , ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପ୍ରମୁଖ ସକ୍ରିୟ ସହଯୋଗ ଦେବେ।ବୈଠକରେ ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ଏଡିଏମଓ ଡା ସଞ୍ଜୁ ଦାଶ,ଡେପୁଟି କଲେକ୍ଟର ଅନୁଶ୍ରବ ଗନ୍ତାୟତ,ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ସହକାରୀ ଅକ୍ଷଯୁକ୍ତ ଅଧିକାରୀ ଅରଜିତ ନାୟକ, କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଅତିରିକ୍ତ ଶିକ୍ଷା ଅଧିକାରୀ ଦ୍ୱୀତିକାନ୍ତ ପ୍ରଧାନ,ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ର ପ୍ରକଳ୍ପ ଅଧିକାରୀ ଅଶୋକ କୁମାର ରଥ ପ୍ରମୁଖ ଯୋଗ ଦେଇଥିଲେ।
-----------------
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ